ସୁନ୍ଦରପଦା ଦୀପକ ହତ୍ୟା ମାମଲା: ହଜ୍‌ ପୋଖରୀ ନିକଟରେ ପାଚେରି ପଡ଼ିଲା

ଭୁବନେଶ୍ୱର : ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ଏବେ ବି କପିଳେଶ୍ବରର ୨ ଅଭିଯୁକ୍ତ ଫେରାର୍ ଅଛନ୍ତି। ପୁଲିସ ସେମାନଙ୍କ ଟେର୍‌ ପାଇ ନାହିଁ। ଏଣେ ହଜ୍‌ ପୋଖରୀ ନିକଟରେ ପାଚେରି ତିଆରି କରାଯାଇଛି। କପିଳେଶ୍ବର ଗାଁ ଦିଗରୁ ପୋଖରୀକୁ ଥିବା ରାସ୍ତାକୁ ବନ୍ଦ କରିବା ପାଇଁ ଏହି ପାଚେରି ତିଆରି ହୋଇଛି। କପିଳେଶ୍ବର ଓ ସୁନ୍ଦରପଦା ମଧ୍ୟରେ ଉପୁଜିବାକୁ ଥିବା ବିବାଦକୁ ଏଡ଼ାଇବା ପାଇଁ ହଜ୍‌ ପୋଖରୀ ନିକଟରେ ସୁନ୍ଦରପଦା ଓ କପିଳପ୍ରସାଦ ଗ୍ରାମବାସୀ ଏହି ପାଚେରି ତିଆରି କରିଛନ୍ତି। ପ୍ରାୟ ୧୫ ଶହ ପଥରରେ ୭ଫୁଟ୍‌ ଉଚ୍ଚତା ଓ ୫୦ ଫୁଟ୍‌ ଲମ୍ବର ଏହି ପାଚେରି ତିଆରି ହୋଇଛି।

ଗତ ୩ ତାରିଖରେ ଗ୍ରାମର ବୈଠକ ଅନୁଯାୟୀ କପିଳେଶ୍ବର ଗ୍ରାମ ପଟୁ ହଜ୍‌ ପୋଖରୀ ରାସ୍ତାକୁ ବନ୍ଦ କରାଯିବାକୁ ନିଷ୍ପତି ହୋଇଥିଲା। ଆଜି ପୂର୍ବାହ୍ନରେ ଗ୍ରାମବାସୀ ଏକତ୍ରିତ ହୋଇ ଏହି ପାଚେରି ନିର୍ମାଣ କରାଇଥିଲେ। ଏପଟେ ହତ୍ୟା ମାମଲାରେ ପୁଲିସ ରିମାଣ୍ଡରେ ଥିବା କପିଳେଶ୍ବର ଗ୍ରାମର ୩ ଅଭିଯୁକ୍ତ ଭିକି, ସୁଜିତ୍ ଓ ଗୁନୁକୁ ଜେଲ୍‌କୁ ପଠାଯାଇଛି। ସେହି ସମୟରେ ଏୟାରଫିଲ୍‌ଡ୍‌ ଥାନା ପୁଲିସ କପିଳେଶ୍ବର ଗ୍ରାମର ଆଉ ଦୁଇ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ରାଜା ଓରଫ ପ୍ରଭୁ ପ୍ରସାଦ ମଲିଆ(୨୮) ଓ ସପୁ ଓରଫ ଅଭିଷେକ ମଲିଆ(୨୧)। ସେତେବେଳେ ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ୪ଟି ଖଣ୍ଡା ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର