ସ୍ୱଚ୍ଛତା ର୍ୟାଙ୍କିଙ୍ଗ୍ରେ ସାମିଲ୍ ହେବେ ହସ୍ପିଟାଲ
ନଭେମ୍ବର ୧୫ ଯାଏ ଗ୍ରହଣ ହେବ ନାମାଙ୍କନ
ଭୁବନେଶ୍ୱର : ପ୍ରଥମ ଥର ପାଇଁ ସ୍ୱଚ୍ଛ ସର୍ଭେକ୍ଷଣରେ ଅନ୍ତର୍ଭୁକ୍ତ ହେବ ରାଜଧାନୀର ଛୋଟ ବଡ଼ ସମସ୍ତ ହସ୍ପିିଟାଲ୍। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୮ରେ ଏନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିପାଇଁ ବିଏମ୍ସି ପକ୍ଷରୁ ହସ୍ପିଟାଲ୍ଗୁଡ଼ିକର ର୍ୟାଙ୍କିଙ୍ଗ୍ ପାଇଁ ନାମାଙ୍କନ ପତ୍ର ଗ୍ରହଣ କରିବା ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ପିଟାଲ୍ଗୁଡ଼ିକ ପ୍ରଥମେ ସେମାନଙ୍କ ନାମାଙ୍କନପତ୍ର ନିର୍ଦ୍ଧାରିତ ଫର୍ମାଟ୍ ଅନୁସାରେ ବିଏମ୍ସିର ୱେବ୍ସାଇଟ୍ରେ ଦାଖଲ କରିବେ। ହସ୍ପିଟାଲ୍ରେ ଆବର୍ଜନା କେତେ ପରିମାଣରେ ନିର୍ଗତ ହେଉଛି, କିଭଳି ଏହାକୁ ନିର୍ଗମନ କରାଯାଉଛି, ପରିସରକୁ କେତେଥର ସଫା କରାଯାଉଛି ଏବଂ ଏହାର ପରିସର କିଭଳି ଭାବରେ ପରିମଳ ଅନୂକୂଳ ରହିଛି ସେନେଇ ବିବରଣୀ ପ୍ରଦାନ କରିବାକୁ କୁହାଯାଇଛି। ହସ୍ପିଟାଲ୍ଗୁଡ଼ିକ ନିଜ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟର ସ୍ୱୟଂ ସମୀକ୍ଷା କରି ଏହାର ସମସ୍ତ ତଥ୍ୟ ବିଏମ୍ସିକୁ ପ୍ରଦାନ କରିବେ। ତଥ୍ୟର ସତ୍ୟତା ନେଇ ବିଏମ୍ସିର ଏକ ଟିମ୍ ସଂପୃକ୍ତ ହସ୍ପିଟାଲ୍ ପରିସରକୁ ଯାଇ ଆକଳନ କରିବେ।
ସେହିପରି ହସ୍ପିଟାଲ୍ର ଭିତ୍ତିଭୂମି ନେଇ କେତେକ ବିଷୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପାର୍କିଂ ସ୍ଥଳ, ରୋଗୀ ଏବଂ ହସ୍ପିଟାଲ୍ ଷ୍ଟାଫ୍ଙ୍କ ପାଇଁ ଅଲଗା ଅଲଗା ୱାସ୍ ବେସିନ୍ର ବ୍ୟବସ୍ଥା, ପର୍ଯ୍ୟାପ୍ତ ଏବଂ ସଫା ଶୌଚାଳୟ ବ୍ୟବସ୍ଥା ଏବଂ ବାହ୍ୟରୋଗୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶୌଚାଳୟ ବ୍ୟବସ୍ଥା ସଂକ୍ରାନ୍ତରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି ।
ସହରଗୁଡ଼ିକରେ ଦିନକୁ ଦିନ ହସ୍ପିଟାଲ୍ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହି କ୍ଷେତ୍ରରେ ସ୍ୱଚ୍ଛତା ନେଇ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବାକୁ ସ୍ୱଚ୍ଛ ଭାରତ ମିସନ୍ ପକ୍ଷରୁ ଏହିଭଳି ନିଆରା ପଦକ୍ଷେପ ନିଆଯାଇଛି। ସ୍ୱଚ୍ଛ ସର୍ଭେକ୍ଷଣ ପାଇଁ ବିଭିନ୍ନ ନୂତନ ଅଂଚଳକୁ ଏଥିରେ ଚଳିତଥର ସାମିଲ କରାଯାଇଛି। ଚଳିତ ସ୍ୱଚ୍ଛ ସର୍ଭେକ୍ଷଣରେ ପଞ୍ଜୀକୃତ ଆବାସସ୍ଥଳୀଗୁଡ଼ିକ ସାମିଲ୍ କରାଯାଇଛି।