କିସ୍‍ ବିଶ୍ୱବିଦ୍ୟାଳୟର ଚତୁର୍ଥ ପ୍ରତିଷ୍ଠା ଉତ୍ସବ: ‘ଗବେଷଣା ଉପରେ ଗୁରୁତ୍ୱ ଦିଅ’

ଚନ୍ଦ୍ରଶେଖରପୁର: କିସ୍‌ ବିଶ୍ୱବିଦ୍ୟାଳୟର ୪ର୍ଥ ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଯେଭଳି ଅଧିକରୁ ଅଧିକ କାର୍ଯ୍ୟ କରିପାରିବ, ତା’ ଉପରେ ଗୁରୁତ୍ୱାରୋପ କରିଥିଲେ। କିସ୍‍ ଏବେ ସମଗ୍ର ବିଶ୍ୱରେ ଏକ ଖ୍ୟାତିସଂପନ୍ନ ଅନୁଷ୍ଠାନ ହୋଇପାରିଥିବା ବେଳେ ଏହା ଜରିଆରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଏହି ବିଶ୍ୱବିଦ୍ୟାଳୟ ଏକ ସଫଳ ଅନୁଷ୍ଠାନ ହେବା ପଛରେ ଯେଉଁ ନିଷ୍ଠାପର ଉଦ୍ୟମ ରହିଛି, ତାକୁ ଗବେଷଣା ଓ ଅନ୍ୟାନ୍ୟ କାର୍ଯ୍ୟ ଜରିଆରେ ଆହୁରି ଆଗକୁ ନେବାକୁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ। କିଟ୍‍ ଓ କିସ୍‌ର ସମ୍ପାଦକ ଆର.ଏନ୍‍ ଦାଶ କହିଲେ, କିସ୍‍ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଦୀପକ ବେହେରା କହିଲେ, ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ କିସ୍‍ ଖୁବ୍‍ କମ୍‍ ସମୟ ମଧ୍ୟରେ ବହୁ ଅନୁଷ୍ଠାନ ସହ ସହବନ୍ଧିତ ହୋଇପାରିଛି। ଭବିଷ୍ୟତରେ ଆହୁରି ଅଧିକ ଅନୁଷ୍ଠାନ ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ବୁଝାମଣା କରିବାକୁ ଯାଉଛି। ଏହାସହ ବିଶ୍ୱବିଦ୍ୟାଳୟରେ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ଉପରେ ଦୁଇଟି ରିସର୍ଚ୍ଚ ଚେୟାର ପ୍ରତିଷ୍ଠା କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର୍‌ ସସ୍ମିତା ସାମନ୍ତ କହିଲେ, କିସ୍‍ ମାନବବାଦର ଏକ ନିଚ୍ଛକ ଉଦାହରଣ। ଆନ୍ତର୍ଜାତିକସ୍ତରରେ ପରିଚିତି ଲାଭ କରିଥିବା କିସ୍‍ ଶିକ୍ଷା ଜରିଆରେ ପରିବର୍ତ୍ତନର ଲକ୍ଷ୍ୟ ରହିଥିଲେ ମଧ୍ୟ ଏହାର ଦୃଷ୍ଟିକୋଣ ବିଶ୍ୱବ୍ୟାପକ। ସେହିପରି ଉପକୁଳପତି ପ୍ରଫେସର୍‌ ପୀତବାସ ସାହୁ କିସ୍‌ର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ। କିସ୍‍ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲି ଟ୍ରାଇବାଲ୍‍ ଆଡ୍‌ଭାଇଜରି କାଉନସିଲ ଜରିଆରେ ଜନଜାତିଙ୍କ ଭାଷା, ସଂସ୍କୃତି ଓ ଐତିହ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।

ଏହି ଅବସରରେ କିସ୍‍ ବିଶ୍ୱବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ଶ୍ରୀ ସାମନ୍ତ ଉନ୍ମୋଚନ କରିଥିଲେ। ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଚେୟାର ଦ୍ୱାରା ପ୍ରକାଶିତ ‘ଫିଲୋସୋଫି ଅଫ୍‍ ଭୀମଭୋଇ ଆଣ୍ଡ ମହିମା ଧର୍ମ’ ଏବଂ ‘ମନସ୍ୱୀ ଗୋପବନ୍ଧୁ: ଶିକ୍ଷା ଓ ସାହିତ୍ୟ’ ଆଦି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳସଚିବ ପ୍ରମୋଦ ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ କିସ୍‌ର ବିଭିନ୍ନ ରିସର୍ଚ୍ଚ ଚେୟାର୍‌ର ପ୍ରଫେସର୍‌, ଅନ୍ୟାନ୍ୟ ଡିନ୍‍ ଓ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର