ଖୋଲିଲା ‘ସ୍ବତନ୍ତ୍ର ମହିଳା ଆଶ୍ରୟସ୍ଥଳୀ’

ଭୁବନେଶ୍ବର: ବାସହୀନ ମହିଳାଙ୍କୁ ଆଶ୍ରା ଦେବା ପାଇଁ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲିଛି ‘ସ୍ବତନ୍ତ୍ର ମହିଳା ବାସହୀନ ଆଶ୍ରୟସ୍ଥଳୀ’। ବାସହୀନ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି ଏକ ନିଷ୍ପତ୍ତି ନେଇଛି ବିଏମ୍‌ସି। ବିଏମ୍‌ସି ପକ୍ଷରୁ ଓଡ଼ିଶା ପତିତା ଉଦ୍ଧାର ସମିତି ଆନୁକୂଲ୍ୟରେ ଆୟୋଜିତ ବିଶେଷ ଉତ୍ସବରେ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ଆଶ୍ରୟସ୍ଥଳୀକୁ ‘ସ୍ବତନ୍ତ୍ର ବାସହୀନ ମହିଳା ଆଶ୍ରୟସ୍ଥଳୀ’ ଭାବେ ଘୋଷଣା କରାଯାଇଛି। ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘ‌ାଟନ କରି କହିଲେ, ମହିଳାଙ୍କୁ ସ୍ବତନ୍ତ୍ର ଭାବେ ସୁରକ୍ଷା ଯୋଗାଇ ଦେବା ନେଇ ଏହିଭଳି ଏକ ପଦକ୍ଷେପ ନିଆଯାଇଛି। ଏଥିସହ ସେମାନେ ଯେପରି ସୁରକ୍ଷିତ ରହିବେ, ସେଥିପାଇଁ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଲେଖିକା ତଥା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଡେପୁଟି ମେୟର କେ ଶାନ୍ତି, କର୍ପୋରେଟର ମୋନାଲିସା ସାହୁ, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର, ଡେପୁଟି କମିସନର୍‌ (ୱେଲ୍‌ଫେୟାର୍‌) ସଂଘମିତ୍ରା ବେହେରା, ଜୋନାଲ୍‌ ଡେପୁଟି କମିସନର୍‌ (ଉତ୍ତର) ପ୍ରମୋଦ କୁମାର ପୃଷ୍ଟି, ସିଟି ମିସନ୍ ମ୍ୟାନେଜ୍‌ମେଣ୍ଟ୍‌ ୟୁନିଟ୍‌ ପ୍ରବନ୍ଧକ ଦେବାଶିଷ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏଥିସହ ଆକର୍ଷଣ ସାଜିଥିଲେ ଅଭିନେତ୍ରୀ ସୁମନ, ସମିତା ଓ ଦେବସ୍ମିତା। ‌ଏହି ଆଶ୍ରୟସ୍ଥଳୀ ମଧ୍ୟରେ ୫୦ଜଣ ମହିଳାଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି। ନିଃସହାୟ ବାସହୀନ ମହିଳାଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇ ଦେବା ସହ ସହରରେ ଥିବା ସମସ୍ତ ଆଶ୍ରୟସ୍ଥଳୀର ମହିଳାମାନଙ୍କୁ ଏକାଠି ରଖିବା ପାଇଁ ଚେଷ୍ଟା କରାଯିବ ବୋଲି ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି। ଶେଷରେ ଛନ୍ଦା ମିଶ୍ର ଏବଂ ଇତିଶ୍ରୀ ଦୀକ୍ଷିତ ସଂଗୀତ ପରିବେଷଣ କରିଥିଲେ। ମାତୃମୟୀ ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର