ସାଙ୍ଗକୁ ଅପହରଣ ଅଭିଯୋଗରେ ୪ ଗିରଫ: ଲକ୍ଷେ ଟଙ୍କାର ଚେକ୍‌, ସୁନାଚେନ୍‌ ଛଡ଼ାଇଲେ

ଭୁବନେଶ୍ବର: କାର୍ ଦୁର୍ଘଟଣାଜନିତ କ୍ଷତିପୂରଣ ଆଦାୟ କରିବା ପାଇଁ ସାଙ୍ଗକୁ ଅପହରଣ କରି ମୁଣ୍ଡ ଜାମିନ୍ ରଖିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଆଜି ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳର ସେକ୍ ଆକବର୍‌ ହୁସେନ୍‌ ଓରଫ୍‌ ଅନିଲ୍‌, ଶିବାନନ୍ଦ ସାହୁ, ଭରତପୁର ଥାନା କଳିଙ୍ଗବିହାର କେ-୨ର ଶାଶ୍ବତ କୁମାର ପରିଡ଼ା ଓ କେ-୬ର ଜୟ ଦାସ। ଏଥିସହ ଅପହରଣରେ ବ୍ୟବହୃତ କାର୍‌କୁ ମଧ୍ୟ ଜବତ କରିଛି ପୁଲିସ। ଅଭିଯୁକ୍ତମାନେ ଅପହରଣ କରିବା ପରେ ବନ୍ଧୁ ଅଭିଷେକ ସ୍ବାଇଁଙ୍କୁ କାର୍‌ ଭିତରେ ମାଡ଼ ମାରି ସୁନା ଚେନ୍‌ ଓ ଲକ୍ଷେ ଟଙ୍କାର ଏକ ଚେକ୍‌ ଛଡ଼ାଇ ନେଇଥିଲେ।

ଖବର ମୁତାବକ, ଗତ ୨୧ ତାରିଖରେ ଅଭିଯୋଗକାରୀ ଅଭିଷେକ ତାଙ୍କ ସାଙ୍ଗ ଆକବର୍‌ ପାଖରୁ ଏକ କାର୍ ଭଡ଼ା ଆକାରରେ ନେଇଥିଲେ। ଦୁର୍ଭାଗ୍ୟବଶତଃ ବାଟରେ ଦୁର୍ଘଟଣା ଘଟିବାରୁ କାର୍‌ଟି ଭାଙ୍ଗି ଯାଇଥିଲା। ବୀମା‌ ନଥିବାରୁ କାର୍‌ ମରାମତି ବାବଦରେ କ୍ଷତିପୂରଣ ଦେବାକୁ ଆକବର ଜିଦ୍ କରିଥିଲେ। ମାତ୍ର ଏତେ ଟଙ୍କା ଦେବା ଅଭିଷେକଙ୍କ ପକ୍ଷରେ ସମ୍ଭବ ନଥିଲା। ଫଳରେ ମାମଲା ବଡ଼ଗଡ଼ ଥାନାକୁ ଯାଇଥିଲା। ବୀମା ନଥିବା କାର୍‌ ଚଳାଇଥିବାରୁ ବଡ଼ଗଡ଼ ଥାନା ପୁଲିସ ଅଭିଷେକଙ୍କୁ ଗିରଫ କରିଥିଲା। ମାତ୍ର କାର୍ ମରାମତି କଥା ସେମିତି ଅତୁଟ ରହିଥିଲା। ତେଣୁ କଳେ‌ବଳେକୌଶଳେ ଅଭିଷେକଙ୍କଠାରୁ କାର୍‌ ମରାମତି ବାବଦ ଖର୍ଚ୍ଚ ଆଦାୟ କରିବା ପାଇଁ ଆକବର୍ ଯୋଜନା କରିଥିଲା। ଅଭିଷେକ ଜାମିନ୍‌ରେ ଆସିବା ବାଟକୁ ଅପେକ୍ଷା କରିଥିଲା ଆକବର। ଜେଲ୍‌ରୁ ବାହାରି ଅଭିଷେକ ଘରେ ପହଞ୍ଚିବା ପୂର୍ବରୁ ୪ସହଯୋଗୀଙ୍କୁ ଧରି ଛକି ରହିଥିବା ଆକବର ତାଙ୍କୁ ଘର ସମ୍ମୁଖରୁ ଉଠାଇ ନେଇଥିଲା। କାର୍‌ କ୍ଷତିପୂରଣ ବାବଦରେ ଟଙ୍କା ଲକ୍ଷେ ଟଙ୍କା ଦାବି କରି ମୁଣ୍ଡ ଜାମିନ୍‌ ରଖିଥିଲା। ଏମିତିକି ଆକବର ଓ ତା’ ସହଯୋଗୀମାନେ କାର୍‌ ଭିତରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଓ ଘରୁ ଟଙ୍କା ମଗାଇବାକୁ ବାଧ୍ୟ କରିଥିଲେ। ଘରକୁ ଫୋନ୍ କରି ଅଭିଷେକ ୫୦ହଜାର ଟଙ୍କାର ଦୁଇଟି ଚେକ୍ ଦେଇଥିଲେ। ଏହା ପରେ ବି ସେମାନେ ଅଭିଷେକଙ୍କ ସୁନାଚେନ୍ ଛଡ଼ାଇ ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପ‌ରେ ପୁଲିସ ଆକବର ଓ ତାର ସହଯୋଗୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର