ପୋଖରୀକୁ ଭୁଶୁଡ଼ିବ କଂକ୍ରିଟ ରାସ୍ତା, ଗାଁ ଭିତରକୁ ପଶିପାରୁନି ଭାରୀଯାନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ ଗୁଡ଼ିଆଘର ପଞ୍ଚାୟତ ପୋଖରୀ ବନ୍ଧ ରାସ୍ତା ଅବସ୍ଥା ଏବେ ସଂପୂର୍ଣ୍ଣ ବିପଦସଙ୍କୁଳ ହୋଇପଡ଼ିଛି। ପୋଖରୀ ଭିତରକୁ ପ୍ରାୟ ୩୦ ଫୁଟ କଂକ୍ରିଟ ରାସ୍ତା ଭୁଶୁଡ଼ିପଡ଼ିବା ଆଶଙ୍କା ଦେଖାଦେଇଛି। ସେନାପତି ସାହି ନିକଟରେ ଥିବା ପୋଖରୀ ବନ୍ଧ କଂକ୍ରିଟର କିଛି ଅଂଶ ‌ଦବି ଯାଇଛି। ଗାର୍ଡ ୱାଲ ମଧ୍ୟ ପୋଖରୀ ଭିତରକୁ ଭୁଶୁଡ଼ିବା ସ୍ଥିତିରେ ପହଞ୍ଚିଛି। ବଡ଼ କଥା ହେଉଛି ରାସ୍ତା ଅବସ୍ଥା ଏଭଳି ବିପଦସଙ୍କୁଳ ହୋଇପଡ଼ିଥିବାରୁ ଗାଁ ଭିତରକୁ ଭାରୀଯାନ ପଶିପାରୁନି। ସେହିପରି ଲୋକମାନେ ଅତି ସନ୍ତର୍ପଣରେ ଯାତାୟାତ କରୁଛନ୍ତି। ରାସ୍ତା ନବୀକରଣ କରାଯାଉନଥିବାରୁ କୌଣସି ଅଘଟଣ ଘଟି ଯଦି ଧନ ଜୀବନ ହାନୀ ହୁଏ ତା’ହେଲେ ବ୍ଲକ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ରାସ୍ତା ନବୀକରଣ ସଂପର୍କରେ ଗ୍ରାମବାସୀମାନେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ପାଢ଼ୀ ଏବଂ ସହକାରୀ ଯନ୍ତ୍ରୀ ତାପସ ରଞ୍ଜନ ବିଶ୍ବାଳଙ୍କୁ ଜଣାଇଛନ୍ତି। ହେଲେ ରାସ୍ତା ମରାମତି ନେଇ ବ୍ଲକ ପ୍ରଶାସନ ଅନୁଦାନ ଅର୍ଥ ମଂଜୁର କରିବା ନେଇ ସରପଞ୍ଚ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡ଼ିଛି। ଏନେଇ ଗ୍ରାମବାସୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସ୍ଥାନୀୟ ଲୋକମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ, ମନରେଗା ଯୋଜନାରେ ଗତ ଆର୍ଥିକ ବର୍ଷରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଉକ୍ତ ପୋଖରୀ ଖନନ କରାଯାଇଥିଲା। ମାଟି ଖନନ ଦ୍ବାରା ପୋଖରୀ ବନ୍ଧ ଢଳେଇ ରାସ୍ତା ଓ କଂକ୍ରିଟ ଗାର୍ଡ ୱାଲ ଦବି ଯାଇଥିବା ଗ୍ରାମବାସୀ କହଛନ୍ତି। ତେଣୁ ରାସ୍ତା ମରାମତି କାର୍ଯ୍ୟ ଜରୁରୀକାଳୀନ ଭିତ୍ତିରେ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର