ମିଳିତ ଭାବେ ଗୋଟିଏ ପୁସ୍ତକମେଳା ହେଉ

ଆରମ୍ଭ ହେଲା ଭୁବନେଶ୍ୱର ପୁସ୍ତକମେଳା

ଭୁବନେଶ୍ୱର: ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଏବଂ ଓଡ଼ିଶା ଏକ ପୁସ୍ତକପ୍ରେମୀ ପ୍ରାଣର ରାଜ୍ୟ। ପୁସ୍ତକ ଯେ କଣସି ମାଧ୍ୟମରେ ଉପଲବ୍ଧ ହେଲେ ମଧ୍ୟ ପୁସ୍ତକର କୌଣସି ବିକଳ୍ପ ନାହିଁ। ଲେଖକ, ପାଠକ, ପ୍ରକାଶକଙ୍କ ସଙ୍ଗମସ୍ଥଳ ହେଉଛି ପୁସ୍ତକମେଳା। ଭୁବନେଶ୍ୱର ପୁସ୍ତକମେଳା ଓଡ଼ିଶାର ସର୍ବପୁରାତନ ପୁସ୍ତକମେଳା। ଏହା ବ୍ୟତୀତ ରାଜଧାନୀରେ ମଧ୍ୟ ଅନେକ ପୁସ୍ତକମେଳା ଅନୁଷ୍ଠିତ ହେଉଛି। ଏପରିକି ଏକ ସମୟରେ ମଧ୍ୟ ବର୍ତମାନ ଆଉ ଗୋଟିଏ ମେଳା ଚାଲିଛି। ଏପରି କରା ନଯାଉ, ଏହା ଦ୍ୱାରା ପାଠକ, ଲେଖକ, ପ୍ରକାଶକ ସମସ୍ୟାର ପଡ଼ୁଛନ୍ତି। ତେଣୁ ଭୁବନେଶ୍ୱରରେ ମିଳିତ ଭାବେ ଗୋଟିଏ ପୁସ୍ତକମେଳା କରାଯାଉ। ଏପରି କହିଛନ୍ତି, ଆନ୍ତର୍ଜାତିକ କୋଲକାତା ପୁସ୍ତକମେଳାର ସାଧାରଣ ସମ୍ପାଦକ, ବରିଷ୍ଠ ସାହିତ୍ୟିକ ତ୍ରିଦେବ କୁମାର ଚାଟାର୍ଜୀ।

୩୪ତମ ଭୁବନେଶ୍ୱର ପୁସ୍ତକମେଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ଚାଟାର୍ଜୀ ଆହୁରି କହିଲେ, ଓଡ଼ିଶା ହେଉଛି ଏକ ପୁଣ୍ୟ ମାଟି , ଏଇଠି କବି ଜୟଦେବ, ଅନ୍ନଦାଶଙ୍କର ରାୟ ଓ ସୁଭାଷ ବୋଷଙ୍କ ପରି ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି। ଓଡ଼ିଶାର ଅନେକ ଲେଖକଙ୍କ ଲେଖା ମୁଁ ପିଢ଼ିଛି। ବଙ୍ଗଳା, ଓଡ଼ିଆ, ଅହମିୟା ଗୋଟିଏ ସଂସ୍କୃତିର ସନ୍ତାନ। ଏମାନେ ପରସ୍ପର ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକମେଳା ପରି ଓଡ଼ିଶାରେ ସମସ୍ତ ପୁସ୍ତକମେଳା କମିଟି ମିଶି ଏକ ବୃହତ୍‌ ପୁସ୍ତକମେଳା କରନ୍ତୁ। ଏହା ଦ୍ୱାରା ସମସ୍ତେ ଉପକୃତ ହେବେ।

ସମ୍ମାନିତ ଅତିଥି ବିଶିଷ୍ଟ ଲେଖିକା ପାରମିତା ଶତପଥୀ କହିଲେ, ପୁସ୍ତକ ଗୋଟିଏ ଜାତିର ସଂସ୍କୃତି, ଐତିହ୍ୟର ପରିଚୟ ଅଟେ। ଯାହା ନିଜ ଜାତିର ଅସ୍ମିତା ସମ୍ପର୍କରେ ପରବର୍ତୀ ପିଢ଼ିକୁ ପରିଚୟ ପ୍ରଦାନ କରିଥାଏ। ଓଡ଼ିଆ ପୁସ୍ତକ ଏକ ଲାଭଜନକ ବ୍ୟବସାୟ ହୋଇ ନଥିଲେ ମଧ୍ୟ ଦୀଘଦିନ ଧରି ଏହା ସହ ଜଡ଼ିତ ଥିବା ବ୍ୟକ୍ତିମାନେ ଧନ୍ୟବାଦର ପାତ୍ର। ଏଥିସହିତ ଶ୍ରୀମତୀ ଶତପଥୀ ସମସ୍ତେ ମିଳିତ ଭାବେ ଗୋଟିଏ ପୁସ୍ତକମେଳା ଆୟୋଜନ କରିବାକୁ ମତ ଦେଇଥିଲେ।

ପୁସ୍ତକମେଳା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଏଥିରେ ପୌରୋହିତ୍ୟ କରି କହିଥିଲେ, ଯେ ପର୍ଯ୍ୟନ୍ତ ସମାଜ, ବ୍ୟବସ୍ଥା ବଞ୍ଚିଛି, ସେ ପର୍ଯ୍ୟନ୍ତ ପୁସ୍ତକ ବଞ୍ଚି ରହିବ। ଏଥିସହିତ ଶ୍ରୀ ଦାସବର୍ମା ଅତିଥିମାନେ ଉଦ୍‌ବେଗ ପ୍ରକାଶ କରିଥିବା ପ୍ରସଙ୍ଗ ଉପରେ ମତ ରଖି କହିଲେ, ଗୋଟିଏ ପୁସ୍ତକମେଳା ଆୟୋଜନ ହେବା ନେଇ ସମସ୍ତଙ୍କର ସହଯୋଗ ଜରୁରୀ। ଏହା ସମସ୍ତଙ୍କ ପାଇଁ ଏକ ଉତ୍ତମ ପଦକ୍ଷେପ ହେବ। ପୁସ୍ତକମେଳାର ସଦସ୍ୟ ଡ. ବୌରାଗୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଅଶୋକ ମହାନ୍ତି ଭୁବନେଶ୍ୱର ପୁସ୍ତକମେଳା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ସିଦ୍ଧାର୍ଥ ଧଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସଦସ୍ୟ ଯୁଗଳ କିଶୋର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ମେଳାର ୨୫୦ଟି ଷ୍ଟଲ ସ୍ଥାନ ପାଇଛି। ଆସନ୍ତା ୨୨ ତାରିଖରେ ମେଳା ଉଦ୍‌ଯାପିତ ହେବ।

‘ଆମ ଓଡ଼ିଶା’ର ସ୍ୱତନ୍ତ୍ର ରିହାତି

ଭୁବନେଶ୍ୱର ପୁସ୍ତକମେଳା ଆରମ୍ଭରୁ ଆଜି ‘ଆମ ଓଡ଼ିଶା’ ପୁସ୍ତକ ଷ୍ଟଲ (ନଂ ୨୨/୨୩)ରେ ଭିଡ଼ ଦେଖିବାକୁ ମିଳିଥିଲା। ଆମ ଓଡ଼ିଶା ପକ୍ଷରୁ ପୁସ୍ତକ ମେଳାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଅଫର୍‌ ପାଠକଙ୍କୁ ଆକୃଷ୍ଟ କରିଛି। ବଛା ବଛା ଗପକୁ ନେଇ ପ୍ରସ୍ତୁତ ‘କଥା ଶତକ’ ପୁସ୍ତକ ପାଞ୍ଚ ଖଣ୍ଡ ୫୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୁସ୍ତକ ମେଳାରେ ଏହା ୪୦୦ ଟଙ୍କାରେ ଉପଲବ୍ଧ। ସେହିପରି ପଣ୍ଡିତ ନୀଳକଣ୍ଠ ଦାସଙ୍କ ପିଲାଙ୍କ ରାମାୟଣ, ପିଲାଙ୍କ ଭାଗବତ, ପିଲାଙ୍କ ମହାଭାରତ ୪୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୁସ୍ତକ ମେଳାରେ ୩୦୦ ଟଙ୍କା ଦାମ୍‌ ରହିଛି। ଏଥିସହିତ ଅଖିଳ ମୋହନ ପଟ୍ଟନାୟକଙ୍କ ‘ଅଖିଳାୟନ’, ଜୟନ୍ତୀ ପଟ୍ଟନାୟକଙ୍କ ଅନୁବାଦିତ ‘କୃଷ୍ଣାବତାର’, ଦାଶ ବେନହୁରଙ୍କ ‘ପଗଡ଼ି ପୁରୁଷ’, ଗୌରହରି ଦାସଙ୍କ ‘କଥାଟିଏ’ ଓ ଅନୀଲ ଦେଙ୍କ ‘ଅର୍କକ୍ଷେତ୍ର କୋଣାର୍କ’ ଉପରେ ବିଶେଷ ରିହାତି ପ୍ରଦାନ କରାଯାଉଛି।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତି ସମ୍ମାନ

ଭୁବନେଶ୍ୱର ପୁସ୍ତକମେଳାର ପ୍ରତିଷ୍ଠାତାଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତି ସମ୍ମାନ ଚଳିତ ବର୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଏଥିନେଇ ଶ୍ରୀ ପଟ୍ଟନାୟକ ପୁସ୍ତକମେଳା କମିଟିକୁ କୃତଜ୍ଞତା ଜଣାଇବା ସହ ସ୍ୱର୍ଗତ ଧଳଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଅବତାରଣା କରିଥିଲେ। ପୁସ୍ତକମେଳା ସାରସ୍ୱତ ସମ୍ମାନରେ ବିଶିଷ୍ଟ ଗାଳ୍ପିକ ଦେବ୍ରାଜ ଲେଙ୍କା, ପଦ୍ମଜ ପାଳ ଓ ପ୍ରଫେସର ବାଉରୀବନ୍ଧୁ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବୟିତ୍ରୀ ମମତା ଦାଶଙ୍କୁ ସଚ୍ଚି ରାଉତରାୟ କବିତା ସମ୍ମାନ ଓ ସୁଲୋଚନା ଦାସଙ୍କୁ ବିଜୟକୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାମାନେ ପ୍ରତ୍ୟୁତ୍ତରରେ ଓଡ଼ିଶାର ଏପରି ପୁରାତନ ପୁସ୍ତକ ମେଳା ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ।

ରଂଜନ ପ୍ରଧାନଙ୍କ ‘ଡୁମା ଦେବତା ଓ ଅନ୍ୟାନ୍ୟ ଗପ’ ଲୋକାର୍ପିତ

ପୁସ୍ତକମେଳା ମଞ୍ଚରେ ଆଜି ଯୁବ ସାମ୍ବାଦିକ, ଗାଳ୍ପିକ ରଂଜନ ପ୍ରଧାନଙ୍କ ଗଳ୍ପ ସଂକଳନ ‘ଡୁମା ଦେବତା ଓ ଅନ୍ୟାନ୍ୟ ଗଳ୍ପ’ ଳୋକର୍ପିତ ହୋଇଯାଇଛି। ଆଦିବାସୀ ଜନଜୀବନ, ସଂସ୍କୃତିକୁ ନେଇ ଶ୍ରୀ ପ୍ରଧାନ ରଚନା କରିଥିବା ୧୪ଟି ଗଳ୍ପ ଏହି ସଂକଳନରେ ସ୍ଥାନ ପାଇଛି। ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଏହି ଗଳ୍ପଗୁଡ଼ିକ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିବାରୁ ସଂକଳନଟି ମଧ୍ୟ ଆଦୃତ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ।
ଏଥିସହିତ ଭୁବନେଶ୍ୱର ପୁସ୍ତକମେଳା ପ୍ରସ୍ତୁତ, ଯୁଗଳ କିଶୋର ଦତ୍ତ ସମ୍ପାଦିତ ‘ଗଳ୍ପ ସଂକଳନ’, ଅଶୋକ ମହାନ୍ତି ସମ୍ପାଦିତ ‘ପୁସ୍ତକ ସମୀକ୍ଷା’, ମାସିକ ପତ୍ରିକା କାଦମ୍ବିନୀ ଓ କୁନିକଥା, ଅରବିନ୍ଦ ରାୟଙ୍କ ସମ୍ପାଦିତ ‘ଜୋକର୍‌’, ଲିଲିନ୍ୟାଙ୍କ ‘ଏ ଲିଲି ବଏ’ ଡ. ଜୟନ୍ତ କୁମାର ସାହୁଙ୍କ ‘ପ୍ରଜ୍ଞା ପୁରୁଷ’, ଅମିୟ ରଞ୍ଜନ ମହାପାତ୍ରଙ୍କ ସମ୍ପାଦିତ ‘ମୁହୂର୍ତ ଏକବିଂଶ’ ଲୋକାର୍ପିତ ହୋଇଥିଲା।

 

ସମ୍ବନ୍ଧିତ ଖବର