ପ୍ରାଚୀ ସରୋଭର ପ୍ରିମିୟରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୧୫୦ ଯୁବକ ଯୁବତୀ

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ନିର୍ମାଣ ହେବ ପ୍ରାଚୀ ସରୋଭର ପ୍ରିମିୟର ୪ ତାରକା ହୋଟେଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ହୋଟେଲର ଶିଳାନ୍ୟାସ କରିଛନ୍ତି। ୪ ଏକର ଜମିରେ ୬୩କୋଟି ଟଙ୍କା ବ୍ୟୟରେ ଏହି ତାରକା ହୋଟେଲ ନିର୍ମାଣ ହେବ। ଏହି ହୋଟେଲ ରାଜ୍ୟର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇବ। ହୋଟେଲ ନିର୍ମାଣ ଫଳରେ ୧୫୦ଜଣ ଯୁବକଯୁବତୀ ନିଯୁକ୍ତି ପାଇବା ସହ ୪ଶହରୁ ଅଧିକ ଲୋକ ରୋଜଗାରକ୍ଷମ ହେ‌‌ବେ ବୋଲି ପ୍ରାଚୀ ରିସର୍ଟ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦେଶକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଚୀ ରିସର୍ଟ ୧୯୭୦ ମସିହାରେ ଏହାର ପ୍ରଥମ ହୋଟେଲ ଆରମ୍ଭ କରି ରାଜ୍ୟରେ ହୋଟେଲ ଶିଳ୍ପକୁ ବାଟ ଦେଖାଇଥିଲା। ତେବେ ଏହି ପ୍ରକଳ୍ପ ଆସନ୍ତା ତିନି ମାସ ମଧ୍ୟରେ ଆରମ୍ଭ ହୋଇ ୩୦ ମାସ ଅର୍ଥାତ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି। ହୋଟେଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ୭୫ଟି ପ୍ରିମିୟମ ରୁମ୍ ରହିବ। ଏହା ସରୋଭର୍ ହୋଟେଲ୍ ଓ ରିସର୍ଟ ଦ୍ୱାରା ପରିଚାଳିତ ହେବ, ଯାହାର ଭାରତ ଏବଂ ଆଫ୍ରିକାର ୬୫ଟି ସ୍ଥାନରେ ଥିବା ୯୮ରୁ ଅଧିକ ହୋଟେଲ ଶୃଙ୍ଖଳା ମଧ୍ୟରୁ ଗୋଟିଏ ବୋଲି ଶ୍ରୀ ସିଂଦେଓ କହିଛନ୍ତି।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ପ୍ରାଚୀର ନିର୍ଦେଶକ ପିଜି ନାୟର, ମନ୍ମଥ ସିଂଦେଓ, ଅର୍କେଶ ସିଂଦେଓ, ସରୋଭର ହୋଟେଲ୍‌ର ଉପସଭାପତି ମନସୁର୍‌ ଅଡିଲ୍‌, ଇଡ୍‌କୋ, ଇପିକଲ୍‌, ସଂସ୍କୃତି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର