୨୦ ଫୁଟିଆ ହେବ ମାଷ୍ଟରକ୍ୟାଣ୍ଟିନ୍‌ ମେଡିଆନ୍‌

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଘୋଡ଼ାକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସ୍ତାବକୁ ନେଇ ପ୍ରବଳ ବିରୋଧ ହେବାରୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ତେଣୁ ଘୋଡ଼ାକୁ ପୂର୍ବ ଜାଗାରୁ ନ ହଟାଇ ଏବେ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ଯୁଦ୍ଧକାଳୀନଭିତ୍ତିରେ ଜାରି ରଖିଛି। ତେବେ ଘୋଡ଼ା ଥିବା ଗୋଲେଇ ଜାଗାକୁ କାଟି ସିଧା କରି ଦିଆଯାଇଛି। ଅର୍ଥାତ୍‌ ଗୋଲେଇ ମଝିରେ ଥିବା ଘୋଡ଼ାକୁ ଲାଗି ଦୁଇ କଡ଼ରେ ଯିବାକୁ ବାଟ ଫିଟିଛି। ଏଣିକି ଏହି ଛକ ଦେଇ ଯିବାବେଳେ ବାଣୀବିହାର ପଟୁ ହେଉ କି ରାଜମହଲ ପଟୁ, ଆଉ ଗୋଲେଇ ବୁଲିବାକୁ ପଡ଼ିବ ନାହିଁ। ଏଥିପାଇଁ ଗୋଲେଇକୁ କାଟି ରାସ୍ତା ତିଆାରି ଚାଲିଛି। ଏଠାରେ ଥିବା ହାଇମାଷ୍ଟ ଲାଇଟ୍‌କୁ ଉଠାଯାଇ ଘୋଡ଼ା ପାଖକୁ ନିଆଯାଇଛି। ଘୋଡ଼ା ପୂର୍ବପରି ମେଡିଆନ୍‌ରେ ରହିବ। ଉଭୟପଟେ ୧୦ ଫୁଟ୍‌ ଲେଖାଏଁ ଜାଗା ଛଡ଼ା ଯିବ। ଅର୍ଥାତ୍‌ ଘୋଡ଼ା ଥିବା ମେଡିଆନ୍‌ର ଓସାର ୨୦ ଫୁଟ୍‌ ରହିବ। ଏହି ମେଡିଆନ୍‌ ୨୦ ଫୁଟ୍‌ ରହୁଥିବାରୁ ବାକି ତିନିପାର୍ଶ୍ବ ପିଏମ୍‌ଜି, ଶ୍ରୀୟା ଛକ ଓ ରାଜମହଲ ପାର୍ଶ୍ବ ମେଡିଆନ୍‌ ମଧ୍ୟ ୨୦ ଫୁଟ୍‌ ଓସାର କରାଯାଉଛି। ଏଥିପାଇଁ ତିନି ପାର୍ଶ୍ବର ପୁରୁଣା ମେଡିଆନ୍‌କୁ ଭାଙ୍ଗିବା ଆରମ୍ଭ ହୋଇଛି।

ତେବେ ବିଏସ୍‌ସିଏଲ୍‌ର ଏହି ଯୋଜନାରେ କିଛି ସମସ୍ୟା ଥିବା ନେଇ ଅନୁମାନ କରାଯାଉଛି। ପ୍ରଥମତଃ କିଛି ଦୂର ପରେ ୨୦ ଫୁଟ୍‌ରୁ ଏହାର ଓସାର କ୍ରମଶଃ କମି କମି ଆସିବ। ମେଡିଆନ୍‌ ଓସାର କରିବାକୁ ହେ‌ଲେ ରାସ୍ତା ଓସାର କମିଯିବା ଆଶଙ୍କା ରହିଛି। ପୂର୍ବରୁ ଫୁଟ୍‌ପାଥ୍ ତିଆରି ସରିଥିବାରୁ ଆଉ ରାସ୍ତାକୁ ଓସାର କରିବା ସମ୍ଭବ ହେବ ନାହିଁ। ଆବଶ୍ୟକ ପଡ଼ିଲେ ଜମି ଅଧିଗ୍ରହଣ କରାଯାଇ ରାସ୍ତା ଚଉଡ଼ା କରାଯିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଏଠାରେ ଥିବା ଏକ ତାରିଣୀ ମନ୍ଦିର ଏଯାଏ ଭଙ୍ଗା ଯାଇନାହିଁ। ଏହା ଭଙ୍ଗା ନ ଯାଇ ମେଡିଆନ୍‌ ଓସାର କରିଦେଲେ ଏଠାରେ ଟ୍ରାଫିକ୍‌ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ସେହିଭଳି ଉଭୟ ରାସ୍ତାଠାରୁ ଘୋଡ଼ାର ଦୂରତା ଉଭୟ ପଟରେ ୧୦ ଫୁଟ୍‌ ଲେଖାଏଁ ରହିଛି। ଏହି ଜାଗା ଭିତରେ ହିଁ ସଖୀ ମୂର୍ତ୍ତି ଓ ଖୋଦେଇ ହୋଇଥିବା ପଥ‌ର ସ୍ଥାପନା ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ ହେବ। ଉଭୟପାର୍ଶ୍ବ ରାସ୍ତାରେ ହାଲୁକା ଯାନ ସହ ଭାରୀ ଯାନ ଚଳାଚଳ କରିବ। ଫଳରେ ଏହି ସବୁ ଐତିହ୍ୟ ପ୍ରତି ବିପଦ ସୃ‌ଷ୍ଟି ହେବା ଆଶଙ୍କା ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ‌ଯେ ଐତିହ୍ୟ ପ୍ରତି ବିପଦ ଥିବାରୁ ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରଖାଯାଇଛି। ଏବେ ଏହି ନୂଆ ସୌନ୍ଦର୍ଯ୍ୟୀକରଣ ପରେ ଏହି ଘୋଡ଼ା ମୂର୍ତ୍ତି ପ୍ରତି ବିପଦ ସୃଷ୍ଟି ହେବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଅନେକ ସମୟରେ ମଦ୍ୟପ ଗାଡ଼ି ଚାଳକ ଏହି ଗୋଲେଇରେ ପିଟି ହୋଇଯିବା ନଜିର ରହିଛି। ସେହିଭଳି ଯଦି କିଛି ଦୁର୍ଘଟଣା ଏଠାରେ ଘଟିଲା, ତେବେ ଘୋଡ଼ା ପ୍ରତି ବିପଦ ରହିବ ବୋଲି ଆଶଙ୍କା କରାଯାଉଛି। ତେବେ ଏ ନେଇ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି, ସମସ୍ତ ଦିଗକୁ ବିଚାର କରାଯାଇ ଏଭଳି ଡିଜାଇନ୍‌ କରାଯାଇଛି। ଘୋଡ଼ା ଠାରୁ ୧୦ ଫୁଟ୍‌ ଦୂରରେ ରାସ୍ତା ରହିଛି। ତେଣୁ କୌଣସି ସମସ୍ୟା ହେବ ନାହିଁ। ପୂର୍ବଠାରୁ ଏହା ଆହୁରି ସୁନ୍ଦର ଦିଶିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଏହା ଏକ ଗୋଲେଇ ହୋଇଥିବାରୁ ଏଠାରେ ଟ୍ରାଫିକ୍‌ ପୁଲିସ୍‌ କିମ୍ବା ଟ୍ରାଫିକ୍‌ ସିଗ୍‌ନାଲର ଆବଶ୍ୟକତା ନଥିଲା। ଏବେ ରାସ୍ତା ସିଧା ହୋଇ ଯାଇଥିବାରୁ ଏଠାରେ ଟ୍ରାଫିକ୍‌ ପରିଚାଳନା ଆବଶ୍ୟକତା ପଡ଼ିବ। ଟ୍ରାଫିକ୍‌ ପୁଲିସ ନିୟୋଜିତ ହେବା ସହ ସିଗ୍‌ନାଲ ଲାଇଟ୍‌ର ମଧ୍ୟ ଆବଶ୍ୟକତା ପଡ଼ିବ। ତେବେ ସିଗ୍‌ନାଲ୍‌ ଲାଇଟ୍‌ ଲଗାଇବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ୍‌ର ଏହି ଛକର ସୌନ୍ଦର୍ଯ୍ୟୀକରଣ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ଟିମ୍‌ର ମାର୍ଗଦର୍ଶନରେ ବିଏସ୍‌ସିଏଲ୍‌ ଏହି କାମ ଜାରି ରଖିଛି। ଇତିମଧ୍ୟରେ ପ୍ରାୟ ୫୦ ପ୍ରତିଶତ କାମ ସରିଛି। ଘୋଡ଼ାକୁ ଲାଗି ନୂଆ ରାସ୍ତା ତିଆରି କରିବା ପାଇଁ କିଛିଦିନ ଲାଗି ଟ୍ରାଫିକ୍‌ କଟକଣା କରାଯିବ। ଏଥିପାଇଁ କମିସନରେଟ୍‌ ପୁଲିସ ସହ ବିଏସ୍‌ସିଏଲ୍‌ର ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଟ୍ରାଫିକ୍‌ କଟକଣା କରାଯାଇ ଏହି ନୂଆ ରାସ୍ତାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର