ସେପ୍ଟେମ୍ବରରୁ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା: ଲାଗିଲା ସେନ୍‌ସର, ଆପ୍‌ରେ ବୁକ୍‌ ହେବ ପାର୍କିଂ ସ୍ଲଟ୍‌

ବାଣୀବିହାର ପର୍ଯ୍ୟନ୍ତ ଲାଗିବ ହଜାରେ ସେନ୍‌ସର

ଭୁବନେଶ୍ବର: ପ୍ରସ୍ତୁତ ହେଉଛି ସ୍ମାର୍ଟ ଜନପଥ। ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ନୂଆ ରୂପ ନେଉଛି। ଏବେ ଆଉ ପୂର୍ବଭଳି ଏହି ଜନପଥରେ ବେଆଇନ ପାର୍କିଂ ହେବନି। ଘରୁ ବାହାରିବା ପୂର୍ବରୁ ଗାଡ଼ି ରଖିବା ପାଇଁ ଆପ୍‌ ଜରିଆରେ ହେବ ସ୍ଲଟ୍‌ ବୁକିଂ। ଅର୍ଥାତ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଡ଼ି ରଖିବା ପାଇଁ ପାର୍କିଂ ସ୍ଥାନ ସୁରକ୍ଷିତ ଥିବ। ଏଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ସେପ୍ଟେମ୍ବର ପହିଲା ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ମାର୍ଟ ଜନପଥରେ ‘ପାର୍କିଂ ସେନ୍ସର’ ଲାଗିବା ଆରମ୍ଭ ହୋଇଛି। ରାଜମହଲ ଛକରୁ ଶିଶୁଭବନ ଛକ ଯାଏ ୫୦ ସେନ୍ସର ଲାଗି ସାରିଥିବା ବେଳେ ବାଣୀବିହାର ପର୍ଯ୍ୟନ୍ତ ୧ ହଜାର ସେନ୍ସର ଲାଗିବା ଯୋଜନା ରହିଛି।

ସେ‌ପ୍ଟେମ୍ବର ମାସରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ସ୍ମାର୍ଟ ସିଟି ଲିମିଟେଡ୍‌ ଜୋରସୋର ଉଦ୍ୟମ ଚଳାଇଛି। ଜନପଥରୁ ନିୟମିତ ଜବରଦଖଲ ହଟାଯାଉଥିବା ବେଳେ ନିର୍ମାଣ ମଧ୍ୟ ଚାଲିଛି। ସେପ୍ଟେମ୍ବରରୁ ଏହି ସ୍ମାର୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ବେଆଇନ ପାର୍କିଂ ହୋଇ ପାରିବ ନାହିଁ। ବେଆଇନ ପାର୍କିଂ ହେଲେ ସେନ୍ସର ଜରିଆରେ ପାର୍କିଂ ଫି’ ଆଦାୟ କରୁଥିବା କର୍ମଚାରୀ ପାଖକୁ ସୂଚନା ଯିବ। ସେ ତୁରନ୍ତ ଆସି ପାର୍କିଂ ଫି’ ଆଦାୟ କରିବା ସହ ଧାର୍ଯ୍ୟ ଜାଗାରେ ଗାଡ଼ି ରଖିବାକୁ ବ୍ୟବସ୍ଥା କରିବ। ସେହିଭଳି ଏବେ ଭୁବନେଶ୍ବରର ବିଭିନ୍ନ ମାର୍କେଟ୍‌ରେ ପ୍ରବଳ ଭିଡ଼ ହେଉଥିବାରୁ ଗାଡ଼ି ରଖିବାକୁ ଜାଗା ହେଉ ନାହିଁ। ଏଣୁ ଘରୁ ବାହାରିବା ପୂର୍ବରୁ ପାର୍କିଂ ସ୍ଥାନ ବୁକ୍‌ କରିବା ପାଇଁ ଏକ ଆପ୍‌ ବ୍ୟବସ୍ଥା ହେଉଛି। ଭୁବନେଶ୍ବର ଡଟ୍‌ ମି ସହ ସମନ୍ବିତ ହୋଇ ଏହି ଆପ୍‌ କାମ କରିବ। ଯେଉଁ ଜାଗାକୁ ଯିବାକୁ ଅଛି ସେହି ଜାଗାରେ ଆଗୁଆ ପଇସା ପୈଠ କରି ପାର୍କିଂ ପାଇଁ ଜାଗା ରଖିହେବ।

ସମ୍ବନ୍ଧିତ ଖବର