ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ପ୍ରଦାନ ଉତ୍ସବ

ଚନ୍ଦ୍ରଶେଖରପୁର: ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ‘ବାଣିଜ୍ୟ ନେତୃତ୍ୱ ସମ୍ମାନ-୨୦୨୦’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ଏହି ଉତ୍ସବକୁ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଥିଲେ। ଏଥିରେ ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଆୟକର ବିଭାଗର ମୁଖ୍ୟ କମିସନର ପ୍ରଣବ କୁମାର ଦାସ, ଇ ଆଣ୍ଡ୍‌ ଇଟି ବିଭାଗର ସଚିବ ମନୋଜ କୁମାର ମିଶ୍ର, ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଫାଲ୍‌କନ୍ ମେରାଇନ୍‌ର ପ୍ରତିଷ୍ଠାତା ତାରାରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।

ପତ୍ରିକାର ସମୂହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବ ପରେ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓଡ଼ିଶାର ୨୦ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ-୨୦୨୦’ରେ ସମ୍ମାନିତ କରାଯାଇଥିଲା। ଏଥିସହ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ‘ଗ୍ଲାଡିଏଟର୍ ୱାରିଅର’ର ଲୋକାର୍ପଣ କରାଯାଇଥିଲା। ପତ୍ରିକାର ସହ ସମ୍ପାଦକ ଶୁଭୋଜିତ୍ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର