‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ’ର ଦ୍ୱିତୀୟ ସନ୍ଧ୍ୟା : କଥକରେ ଜୟଦେବଙ୍କ ଅଷ୍ଟପଦୀ

ଭୁବନେଶ୍ୱର : ଶ୍ରୀଜୟଦେବଙ୍କ ଲଳିତା ଲବଙ୍ଗ ଲତା… ଅଷ୍ଟପଦୀରୁ ଆରମ୍ଭ ହୋଇଥିଲା ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ’ର ଦ୍ୱିତୀୟ ସନ୍ଧ୍ୟା। ପଣ୍ଡିତ ରାଜେନ୍ଦ୍ର ଗଙ୍ଗନୀଙ୍କ ନୃତ୍ୟ ସଂଯୋଜନାରେ ରାଗ ଚାରୁକେଶୀ, ତାଳ ତିନତାଲ୍‌ ଓ ଜୟପୁର ଘରାନାରେ କଥକ ନୃତ୍ୟରେ ବେଶ୍‌ ରୋଚକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ ଆମେରିକାରୁ ଆସିଥିବା ସୁନାମଧନ୍ୟ ନୃତ୍ୟଶିଳ୍ପୀ ଅନିନ୍ଦିତା ନେଓଗି ଆନାମ୍‌।

‘ନ୍ୟାସ୍‌ନାଲ୍‌ କଲ୍‌ଚର୍‌ ମିସନ୍‌’ ପକ୍ଷରୁ ‘ରାଜ୍ୟ ସଂସ୍କୃତି ବିଭାଗ’ ସହଯୋଗରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନିନ୍ଦିତାଙ୍କୁ ‘ଶ୍ରୀଜୟଦେବ ରାଷ୍ଟ୍ରୀୟ ପୁରସ୍କାର’ରେ ମଧ୍ୟ ପୁରସ୍କୃତ କରାଯାଇଛି। ତାଙ୍କ ସମେତ ଆଉ ୮ ଜଣ ନୃତ୍ୟଶିଳ୍ପୀ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଭରତ ଚରଣ ଗିରିଙ୍କୁ ‘ଶ୍ରୀଜୟଦେବ ରାଷ୍ଟ୍ରୀୟ ପୁରସ୍କାର’, ଦେବବ୍ରତ ବରୁଆ, ସୂଚିସ୍ମିତା ଚକ୍ରବର୍ତ୍ତୀ, ଅକ୍‌ଶତା ଆମିନ୍‌ ଓ ସିଥଲକ୍ଷ୍ମୀ ବିଜୟଙ୍କୁ ‘ପଦ୍ମାବତୀ ରାଷ୍ଟ୍ରୀୟ ପୁରସ୍କାର’ ଏବଂ ଅଞ୍ଜନା ମହାନ୍ତି ଓ ଜୟା ବେହେରାଙ୍କୁ ‘ନୃତ୍ୟ ଚାରୁଶିଳା ରାଷ୍ଟ୍ରୀୟ ପୁରସ୍କାର’ରେ ପୁରସ୍କୃତ କରାଯାଇଛି। ପୂର୍ବାହ୍‌ଣରେ ଅନୁଷ୍ଠିତ ‘ନବୀନ କଳାକାର ପ୍ରତିଭା ଉତ୍ସବ’ରେ ୫୦ ଜଣ ନୃତ୍ୟଶିଳ୍ପୀ ନିଜ ନୃତ୍ୟର ଯାଦୁ ଦେଖାଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ଜଗବନ୍ଧୁ ଜେନା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର