ଦଶହରା ଫିଲ୍ମ ବଜାର ଆଶା ମଉଳିଲା: ସିନେମା ହଲ୍‌, ପ୍ରେକ୍ଷାଳୟ ଖୋଲିବା ପ୍ରସଙ୍ଗ ଝୁଲିଲା

ଭୁବନେଶ୍ବର: କେନ୍ଦ୍ର ସରକାର ଅନଲକ୍‌-୫ରେ ସିନେମା ହଲ୍‌ ଓ ପ୍ରେକ୍ଷାଳୟ ଖୋଲିବାକୁ ଆଶା ଦେଖାଇଥିଲେ। ମାତ୍ର ଆଜି ରାଜ୍ୟ ସରକାର ପୁଣି ବାଡ଼ ପକେଇ ଦେଇଛନ୍ତି। କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ଫଳରେ ଅକ୍ଟୋବର ୧୫ରୁ ‌ସିନେମା ହଲ୍‌ ଓ ପ୍ରେକ୍ଷାଳୟ ଖୋଲିବା ନେଇ ଖୁସିବ୍ୟକ୍ତ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି।

ଅନଲକ୍‌-୫ ପରେ ଦଶହରା ଫିଲ୍ମ ବଜାରକୁ ନେଇ ଆଶା ଦେଖାଦେଇଥିଲା। ଯଦିଓ ଦୁର୍ଗାପୂଜା କେବଳ ବିଧିରକ୍ଷା କରିବା ପାଇଁ ଆଗରୁ ନିର୍ଦେଶନାମା ଜାରି ହୋଇସାରିଛି, ମାତ୍ର ଦଶହରାରେ ଫିଲ୍ମ ଦେଖିବାର ସୁଯୋଗ ମିଳିବ ବୋଲି ସିନେପ୍ରେମୀ ଭାବି ନେଇଥିଲେ। ସିନେମା ହଲ୍‌ ମାଲିକମାନେ ଏନେଇ ଆଜିଠୁ ପ୍ରେକ୍ଷାଳୟ ସଜାଡ଼ିବା ନେଇ ଅଣ୍ଟା ଭିଡ଼ିଥିଲେ। ଅନଲାଇନ୍‌ରେ ଟିକେଟ୍‌ ବୁକିଂ ପାଇଁ ଯୋଜନା ପ୍ରସ୍ତୁତ କରି ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ନ ଯାଉଣୁ ସବୁ ଯୋଜନା ଫସର ଫାଟି ଯାଇଛି। ସେହିଭଳି ପ୍ରେକ୍ଷାଳୟ ଖୋଲିବା ନେଇ ଉତ୍ସାହିତ ହୋଇପଡ଼ିଥିବା ନାଟ୍ୟ ବ୍ୟକ୍ତିତ୍ବମାନଙ୍କ ମଧ୍ୟ‌ରେ ବି ନୈରାଶ୍ୟ ଖେଳିଯାଇଛି। ରାଜ୍ୟ ସିନେମା ହଲ୍ ମାଲିକ ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ସିନେମା ହଲ୍‌ ଖୋଲିବା ନିଷ୍ପତ୍ତି ନେବୁ। ଯଦିଓ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ, କିନ୍ତୁ ବର୍ତମାନର ପରିସ୍ଥିତି ଓ ଆଇନଠୁ ଆମେ ଊର୍ଧ୍ବରେ ନୁହଁ। ସଂପ୍ରତି ରୋଜଗାରଶୂନ ହୋଇଯାଇଥିବା ବେଳେ ନିୟମ ଅମାନ୍ୟ କରି ତଣ୍ଡ ଗଣିବା କି ଦଣ୍ଡ ଭୋଗିବାକୁ ଚାହୁଁ ନାହୁଁ। ତେଣୁ ଯେବେ ସରକାରଙ୍କ ଅନୁମତି ମିଳିବ, ସିନେମା ହଲ୍‌ ଖୋଲିବା ନେଇ ସେତେ‌‌ବେଳେ ନିଷ୍ପତ୍ତି ନେବୁ।

ସିନେ ପ୍ରଯୋଜକ ଟୁଟୁ ନାୟକ କହିଛନ୍ତି, ବର୍ତମାନ ସୁଦ୍ଧା ୧୦ଟି ଓଡ଼ିଆ ଫିଲ୍ମ ନିର୍ମିତ ହୋଇ ରହିଛି। ସିନେମା ହଲ୍‌ ଖୋଲିଥିଲେ ବି ଫିଲ୍ମ ଦେଖିବାକୁ ଲୋକେ ଆସିଥାଆନ୍ତେ କି ନାହିଁ, ତାହା ସିନେମା ହଲ୍‌ ଖୋଲିବା ‌ପରେ ଜଣା ପଡ଼ିଥାଆନ୍ତା। ଏମିତିରେ ପ୍ରଯୋଜକମାନେ ନିଜ ଫିଲ୍ମ ରିସ୍କ ନେଇ ରିଲିଜ୍‌ କରାଇବାକୁ ନିଷ୍ପତ୍ତି ନେଇଥାଆନ୍ତେ କି ନାହିଁ, ତାହା ବି ସେମାନଙ୍କ ମାନସିକତା ଉପରେ ନିର୍ଭର କରୁଥିଲା। ଏସବୁ ସତ୍ତ୍ବେ ଦ୍ବୈତନଗରୀରେ କରୋନା ଯେପରି କାୟା ମେଲାଉଛି, ରାଜ୍ୟ ସରକାର ଜାରି ସିନେମା ହଲ୍‌ ଖୋଲିବା ଅବଧିକୁ ବଢ଼ାଇ ଦେଇ ଠିକ୍‌ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର