ସ୍ଥାନାନ୍ତର ହେବ ‌ଉପଜିଲ୍ଲାପାଳ ଓ ତହସିଲ୍‌ କାର୍ଯ୍ୟାଳୟ

ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ପାଇଁ ଭଙ୍ଗା ହେବ

ଟ୍ରିବୁନାଲ୍‌ କୋଠାରେ ଅସ୍ଥାୟୀ ଭାବେ ଚାଲିବ
ସଂଗ୍ରହାଳୟ ପଛ ପାର୍ଶ୍ବରେ ବସ୍ତି ଭାଙ୍ଗି ନୂଆ କାର୍ଯ୍ୟାଳୟ ନିର୍ମାଣ ହେବ

ଭୁବନେଶ୍ୱର : ଭୁବନେଶ୍ବର କୋର୍ଟ ପରିସରରେ ନିର୍ମାଣ ହେଉଥିବା ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ପାଇଁ ଖୁବ୍‌ ଶୀଘ୍ର ଭୁବନେଶ୍ବର ଉପଜିଲ୍ଲାପାଳ ଓ ତହସିଲ୍ କାର୍ଯ୍ୟାଳୟ ଭଙ୍ଗା ହେବ। ଏହି ଦୁଇଟି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କ’ଣ ବିକଳ୍ପ ବ୍ୟବସ୍ଥା କରିଛି ଏବଂ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟର ନିର୍ମାଣ ନେଇ ବିଭାଗ କ’ଣ ଯୋଜନା କରିଛି ତାହା ଜଣାଇବାକୁ ପୂର୍ତ୍ତ ବିଭାଗ ରାଜସ୍ବ ବିଭାଗକୁ ଚିଠି ଲେଖିଛି।

ମାର୍ଚ୍ଚ ୧୧, ୨୦୧୮ରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ। ପ୍ରାୟ ୧୦୦କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି କୋର୍ଟ କମ୍ପ୍ଲେକ୍ସ ପ୍ରାୟ ୫୭ହଜାର ବର୍ଗଫୁଟର ନିର୍ମାଣ ହେଉଛି। ଏବେ କୋର୍ଟ ପରିସରରେ ଥିବା ବିଭିନ୍ନ କୋଠା, ଦୋକାନ ଭାଙ୍ଗି ନିର୍ମାଣ କାମ ଚାଲିଥିବାବେଳେ ତହସିଲ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭ‌ାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏହି ଦୁଇଟି କାର୍ଯ୍ୟାଳୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଠାରେ ବହୁ ଦରକାରୀ ନଥିପତ୍ର, ରାଜଧାନୀର ଜମିଜମା ରେକର୍ଡ, ପଟ୍ଟା, ଦଲିଲ୍‌ ଆଦି ଥିବାରୁ ଏହି କାର୍ଯ୍ୟାଳୟକୁ ଭାଙ୍ଗିବା ପୂର୍ବରୁ ସମସ୍ତ ନଥିପତ୍ର ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ଏବଂ ଅଫିସ୍‌ ପୂର୍ବଭଳି ଯେପରି କାର୍ଯ୍ୟକ୍ଷମ ହେବ ତାହା ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ତହସିଲ୍‌ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ ସେଠାରେ ପ୍ରାୟ ୬ହଜାର ବର୍ଗମିଟରର ୫ମହଲା କୋଠା ନିର୍ମାଣ ହେବ। ଏହା ବି+ଜି+୩ ମହଲା ବିଶିଷ୍ଟ କୋଠା ହେବ। ବେସ୍‌ମେଣ୍ଟରେ ଗାଡ଼ି ପାର୍କିଂ ବ୍ୟବସ୍ଥା ରହିବ। ଆଉ ୪ମହଲା କୋର୍ଟ କମ୍ପ୍ଲେକ୍ସ ହେବ। ଭୁବନେଶ୍ବର ଓ ଖୋର୍ଦ୍ଧାରେ ଯେତେ କୋର୍ଟ ଅଛି ସବୁ ଏଠାରେ କାର୍ଯ୍ୟକ୍ଷମ ହେବ। କେବଳ ଏତିକି ନୁହେଁ ଏଠାରେ ବିଭିନ୍ନ ଟ୍ରିବ୍ୟୁନାଲକୁ ରଖିବାକୁ ଯୋଜନା ଅଛି। ସେହିପରି ତହସିଲ୍‌ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଭାଙ୍ଗିଲେ ‌ଏହାକୁ କୋର୍ଟ ପଛପଟେ ଥିବା ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ବିଲଡିଂକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବାକୁ ଯୋଜନା ଅଛି। ଏବେ ସ୍ୟାଟ୍‌ କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବାରୁ ଏଠାରେ ଦୁଇଟି ଯାକ ଅଫିସ୍‌ କିଛି ବର୍ଷ ପାଇଁ ଚାଲିବ। ଏହାପରେ ଭଞ୍ଜକଳା ମଣ୍ଡପ ଓ ରାଜ୍ୟ ସଂଗ୍ରହାଳୟ ପଛପାର୍ଶ୍ବରେ ଥିବା ବସ୍ତିକୁ ଭାଙ୍ଗି ନୂଆ ତହସିଲ୍‌ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ହେବ। ଏନେଇ ପୂର୍ତ୍ତ ବିଭାଗ, ରାଜସ୍ବ ବିଭାଗର ଅଧିକାରୀମାନେ ପ୍ରାଥମିକ ସର୍ଭେ ଶେଷ କରିଥିବାବେଳେ କେତେ ଅର୍ଥ ଖର୍ଚ୍ଚ ହେବ, କେବେ କାମ ଆରମ୍ଭ ହେବ ସେନେଇ ନିଷ୍ପତ୍ତି ହୋଇନି। ଏଠାରେ ପ୍ରାୟ ସାଢ଼େ ୪ଏକର ଜମି ଥିବାବେଳେ ଏହା ଜବରଦଖଲରେ ଅଛି। ତେଣୁ ଏହାକୁ ଉଚ୍ଛେଦ କରି ସେଠାରେ ସରକାରୀ କୋଠା ନିର୍ମାଣ ହେବ ବୋଲି ଯୋଜନା ହୋଇଛି।

ସମ୍ବନ୍ଧିତ ଖବର