ଉଦ୍‌ଯାପିତ ହେଲା ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବ: ଶେଷ ଦିନରେ ‘ଘଟୋତ୍କଚ… ପୁତ୍ର ମୋର’

ଦୋଳଗୋବନ୍ଦ ରଥଙ୍କୁ ‘ପ୍ରମିଳା ପ୍ରତିଭା ସମ୍ମାନ’ ୬ ପ୍ରତିଭା ସମ୍ବର୍ଦ୍ଧିତ

ଭୁବନେଶ୍ବର: ମହାଭାରତରେ ତ’ ପଞ୍ଚୁପାଣ୍ଡବଙ୍କ ସହ ଦ୍ରୌପଦୀ, ସୁଭଦ୍ରାଙ୍କ ଭଳି ବହୁ ପାଣ୍ଡବ ପତ୍ନୀଙ୍କ ଅନେକ କାହାଣୀ ଓ ଚର୍ଚ୍ଚା ରହିଛି। କିନ୍ତୁ ଆଜି ମଞ୍ଚରେ ପ୍ରଦର୍ଶିତ ହେଉଥିଲା ଦ୍ବିତୀୟ ପାଣ୍ଡବଙ୍କ ପତ୍ନୀ ହିଡ଼ିମ୍ବା ଓ ପୁତ୍ର ଘଟୋତ୍କଚଙ୍କ କାହାଣୀ। ଏହି ମାତା ପୁତ୍ରଙ୍କ କାହାଣୀ, ସେମାନଙ୍କ ତ୍ୟାଗ, ବଳିଦାନ, ଦାମ୍ଭିକତା ଓ ଅସହ୍ୟ ବେଦନାର କାହାଣୀ ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା। ସମାଜର ଦ୍ବାହି ଦେଇ ତଥା ଧାର୍ମିକ ଚିନ୍ତାଧାରାକୁ ବଜାୟ ରଖିବାକୁ ଯାଇ ଭୀମ ଏହି ମା’-ପୁଅଙ୍କୁ ତ୍ୟାଗ କରିବା ତଥା ମହାଭାରତ ଯୁଦ୍ଧରେ ଘଟୋତ୍କଚ ନିଜ ପ୍ରାଣବଳି ଦେବା କଥାବସ୍ତୁକୁ ନିଚ୍ଛକ ଢଙ୍ଗରେ ପରିବେଷଣ କରିଥିଲେ ଗୌହାଟୀ ‘ପୂର୍ବରଙ୍ଗ’ର କଳାକାରବୃନ୍ଦ। ଏଭଳି ଏକ ମା’-ପୁଅଙ୍କ ଅନାବିଳ ସ୍ନେହଶ୍ରଦ୍ଧାର କାହାଣୀକୁ ନେଇ ନାଟକ ‘ଘଟୋତ୍କଚ… ପୁତ୍ର ମୋର’ ସହ ଶତାବ୍ଦୀର କଳାକାର ପକ୍ଷରୁ ୫ ଦିନ ବ୍ୟାପୀ ଆୟୋଜିତ ‘ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବ’ ଉଦ୍‌ଯାପିତ ହୋଇଯାଇଛି। ନାଟକର ରଚନା ମୃଣ୍ମୟ ଭୂୟାଁ କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁଣାକର ଦେବ ଗୋସ୍ବାମୀ।

ଆଜି ‌ନା‌ଟ୍ୟ ମହୋତ୍ସବର ଶେଷ ସଂଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବନ୍ଦ ରଥଙ୍କୁ ‘ପ୍ରମିଳା ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ୧୦ ହଜାର ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି। ଏଥିସହ ପ୍ରଶାନ୍ତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ, ଅଭିନେତ୍ରୀ ଭାସ୍ବତୀ ବସୁ, ନିର୍ଦ୍ଦେଶକ ସନ୍ତୋଷ ମହାନ୍ତି, ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ ଓ ଫଟୋ ସାମ୍ବାଦିକ ବିକାଶ ନାୟକଙ୍କୁ ‘ଶତାବ୍ଦୀର କଳାକାର ସମ୍ମାନ’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ରଜତ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନାଟ୍ୟ ବ୍ୟକ୍ତିତ୍ବ ଧୀର ମଲ୍ଲିକଙ୍କ ତିନୋଟି ନାଟକ ‘ନାଟ୍ୟଗୁଚ୍ଛ’ ପୁସ୍ତକ ସହ ଅନୁଷ୍ଠାନର ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ‘ଶତାବ୍ଦୀର କଳାକାର’ର ସଭାପତି ଗୌରହରି ଦାସ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର