ରମାଦେବୀ ବିଶ୍ବବିଦ୍ୟାଳୟକୁ ଆଜି ଆସିବେ ମୁଖ୍ୟମନ୍ତ୍ରୀ, କ୍ୟାମ୍ପସ୍‌ରେ ବ୍ୟାପକ ସାଜସଜ୍ଜା ଓ ଆଲୋକୀକରଣ

୩୩ କୋଟିର ପ୍ରକଳ୍ପ, ୧୩ ମିନିଟ୍‌ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍‌ଣ ୫ଟା ୧୫ରେ କ୍ୟାମ୍ପସ୍‌ରେ ୪ଟି କୋଠାକୁ ସେ ଲୋକାର୍ପଣ କରିବେ। ଦୁଇ ବର୍ଷ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି କ୍ୟାମ୍ପସ୍‌କୁ ଆସୁଥିବାରୁ ଛାତ୍ରୀ ଓ ପୁରାତନ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କରୋନା କଟକଣା ମଧ୍ୟରେ ସ୍ବାଗତ ଲାଗି କ୍ୟାମ୍ପସ୍‌ରେ ବ୍ୟାପକ ସାଜସଜ୍ଜା କରାଯାଇଛି। ପ୍ରବେଶ ପଥରୁ ଆରମ୍ଭ କରି ପ୍ରସ୍ଥାନ ଯାଏ ସବୁଠି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ରାତିଠାରୁ କ୍ୟାମ୍ପସ୍‌ ଚାରିପାଖରେ ପିସିଆର ପଇଁତରା ମାରୁଛି। ଏଥିସହ ଆସନ୍ତାକାଲି କାର୍ଯ୍ୟକ୍ରମ ଲାଗି ଦୁଇ ପ୍ଲାଟୁନ୍‌ରୁ ଅଧିକ ‌ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପୁରାତନ ଅଧ୍ୟକ୍ଷ ଓ ଛାତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଅତିଥି ଭାବେ ଯୋଗଦେବାର ରହିଛି।

୩୩ କୋଟିର ପ୍ରକଳ୍ପ
୩୩ କୋଟି ୯ ଲକ୍ଷ ଟଙ୍କା ବିନିଯୋଗରେ ୪ଟି କୋଠା ନିର୍ମାଣ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରୁ ମିଳିଥିବା ଅର୍ଥରେ ୩ଟି କୋଠା ନିର୍ମାଣ ହୋଇଛି। କୁନ୍ତଳା କୁମାରୀ ପାଠାଗାର ବିଲ୍‌ଡିଂ ନିର୍ମାଣ ଲାଗି ୬ କୋଟି ୫୩ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ଅନ୍ବେଷା ହଷ୍ଟେଲ ଲାଗି ୩ କୋଟି ୭୫ ଲକ୍ଷ ଓ ଏକାଡେମିକ୍‌ ବ୍ଲକ-୨ ନିର୍ମାଣ ପାଇଁ ୧୭ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ଭିତ୍ତିଭୂମି ଫଣ୍ଡ୍‌ରୁ ୫ କୋଟି ୭୬ ଲକ୍ଷ ଟଙ୍କା ବିନିଯୋଗରେ ଏକାଡେମିକ୍‌ ବ୍ଲକ-୩ ପ୍ରତିଷ୍ଠା ହୋଇଛି।
୧୩ ମିନିଟ୍‌ ରହିବେ ମୁଖ୍ୟମନ୍ତ୍ରୀ
ଅପରାହ୍‌ଣ ୫ଟା ୧୫ରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପସ୍‌ରେ ପହଞ୍ଚିବେ। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ମଞ୍ଚ ପର୍ଯ୍ୟନ୍ତ ପୋଛୋଟି ନେବେ। ୫ଟା ୧୭ରେ ବିଶ୍ବବିଦ୍ୟାଳୟର ନବନିର୍ମିତ କୋଠାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା ସ୍କ୍ରିନିଂ ହେବ। ଉପ କୁଳସଚିବ ଧନ୍ୟବାଦ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ଅପରାହ୍‌ଣ ୫ଟା ୨୮ରେ କ୍ୟାମ୍ପସ୍‌ ଛାଡ଼ିବେ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଅପରାହ୍‌ଣ ୪ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସମେତ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବେ। କୁଳପତି ପ୍ରଫେସର ଚୌଧୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର