ଭୋକ ବିକଳରେ କୋଠା ଚଢ଼ିଗଲା, ଶେଷରେ ବାଲ୍‌କୋନିରେ ଫସିଲା ଷଣ୍ଢ

ଧଉଳି: କଅଁଳିଆ କୃଷ୍ଣଚୂଡ଼ା ଡାଳପତ୍ର ଖାଇବା ଲୋଭରେ ଷଣ୍ଢଟି ଏକ ନିର୍ମାଣାଧୀନ ଘରର ଛାତ ଉପରକୁ ଚଢ଼ିଗଲା। ଶିଡ଼ି ଚଢ଼ି ପ୍ରଥମ ମହଲାର ବା‌ଲ୍‌କୋନିରେ ପହଞ୍ଚିଗଲା ଓ ସେ ପର୍ଯ୍ୟନ୍ତ ମେଲି ଆସିଥିବା କୃଷ୍ଣଚୂଡ଼ା ଡାଳପତ୍ର ଭିଡ଼ି ଖାଇଲା। ହେଲେ ଆଉ ତଳକୁ ଓହ୍ଲାଇବା ପାଇଁ ବାଟ ପାଇଲା ନାହିଁ। ଏମିତିକି ‌ସେହି ଛୋଟ ବାଲ୍‌କୋନିରେ ଆଗପଛ ହୋଇ ବୁଲି ପାରିଲା ନାହିଁ। ବହୁ ସମୟ ସେଠା‌‌ରେ ଫସି ରହିବା ପରେ ତାକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ଘଟଣାଟି ଟଙ୍କପାଣି ରୋଡ୍‌ ଅଞ୍ଚଳରରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସୂଚନାନୁସାରେ, ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ରହିଛି ଏକ ନିର୍ମାଣାଧୀନ ୩ ମହଲା ବିଲ୍ଡିଂ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଷଣ୍ଢଟି ଶିଡ଼ିରେ ଚଢ଼ି ଚଢ଼ି ଏକ ମହଲା ବାଲ୍‌କୋନି ଉପରକୁ ଉଠି ଯାଇଥିଲା। ସେଠାରୁ ବାହାରପଟ ତାଜା ଆଡ଼କୁ ମେଲିଥିବା କୃଷ୍ଣଚୂଡ଼ା ଗଛରୁ ପତ୍ର ଖାଇଥିଲା। ବାଲ୍‌କୋନି ଉପରେ ଷଣ୍ଢ ଗଛରୁ ପତ୍ର ଖାଇବା ଦୃଶ୍ୟ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମିଥିଲା। ବାଲ୍‌କୋନିରୁ ଖସି ପଡ଼ିବା ଆଶଙ୍କା କରି ଲୋକେ ଷଣ୍ଢକୁ ତଳକୁ ଆସିବା ପାଇଁ ପାଟି କରିଥିଲେ। ମାତ୍ର ଷଣ୍ଢଟି ଆଉ ବୁଲି ପାରିନଥିଲା କି ତଳକୁ ଓହ୍ଲାଇ ପାରିନଥିଲା। ତେଣୁ ତୁରନ୍ତ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ବାଲିଅନ୍ତାସ୍ଥିତ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ପହଞ୍ଚି କୌଶଳରେ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଶିଡ଼ି ବାଟ ଦେଇ ତଳକୁ ଆଣିଥିଲେ।

ସମ୍ବନ୍ଧିତ ଖବର