ଅବହେଳାର ଶିକାର ହେଉଛନ୍ତି ଚାଷୀ

ରାଜ୍ୟସ୍ତରୀୟ ଜୈବିକ କୃଷକ ସମ୍ମିଳନୀ

ଭୁବନେଶ୍ୱର : ପ୍ରତିବର୍ଷ ଦେଶରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତିି। ଏହି ସମୟ ମଧ୍ୟରେ ଯଦି ୧୨୦୦ ଡାକ୍ତର କିମ୍ବା ଓକିଲ, ଅଥବା ଦୁଇ ଶହ ଆଇଏଏସ୍‌ ଅଧିକାରୀ ଆତ୍ମହତ୍ୟା କରିଥାନ୍ତେ ତେବେ ଦେଶର ଅବସ୍ଥା ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା। ୧୯୭୦ରେ ଧାନ ଏବଂ ଗହମର ସହାୟକ ମୂଲ୍ୟ ଯେତିକି ରହିଥିଲା ୨୦୧୭ରେ ମାତ୍ର ୧୯ ଗୁଣା ବୃଦ୍ଧି ପାଇଛି। ହେଲେ ୪୭ ବର୍ଷ ମଧ୍ୟରେ ସ୍କୁଲ ଶିକ୍ଷକଙ୍କ ଦରମା ୨୮୦ ଗୁଣ, ସରକାରୀ କର୍ମଚାରୀଙ୍କର ଦରମା ୧୨୦ରୁ ୧୭୫ ଗୁଣ ଏବଂ ଘରୋଇ କର୍ମଚାରୀଙ୍କ ଦରମା ୩୦୦ରୁ ହଜାରେ ଗୁଣ ପର୍ଯ୍ୟନ୍ତ ବଢ଼ିଛି। ଏଥିପ୍ର୍ରତି କେହି ବି ଗୁରୁତ୍ୱ ଦେଉନାହାନ୍ତି। ଚାଷୀଙ୍କୁ ସର୍ବଦା ଅବହେଳା କରାଯାଉଛି ବୋଲି ଅଗ୍ରଗାମୀ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ଆଜି ଆୟୋଜିତ ‘ରାଜ୍ୟସ୍ତରୀୟ ଜୈବିକ କୃଷକ ସମ୍ମିଳନୀ’ରେ ଯୋଗଦେଇ ଖାଦ୍ୟ ଓ ବ୍ୟବସାୟୀ ନୀତି ବିଶେଷଜ୍ଞ ଦେବେନ୍ଦ୍ର ଶର୍ମା କହିଛନ୍ତି।

ପରିବେଶବିତ୍‌ ପ୍ରଫେସର ରାଧାମୋହନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆଗଭଳି ଜୈବିକ ପ୍ରଣାଳୀରେ ଚାଷ ହେଉନି। ଯେଉଁମାନେ ବି ଦେଶୀ ଧାନ ଚାଷ କରୁଛନ୍ତି ତାହାକୁ ମଣ୍ଡିରେ କିଣାଯାଉ ନାହିଁ। ଏଥିପ୍ରତି ଗୁରୁତ୍ୱ ଦେବାର ସମୟ ଆସିଛି। ଜୈବିକ ଚାଷ ପ୍ରତି କୃଷକଙ୍କୁ ପ୍ରୋତ୍ସାହିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଜୈବିକ ଚାଷକୁ ରଖାଯାଉ। କୃଷକଙ୍କ ଲାଗି ହେଉଥିବା ନୀତିରେ ବି ପରିବର୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଉନ୍ନୟନ କମିସନର ଆର୍‌. ବାଲକ୍ରିଷ୍ଣନ୍‌ ମୁଖ୍ୟବକ୍ତାଭାବେ ଯୋଗଦେଇ ଜୈବିକ କୃଷିର ସ୍ଥିତି ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀରେ ୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଚାଷୀଙ୍କ ସମସ୍ୟା ଓ ସମାଧାନ ଉପରେ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର