ଆଜି ସନ୍ଧ୍ୟାରେ‌ ଦୃଶ୍ୟମାନ ହେଲା ସୁପରମୁନ୍‌

ଭୁବନେଶ୍ବର: ଆଜି ସନ୍ଧ୍ୟାରେ‌ ଦେଖିବାକୁ ମିଳିଛି ଚଳିତ ବର୍ଷର ସବୁଠୁ ଉଜ୍ଜ୍ବଳତମ ପୂର୍ଣ୍ଣଚନ୍ଦ୍ର। ସାଧାରଣ ପୂର୍ଣ୍ଣିମାଠାରୁ ଏହା ୬ ପ୍ରତିଶତ ବଡ଼ ହୋଇଥିବା ବେଳେ ୨୫ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯାଇଛି। ଲକ୍‌ଡାଉନରେ ଘରେ ଥିବା ଅନେକ ଲୋକେ ଏହାକୁ ଉପଭୋଗ କରିଛନ୍ତି। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏହା ଆଜି ସନ୍ଧ୍ୟାରୁ ୮ତାରିଖ ଭୋର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଡ.ପଟ୍ଟନାୟକ ଏହି ସୁପରମୁନ ସମ୍ବନ୍ଧରେ ମତ ରଖି କହିଛନ୍ତି, ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୮ ଦିନରେ ଥରେ ଅଣ୍ଡାକୃତି ପଥରେ ବୁଲିଥାଏ। ପ୍ରାୟ ୨୯ ଦିନରେ ଥରେ ପୂର୍ଣ୍ଣମୀ ପଡ଼ିଥାଏ। ଅଣ୍ଡାକୃତି ପଥରେ ଘୂରୁଥିବାରୁ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହୁଥିବା ‌ବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ। ପୃଥିବୀର ନିକଟରେ ଥିବା ସମୟରେ ଯଦି ଏକ ପୂର୍ଣ୍ଣମୀ ପଡ଼େ ତେବେ ଚନ୍ଦ୍ରର ଆକାର ଆମକୁ ଅଳ୍ପ ବଡ଼ ଦେଖାଯାଏ। ଏହାକୁ ଲକ୍ଷ୍ୟ କରି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ସୁପରମୁନ ଶବ୍ଦଟି ପ୍ରଚଳନ କରିଥିଲେ। ପରେ ଏହା ଲୋକପ୍ରିୟ ହୋଇ ବହୁଳ ଭାବରେ ବ୍ୟବହାର ହେଉଛି। ରିଚାର୍ଡ ନଲଙ୍କ ମତରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା’ଠୁ କମ ଦୂରରେ ଥାଏ ତେବେ ସେଇ ସମୟରେ ପଡ଼ୁଥିବା ପୂର୍ଣ୍ଣମୀକୁ ସୁପରମୁନ କୁହାଯାଏ। ଅର୍ଥାତ ଚନ୍ଦ୍ର ଆମଠାରୁ ୩.୬୧ ଲକ୍ଷ କିଲୋମିଟର ବା ତା’ଠୁ ନିକଟରେ ଥିବା ସମୟରେ ସେ ସମୟରେ ଚନ୍ଦ୍ରକୁ ସୁପରମୁନ କୁହାଯାଏ।

ସେହିଭଳି ବର୍ତମାନ ସନ୍ଧ୍ୟାରେ ପଶ୍ଚିମ ଆକାଶରେ ଶୁକ୍ର ଗ୍ରହ ଅତି ଉଜ୍ଜ୍ବଳ ଦୃଶ୍ୟମାନ ହେଉଛି। ଭୋର ସମୟରେ ପୂର୍ବ ଆକାଶରେ ମଙ୍ଗଳ, ଶନି ଓ ବୃହସ୍ପତି ଗ୍ରହ ପାଖାପାଖି ରହି ଖୁବ ସୁନ୍ଦର ଦୃଶ୍ୟମାନ ହେଉଛି। ଏହି ଗ୍ରହଗୁଡ଼ିକ ମଧ୍ୟ ଏପ୍ରିଲ ମାସ ସାରା ଦେଖାଯିବ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର