ମାନବ ଚାଲାଣ ମୂଳପୋଛ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ବର: ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ଦୋଷୀମାନଙ୍କୁ ଅତି କଠୋର ଦଣ୍ଡ ମିଳିଥିବାର ପ୍ରମାଣ ଯୁଗେ ଯୁଗେ ରହିଛି। ଦ୍ରୌପଦୀଙ୍କୁ ନିର୍ଯାତନା ଦେଇଥିବା କୁରୁବଂଶ ମହାଭାରତ ମାଟିରେ ବିଲୀନ ହୋଇଯିବା କଥା ଆମେ ସମସ୍ତେ ଜାଣୁ। ତଥାପି ବର୍ତ୍ତମାନର ଯୁଗରେ ନାରୀମାନେ ନିର୍ଯାତିତ ହେଉଛନ୍ତି। ସେମାନଙ୍କୁ ବିଭିନ୍ନ ଉଦ୍ଦେଶ୍ୟରେ ଚାଲାଣ କରାଯାଉଛି। ଅନ୍ୟ ଦେଶମାନଙ୍କଠାରୁ ଭାରତ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ। କିନ୍ତୁ ମାନବଚାଲାଣ ଏକ ବ୍ୟାଧି ଭାବେ ଏବେ ବି ଆମ ସମାଜରେ ନିଜର ସ୍ଥିତାବସ୍ଥା ବଜାୟ ରଖିଛି। ଶିଶୁ ଓ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଏହା ଏକ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ତେଣୁ ଏହାର ମୂଳୋତ୍ପାଟନ ଜରୁରୀ। ଆଧୁନିକ ଜ୍ଞାନକୌଶଳ ଓ ନାଗରିକ ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇ ପାରିବ। ସିଆଇଡି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ଥାନୀୟ ପୁଲିସ ଭବନ ପରିସରରେ ଅନୁଷ୍ଠିତ ମାନବ ଚାଲାଣ ଉପରେ ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆଜି ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମିସନ ଶକ୍ତି ଆୟୁକ୍ତ ସୁଜାତା ଆର. କା‌ର୍ତ୍ତିକେୟ ଯୋଗଦେଇ କହିଛନ୍ତି, ମାନବ ଚାଲାଣ ଏକ ଗର୍ହିତ ଅପରାଧ। କିନ୍ତୁ କିଛି ଅସାମାଜିକ ଚତୁରତାର ସହ ଏହି ବେଆଇନ କାମ କରୁଛନ୍ତି। ସେହିପରି ଚାଲାଣ ହେବା ପରେ ଉଦ୍ଧାର ହେଉଥିବା ସଂଖ୍ୟାର ୫୧ ପ୍ରତିଶତ ମହିଳା ହୋଇଥିବା ବେଳେ ଶିଶୁଙ୍କ ଭାଗ ରହିଛି ୨୮ପ୍ରତିଶତ। ଏହି ତଥ୍ୟ ଅତ୍ୟନ୍ତ ଉଦ୍‌ବେଗଜନକ। କିନ୍ତୁ ଏହି ମାନବ ଚାଲାଣ କାରବାରର ମୂଳ ଅନେକ ତଳକୁ ଯାଇଥିଲେ ମଧ୍ୟ ଏହାକୁ ମୂଳପୋଛ କରାଯାଇ ପାରିବ ବୋଲି ସେ ଆଶାପୋଷଣ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ବାଗତ ଭାଷଣ ଦେଇ କହିଛନ୍ତି, ମାନବ ଚାଲାଣ ରୋକିବା ଆମ ପାଇଁ ଏକ ଆହ୍ବାନ। ଅନେକ ଜାଗାରେ ପରିବାର ସଦସ୍ୟ ହିଁ ଏହାର ସମର୍ଥନରେ ଥିବାରୁ ଏହା ବୃଦ୍ଧି ପାଉଛି। ଏଥିପାଇଁ ବ୍ୟାପକ ସଚେତନତା ଜରୁରୀ। ଏହାସହ ପରିବାରବର୍ଗଙ୍କ ସମସ୍ୟା ସମାଧାନ ଓ ଚାଲାଣକାରୀ ଉପରେ ନଜର ରଖିବା ପାଇଁ ଯୋଜନା ହେଉଛି ବୋଲି ସେ କହିଛନ୍ତି।

ରିସୋର୍ସ ପର୍ସନ ଭାବରେ ପୂର୍ବତନ ସିବିଆଇ ଡିଜି ପିଏନ୍‌ ନାୟାର କହିଛନ୍ତି, ଆର୍ଥିକ ଅନଟନର ଶିକାର ହୋଇ ପରିବାରର ସହମତିରେ ହେଉଥିବା ଚାଲାଣ ସମସ୍ୟା ତ ସାଧାରଣ କଥା। କିନ୍ତୁ ଏବେ ଚାଲାଣର ଶୈଳୀ ବଦଳିଛି। ଇଣ୍ଟରନେଟ୍‌ ଜରିଆରେ ଚାଲାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ମୋବାଇଲ ୨୪ ଘଣ୍ଟା ଇଣ୍ଟରନେଟ୍‌ ସହ ସଂଯୁକ୍ତ ରହୁଛି। ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଲୋଭନୀୟ ବିଜ୍ଞାପନ ଦ୍ବାରା ମାନବ ଚାଲାଣ ଆରମ୍ଭ ହୋଇଛି। ଏହି ନୂଆ କୌଶଳ ସହ ପୁଲିସ ଅଭ୍ୟସ୍ତ ହୋଇ ନାହିଁ। ଏଣୁ ମାନବ ଚାଲାଣର ମୂଳୋତ୍ପାଟନ କରିବାକୁ ହେଲେ ଏସବୁ ଉପରେ ପୁଲିସ ଗୁରୁତ୍ବ ଦେବା ସହ ସଶକ୍ତ ହେବା ଜରୁରୀ ବୋଲି ଶ୍ରୀ ନାୟାର କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ମହାନିର୍ଦ୍ଦେଶକ(ଅପରାଧ) ସନ୍ତୋଷ କୁମାର ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପୁଲିସ ମାନୁଆଲ ଓ ମାନବ ଚାଲାଣକୁ ନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ସହାୟତାରେ ହୋଇଥିବା ସର୍ବେକ୍ଷଣର ‘ଷ୍ଟଡି ରିପୋର୍ଟ’ ଉନ୍ମୋଚିତ ହୋଇଥିଲା। ପରୀ-୨ରେ ସାମିଲ ହୋଇଥିବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପୁଲିସ ବିଭାଗର କେତେକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ହୋଇଥିବା ବୈଷୟିକ ଅଧିବେଶନରେ ଡ. ସୁନିତା କ୍ରିଷ୍ଣନ୍‌, ତେଲେଙ୍ଗାନା ରଚକୋଣ୍ଡା ପୁଲିସ କମିସନର ମହେଶ ଭଗତ, ତିରୁପତି ଡେପୁଟି ଡାଇରେକ୍ଟର, ପିପିଏସ୍‌ଆରଏ ରୋଜଦାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ରିଡର ଡ. ରତ୍ନାବଳୀ ସିହ୍ନା ପ୍ରମୁଖ ଯୋଗଦେଇ ମାନବ ଚାଲାଣର ବିଭିନ୍ନ ଦିଗ ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ପାଖାପାଖି ଦେଢ଼ଶହ ପୁଲିସ ଅଧିକାରୀଙ୍କ ସମେତ ସରକାରୀ ଓକିଲ, ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ଓ କେତେକ ଏନ୍‌ଜିଓରୁ କର୍ମକର୍ତ୍ତା ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର