କୁହୁଡ଼ି ଚାଦରରେ ରାଜଧାନୀ

ଭୁବନେଶ୍ବର: ଆକାଶରେ ସୂର୍ଯ୍ୟ ଦିଶୁ ନ ଥିଲେ। ଗାଏବ ହୋଇ ଯାଇଥିଲା ଖରା। କୁହୁଡ଼ି ଚାଦରରେ ଆଚ୍ଛାଦିତ ହୋଇ ରହିଥିଲା ରାଜଧାନୀ। ସମସ୍ତଙ୍କ ପାଇଁ ଏହା ଏକ ଶୀତୁଆ ସଂଧ୍ୟାର ଅନୁଭୂତି ନେଇ ଆସିଥିଲା। ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ମେଘ ଢଙ୍କା ଆକାଶ ଭଳି ଦିଗ୍‌ବଳୟକୁ କୁହୁଡ଼ି ଚାଦର ଢାଙ୍କି ପକାଇଥିଲା। କୁହୁଡ଼ିର ସାନ୍ଦ୍ରତା ଏତେ ଥିଲା ଯେ ଟିକିଏ ଆଗକୁ ରାସ୍ତା ଦିଶୁ ନ ଥିଲା। ବୋଧହୁଏ ଏ ବର୍ଷ ପ୍ରଥମଥର ପାଇଁ ରାଜଧା‌ନୀବାସୀ ଏମିତି ନିଆରା ପାଗକୁ ସାମ୍ନା କରିଥି‌ଲେ।

ରାଜଧାନୀର ସର୍ବନିମ୍ନ ତାପମାତ୍ରା ବି ଆଜି ଏତେ ଦିନ ପରେ ସ୍ବାଭାବିକକୁ ଫେରିଛି। ଗତ ୨ ଦିନରେ ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ୧୪ ତାରିଖ ଦିନ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୨୦.୨ ଡିଗ୍ରି ରହିଥିବ‌ା ବେଳେ ଗତକାଲି ୧୯ ଡିଗ୍ରିକୁ ଖସିଥିଲା। ୨୪ ଘଣ୍ଟାରେ ଭୁବନେଶ୍ବରର ପାରଦ ୩ ଡିଗ୍ରି ଖସି ୧୬ ଡିଗ୍ରି ରେକର୍ଡ ହୋଇଛି। ଏଭଳି ପାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଗତକାଲି ବିଳମ୍ବିତ ରାତିରୁ ରାଜଧାନୀରେ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଥିଲା। କିନ୍ତୁ ଧୀରେଧୀରେ ଏହାର ସାନ୍ଦ୍ରତା ବଢ଼ିବାରେ ଲାଗିଥିଲା। ସକାଳ ସାଢ଼େ ୯ଟା ସୁଦ୍ଧା କୁହୁଡ଼ିର ମାତ୍ରା କ୍ରମଶଃ ବଢ଼ିବାରୁ ଦୃଶ୍ୟମାନ ଦୂରତା ୩୫୦ ମିଟରକୁ ଖସି ଆସିଥିଲା। ଏହା ପୂର୍ବାହ୍ନ ୧୦ଟା ୧୫ ଯାଏ ଲାଗି ରହିଥିଲା। ଧୀରେଧୀରେ ଖରା ପଡ଼ିବା ସହ କୁହୁଡ଼ି ଅପସାରିତ ହୋଇଥିଲା ଓ ଆକାଶ ନିର୍ମଳ ହୋଇଥିଲା। ଆସନ୍ତାକାଲି ମଧ୍ୟ ରାଜଧାନୀ‌ରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଏଥିସହ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୭ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର