ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଜବ ନିୟମ : ସନ୍ଧ୍ୟା ସାଢ଼େ ୫ଟା ପରେ ଅଫିସ୍ରେ ରହିବେନି ମହିଳା କର୍ମଚାରୀ
ଭୁବନେଶ୍ବର : ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ତଥା ନିର୍ମାଣ ସୌଧସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ (ଡିଜାଇନ୍ ଓ ପ୍ଲାନିଂ) ଗୌତମ ପାଲ୍ ଜାରି କରିଥିବା ଏକ ନିର୍ଦ୍ଦେଶନାମାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଶ୍ରୀ ପାଲ୍ ବୁଧବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ, ବିଶେଷ କାମ ନ ଥିଲେ ତାଙ୍କ ଅଫିସ୍ରେ ଅପରାହ୍ନ ୫ଟା ୩୦ ପରେ କୌଣସି ମହିଳା କର୍ମଚାରୀ ରହିବେନି। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରି ନ ଥିଲେ ହେଁ ପୂର୍ତ୍ତ ବିଭାଗର ଏକ ଅଫିସ୍ରେ ଏହିଭଳି ନିର୍ଦ୍ଦେଶନାମା ଜାରି ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏ ନେଇ ଶ୍ରୀ ପାଲ୍ କହିଛନ୍ତି ଯେ, ମୋ ଅଫିସ୍ରେ ପ୍ରାୟ ୧୦ଜଣ ମହିଳା କର୍ମଚାରୀ କାମ କରୁଛନ୍ତି। ଅଧିକାଂଶ ଦୂରରୁ ଆସୁଛନ୍ତି। ତେଣୁ ସେମାନଙ୍କ ଯାତାୟାତରେ ଯେପରି କୌଣସି ସମସ୍ୟା ଉପୁଜିବନି, ସେମାନେ ସୁରକ୍ଷିତ ଭାବେ ଅଫିସରୁ ଘରକୁ ଯିବେ ତାହାକୁ ନଜରରେ ରଖି ଏହି ନିର୍ଦ୍ଦେଶନାମା ହୋଇଛି। ସେମାନେ ପୂର୍ବାହ୍ନ ୧୦ଟାରେ ଅଫିସ୍ରେ ଆସିବେ ଓ କାମ ନ ଥିଲେ ଅପରାହ୍ନ ୫ଟା ୩୦ରେ ଘରକୁ ଯାଇପାରିବେ। ଯିଏ ତାଙ୍କୁ ଅଫିସରେ ରଖିବେ ସେ କ’ଣ ପାଇଁ ରଖିଛନ୍ତି ତାହା ମୋତେ ଜଣାଇବେ। ମୋ ଅଫିସ୍ରେ କର୍ମଚାରୀଙ୍କ ପାଇଁ ମୁଁ ନିଷ୍ପତ୍ତି ନେଇଛି। ଏଥିରେ ସମସ୍ୟା କ’ଣ? ଅଧୀକ୍ଷଣ ଯନ୍ତ୍ରୀ ଏହିଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଏନେଇ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅନିଲ ତ୍ରିପାଠୀ ଅବଗତ ନାହାନ୍ତି ବୋଲି କହିଛନ୍ତି।
ଅପରପକ୍ଷେ ନିର୍ମାଣ ସୌଧରେ ଏଭଳି ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ନିର୍ମାଣ ସୌଧରେ କ’ଣ ମହିଳାମାନେ ସୁରକ୍ଷିତ ନୁହନ୍ତି? ନା ରାଜଧାନୀରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଅନୁଭବ କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି?