କ୍ୟାପିଟାଲ ଥାନା ଆଇଆଇସିଙ୍କୁ ହଟାଇବା ଦାବିରେ ଗର୍ଜିଲା ଛାତ୍ର କଂଗ୍ରେସ

ନିଶା କାରବାର, ଅପରାଧ ରୋକିବାରେ ପୁଲିସ ଫେଲ୍ ଅଭିଯୋଗ
ଥାନା ଘେରାଉ, ଉତ୍ତେଜନା
୧୦ରୁ ଅଧିକ କର୍ମୀଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର : କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଅପରାଧ, ନିଶା କାରବାର ରୋକିବାରେ ଫେଲ୍ ମାରିଛନ୍ତି। ଲୁଟ୍, ଛିନତାଇ ଏକ ନିତିଦିଆ ଘଟଣା ପାଲଟି ଯାଇଛି। ରବିବାର ସନ୍ଧ୍ୟାରେ ଏଭଳି ଅଭିଯୋଗ ଆଣି ଥାନା ଘେରାଉ କରିଛି ଛାତ୍ର କଂଗ୍ରେସ।

କ୍ୟାପିଟାଲ ଥାନା ଅଞ୍ଚଳ ଅସୁରକ୍ଷିତ ହୋଇ ପଡ଼ିଥିବା ଦାବି କରି ଛାତ୍ର କଂଗ୍ରେସ ସଭାପତି ୟାସିର ନଵାଜଙ୍କ ନେତୃତ୍ବରେ ଶତାଧିକ କର୍ମୀ ଥାନା ନିକଟରେ ପହଞ୍ଚିଥିଲେ। ଆଇଆଇସି ଶ୍ରୀ ଚକ୍ରବର୍ତ୍ତୀଙ୍କୁ ହଟାଇବା ପାଇଁ ଦାବି କରିଥିଲେ। ଏପରିକି ଡିଏସପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହୋଇଥିଲେ ମଧ୍ୟ ଜଣେ ଶାସକ ଦଳର ନେତାଙ୍କ ଚାପରେ ତାଙ୍କୁ ବଦଳା ଯାଉ ନ ଥିବା ୟାସିର ଗଣମାଧ୍ୟମ ଆଗରେ କହିଛନ୍ତି। ଥାନା ଘେରାଉ ଯୋଗୁଁ ପ୍ରାୟ ଅଧଘଣ୍ଟାଏ ଧରି ଉତ୍ତେଜନା ପ୍ରକାଶ ପାଇବା ପରେ ୧୦ରୁ ଅଧିକ କର୍ମୀଙ୍କୁ ଉଠାଇ ନେଇଥିଲା ପୁଲିସ। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା। ପୁଲିସ ଫୋର୍ସ ମୁତୟନ ସହ ଜୋନ୍-୧ ଏସିପି ମାନସ ଗଡ଼ନାୟକ, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଛାତ୍ର କଂଗ୍ରେସ ଅଭିଯୋଗ ଉପରେ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର