ଆ‌ରମ୍ଭ ହେଲା କଟନ ଫ୍ୟାବ୍‌ ପ୍ରଦର୍ଶନୀ

ଭୁବନେଶ୍ୱର,: ଗୋଟିଏ ଛାତ ତଳେ ମିଳିବ ୧୨ ରାଜ୍ୟର ୧୨୨ଟି ହସ୍ତଶିଳ୍ପ ସାମଗ୍ରୀ। ଆଗକୁ ପାର୍ବଣର ମହାସମ୍ଭାର ଆସୁଥିବାରୁ ଏହାକୁ ନଜରରେ ରଖି ଖୋଲିଛି ଭଳିକି ଭଳି ହାତ ତିଆରି ଓ ଡିଜାଇନର୍‌ ପାରମ୍ପରିକ ପୋଷାକ ଏବଂ ଘରସଜ୍ଜା ସାମଗ୍ରୀର ବିରାଟ ପସରା। ଆଜି ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଛି ଏକାଦଶ ‘କଟନ ଫ୍ୟାବ୍‌ ପ୍ରଦର୍ଶନୀ’। ‘ଅୱଧ ହଥକରଘା, ହସ୍ତଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ସମିତି’ ପକ୍ଷରୁ ରେଶମ ଓ ସୂତା ବସ୍ତ୍ରକୁ ସମ୍ଭାର କରି ଏହି ବିରାଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ‌ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରାୟ ୧୨ଟି ରାଜ୍ୟର ବୁଣାକାରମାନେ ଯୋଗ ଦେବେ। ଓଡ଼ିଶାର ସମ୍ବଲପୁରୀ ଓ ଇକ୍କତ ସହ ଲକ୍ଷ୍ନୌର ଚିକନ୍‌ଵାକ୍‌ ଓ ଗୁଜୁରାଟର ଏଥିନିକ୍‌ ପ୍ରିଣ୍ଟ୍‌ ପୋଷାକ, ଶାଢ଼ି, କୁର୍ତ୍ତା, ପାଇଜାମା, ଟପସ୍‌, ରାଜସ୍ଥାନୀ ବ୍ଲକ୍‌ ପ୍ରିଣ୍ଟ୍ରେଡ୍‌, କୋଟା ଦରୀ ପୋଷାକ, ଲେହେଙ୍ଗା ଛୋଲି, ମଲମଲ, ବନ୍ଧେଜ ସୁଟ୍ସ୍‌, ପଞ୍ଜାବୀ ଫୁଲ୍‌କରି ପୋଷାକ, ପଟିଆଲା, ମଧ୍ୟପ୍ରଦେଶ ମହେଶ୍ୱରୀ, ବାଗ୍‌ ପ୍ରିଣ୍ଟ୍‌, ବାଟିକ୍‌ ପ୍ରିଣ୍ଟ, ପଶ୍ଚିମବଙ୍ଗର ଶାନ୍ତି ନିକେତନ ତନ୍ତ, କନ୍ଥା, ଧକାଇ ଜାମଦାନୀ ଶାଢ଼ି, ଟସର, ଅ‌ାନ୍ଧ୍ର କଲାମକରୀ, ମଙ୍ଗଲଗିରି, ତାମିଲନାଡୁ ମଦୁରାଇ ଶାଢ଼ି ଉପଲବ୍ଧ ହେବ। ଏହାସହ ବିଭିନ୍ନ ପ୍ରକାର ହାତ ତିଆରି ଗହଣା ଓ ଖେଳଣା ମଧ୍ୟ ପ୍ରଦର୍ଶନୀରେ ରହିଛି। ପ୍ରଦର୍ଶନୀରେ ପ୍ରାୟ ୧୨୨ଟି ଷ୍ଟଲ୍‌ ପଡ଼ିବା ସହ ମନ୍‌ସୁନ୍‌ ସିଜିନ୍‌ ସେଲ୍‌ ଓ ପୂଜା ପାଇଁ ଏକ ବଡ଼ ବଜାର ସୃଷ୍ଟି କରାଯାଇଛି। ଗତବର୍ଷ ପ୍ରାୟ ୧ କୋଟିରୁ ଊର୍ଧ୍ବ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ଚଳିତ ବର୍ଷ ଏହା ଅଧିକ ହେବ ବୋଲି କଟନ୍‌ ଫ୍ୟାବ୍‌ର ସମ୍ପାଦକ ଜାଭେଦ୍‌ ଆଲମ୍‌ ଆଶା ପ୍ରକାଶ କରିଛନ୍ତି। ପ୍ରଦର୍ଶନୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର