ଭକ୍ତଙ୍କ ପାଇଁ ଖୋଲିବ ଭଗବାନଙ୍କ ଦ୍ବାର, ବଡ଼ଦିନରେ ଖୋଲିବ ଚର୍ଚ୍ଚ

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା। ଆସନ୍ତା ୨୭ତାରିଖରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରଥମେ ସେବାୟତ ପରିବାର ଦର୍ଶନ କରିବେ। ଆଉ ପରବର୍ତୀ ସମୟରେ ଭୁବନେଶ୍ବର ବାସିନ୍ଦା ଓ ସହର ବାହାରର ଲୋକଙ୍କୁ ଅନୁମତି ମିଳିବ। ତେବେ ମହାପ୍ରଭୁଙ୍କ ଦର୍ଶନ ଲାଗି କଟକଣାକୁ କଡ଼ାକଡ଼ି କରାଯାଇଛି। ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁଠି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ ହେବ। ସାମାଜିକ ଦୂରତ୍ବ ୨ ମିଟର ରହିବ। ମାସ୍କ ପରିଧାନ ବି ବାଧ୍ୟତାମୂଳକ ହେବ। ମନ୍ଦିରରେ ପ୍ରବେଶ ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣି ଆସିବାକୁ ବାଧ୍ୟତାମୂଳକ କରାଯାଇଛି।

ପୂର୍ବଭଳି ଶ୍ରୀଲିଙ୍ଗରାଜ ମନ୍ଦିର ସକାଳ ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ। କରୋନା ପୂର୍ବରୁ ଯେଉଁଭଳି ରୀତିନୀତି ଓ ଦର୍ଶନ ଚାଲୁଥିଲା ସେମିତି କରାଯିବ। ଦର୍ଶକଙ୍କ କରୋନା ଯାଞ୍ଚ ଲାଗି ମନ୍ଦିର ପାଖରେ ଏକ ସ୍କ୍ରିନିଂ କ୍ୟାମ୍ପର ବ୍ୟବସ୍ଥା ହେବ। ଦର୍ଶନ ପାଇଁ ଯିବାକୁ ଚାହୁଁଥିବା ବ୍ୟକ୍ତିମାନେ ବିଏମ୍‌ସି ଅଞ୍ଚଳରେ ଥିବା ଯେକୌଣସି ସରକାରୀ କୋଭିଡ୍‌ ଟେଷ୍ଟିଂ କେନ୍ଦ୍ରକୁ ଯାଇ ନିଜର ପରୀକ୍ଷା କରାଇ ପାରିବେ। ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତି ବିଏମ୍‌ସି ପକ୍ଷରୁ ଆୟୋଜିତ ଅସ୍ଥାୟୀ ଟେଷ୍ଟିଂ ସେଣ୍ଟରରେ ପରୀକ୍ଷା କରାଇବାର ସୁବିଧା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଜାନୁଆରି ୩୧ ପର୍ଯ୍ୟନ୍ତ ଏହି ଦର୍ଶନ ବ୍ୟବସ୍ଥାକୁ ଲକ୍ଷ୍ୟ କରି କର୍ତୃପକ୍ଷ ଭବିଷ୍ୟତ ଦର୍ଶନ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେଇପାରିବେ। ମନ୍ଦିର ଭିତରକୁ ପ୍ରବେଶ ଲାଗି ସ୍ବତନ୍ତ୍ର ବ୍ୟାରିକେଡ୍‌ ହେବ। ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟା‌ରିକେଡ୍‌ ଭିତରେ ୫୦୦ରୁ ଅଧିକ ଭକ୍ତ ପ୍ରବେଶ କରିପାରିବେ ନାହିଁ। ସାହାଣ ମେଲା ଦର୍ଶନ ବନ୍ଦ ରହିବ। ଭକ୍ତମାନେ କେବଳ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକଗୁଡ଼ିକରେ ବିଏମ୍‌ସି, ବିଡିଏ, କମିସନରେଟ୍ ପୁଲିସ, ପ୍ରତ୍ନତତ୍ତ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତା ଯୋଗଦେଇଥିଲେ।

ମନ୍ଦିର ଖୋଲିବା ନେଇ ଦେବୋତ୍ତର କମିସନରଙ୍କ ପ୍ରସ୍ତାବ
କୋଭିଡ୍ ନିୟମ ପାଳନ କରି ମନ୍ଦିର ପବେଶ ଓ ପ୍ରସ୍ଥାନ ହେବ
ମନ୍ଦିର ଭିତରେ ଭକ୍ତ ଓ ସେବାୟତଙ୍କ ସଂଖ୍ୟା ୫ରୁ ଅଧକ ରହିବ ନାହିଁ
ମନ୍ଦିର ପ୍ରବେଶ ସମୟରେ ଭକ୍ତ ଓ ସେବାୟତ ନିଜକୁ ବିଶୋଧନ କରିବେ
ଭକ୍ତ ଓ ସେବାୟତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ହେବା ଉଚିତ
ଭକ୍ତମାନେ ମନ୍ଦିର ଭିତରେ ଅତି କମ ସମୟ ପାଇଁ ରହିବେ
ସ୍ୱତନ୍ତ୍ର ପୂଜାବିଧିରେ ସର୍ବାଧିକ ୫ ଜଣ ରହିପାରିବେ
ଭକ୍ତ ଓ ସେବାୟତଙ୍କ ମଧ୍ୟରେ ସମାଜିକ ଦୂରତା କଡ଼ାକଡ଼ି ପାଳନ ହେବ
ମନ୍ଦିର ପରିଚାଳନା କମିଟି କମ୍‌ ସେବାୟତଙ୍କୁ ପୂଜାସେବା ଓ ରୀତିନୀତି ପାଇଁ ଅନୁମତି ଦେବ
ନିୟମିତ ବ୍ୟବଧାନରେ ମନ୍ଦିର ପରିସରକୁ ବିଶୋଧନ କରିବା ଆବଶ୍ୟକ
ଗୋଟିଏ ଥରରେ ୨୦ ଜଣରୁ ଅଧିକ ଭକ୍ତ ପ୍ରସାଦ ସେବନ କରିପାରିବେ ନାହିଁ
ନିୟମ ଉଲ୍ଲଂଘନ କଲେ ମନ୍ଦିର କମିଟି କାର୍ଯ୍ୟାନୁଷ୍ଠାନ ନେଇପାରିବ
ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ଦ୍ୱାର ଖୋଲା ରହିବ। ଅବଶିଷ୍ଟ ଦ୍ୱାର ବନ୍ଦ ରହିବ

ବଡ଼ଦିନରେ ଖୋଲିବ ଚର୍ଚ୍ଚ
ବଡ଼ଦିନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୫ ତାରିଖରେ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ପର୍ବ ପାଳନ କରିବାକୁ ହେଲେ ବିଏମସିକୁ ଅଣ୍ଡରଟେକିଂ ଦେବାକୁ ହେବ। ସେମାନେ ସାମାଜିକ ଦୂରତା ରକ୍ଷା କରି ବଡ଼ଦିନ ପାଳନ କରିପାରିବେ। ସେହିପରି ସହରର ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ତେ‌ବେ ସମ୍ପୃକ୍ତ ଅନୁଷ୍ଠାନ ଏନେଇ ବିଏମ୍‌ସି କର୍ତୃପକ୍ଷଙ୍କ ନିକଟରେ ପ୍ରତିଶ୍ରୁତିପତ୍ର ଦାଖଲ କରିବେ। ଏହାପରେ ବିଏମ୍‌ସିର ଏକ ପ୍ରତିନିଧି ଦଳ ସମ୍ପୃକ୍ତ ମନ୍ଦିରକୁ ଯାଇ ବିଶୋଧନ, ସାମାଜିକ ଦୂରତା ଓ କ୍ୟାମ୍ପସରେ କେତେ ଲୋକ ପ୍ରବେଶ କରିପାରିବେ ଆଦି ଉପରେ ଅନୁଧ୍ୟାନ କରିବା ପରେ ଅନୁମତି ଦେବେ। ଯଦି କୋଭିଡ୍‌-୧୯ ନିର୍ଦେଶାବଳୀ ଉଲ୍ଲଂଘନ ହେଉଥିବା ନଜରକୁ ଆସେ ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର