ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବପିଢ଼ି ଆଗ୍ରହୀ ହେବା ଜରୁରୀ

ସୃଷ୍ଟି ଏକାଡେମିରେ ଷ୍ଟାର୍ଟଅପ୍‌ କନକ୍ଲେଭ୍‌ - ୨୦୧୮

ଚନ୍ଦ୍ରଶେଖରପୁର: ଉଦ୍ୟୋଗ ଅବା ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କ୍ଷେତ୍ରରେ ସମୟ ଅପଚୟ କରିବା ଅନୁଚିତ। ଯୁବପିଢ଼ି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ପାଇଁ ଆଗ୍ରହୀ ହେବା ବର୍ତମାନ ସମୟର ଏକ ବଡ଼ ଆହ୍ଵାନ ବୋଲି ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଜି ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ତରଫରୁ ଆୟୋଜିତ ସୃଷ୍ଟି ଷ୍ଟାର୍ଟଅପ କନକ୍ଲେଭ୍‌-୨୦୧୮ରେ ଯୋଗଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଗୋଟିଏ ସ୍ଥାୟୀ ଏବଂ ବଳିଷ୍ଠ ଅନୁଷ୍ଠାନ ଗଢ଼ିବା ପାଇଁ ସମାନ ବିଚାରଧାରାଯୁକ୍ତ ମାନବସମ୍ବଳ ଏବଂ ସେମାନଙ୍କ ମଧ୍ୟରେ ରହୁଥିବା ସୁସଂପର୍କର ଆବଶ୍ୟକତା ଉପରେ ସେ ଗୁରତ୍ୱାରୋପ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକ ମନୋଭାବ ସୃଷ୍ଟି ଲକ୍ଷ୍ୟରେ ସୃଷ୍ଟି ସେଣ୍ଟର୍‌ ଫର ଇନୋଭେସନ୍‌, ଇନକ୍ୟୁବେସନ୍‌ ଏଣ୍ଡ ଏଣ୍ଟର୍‌ପ୍ରିନିୟରସିପ୍‌ ନାମକ ସଂସ୍ଥା ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ବରିଷ୍ଠ ସିଏ ରାଜୀବ ଶେଖର ସାହୁଙ୍କ ସମେତ ବିଶିଷ୍ଟ ଉଦ୍ୟୋଗୀ ତନୟା ପଟ୍ଟନାୟକ, ସଂଘମିତ୍ରା ଜେନା, ପବନ ସୋନି, ଡ. ଏ କେ ରଥ ପ୍ରମୁଖ ଯୋଗଦେଇଥିଲେ। ସେହିପର ଉଦ୍‌ଘାଟନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ୧୬ଟି ମ୍ୟାନେଜ୍‌ମେଣ୍ଟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଦୁଇଶହରୁ ଊର୍ଧ୍ୱ ଛାତ୍ରଛାତ୍ରୀ, ୨୦ଟି ଷ୍ଟାର୍ଟଅପ୍‌ର ଯୁବ ଉଦ୍ୟୋଗୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସୃଷ୍ଟି ଏକାଡେମିର ପ୍ରତିଷ୍ଠାତା ସରୋଜ ସାହୁ, ନିର୍ଦ୍ଦେଶକ ଗଙ୍ଗାଧର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ମତ ରଖିଥିଲେ।

ସମ୍ବନ୍ଧିତ ଖବର