ଆରମ୍ଭ ହେଲା ଓଡ଼ିଶା ସାଂସ୍କୃତିକ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା କଲ୍‌ଚରାଲ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଆଜିଠାରୁ ଜୟଦେବ ଭବନରେ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ସାଂସ୍କୃତିକ ମହୋତ୍ସବ। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଫାଦର ମଦନଙ୍କ ନିର୍ଦ୍ଦେଶନାରେ ଆଦିବାସୀ କଳାକାରମାନଙ୍କୁ ନେଇ କନ୍ଧମାଳର ଜନବିକାଶ କଲ୍‌ଚରାଲ୍‌ ଟିମ୍‌ ଦ୍ୱାରା ପରିବେଷିତ ହୋଇଥିଲା କୁଇ ଓ ଚାଙ୍ଗୁ ନୃତ୍ୟ। ଏହା ବାଦ୍‌ ଓଡ଼ିଶୀ, ମାହାରୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଯୁବଶିଳ୍ପୀ ସ୍ମିତେଶ ମହାପାତ୍ରଙ୍କୁ ‘ଶିଳ୍ପୀଗୁରୁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଗୁରୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଓଡ଼ିଶା କଲ୍‌ଚରାଲ୍‌ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଏସ୍‌.କେ. ଟାମୋଟିଆ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଆଇପିଏସ୍‌ ଅଧିକାରୀ ସତ୍ୟଜିତ ନାୟକ ଓ ସଂଗୀତ ନିର୍ଦ୍ଦେଶକ ବୁବୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଟ୍ରଷ୍ଟି ସସ୍ମିତା ହୋତା ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର