ଗଡ଼ିଲା ଅକ୍ସିଜେନ୍ ଏକ୍ସପ୍ରେସ୍, ଖାଲି ରହିବନି ଅକ୍ସିଜେନ୍ ସିଲିଣ୍ଡର

ବିଶାଖାପାଟଣାରୁ ମହାରାଷ୍ଟ୍ରକୁ ପଠାଗଲା, ପ୍ରତି ଟ୍ୟାଙ୍କର୍‌ରେ ରହିଛି ୧୫ ଟନ୍‌ ଏଲ୍‌ଏମ୍‌ଓ

ଭୁବନେଶ୍ବର: ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍(ଆର୍‌ଓ ଆର୍‌ଓ) ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଆଜି ସନ୍ଧ୍ୟାରେ ବିଶାଖାପାଟଣାର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି। ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଡାକ୍ତରଖାନା ଓ ରୋଗୀଙ୍କୁ ସହାୟକ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ମହାରାଷ୍ଟ୍ରର କାଲାମ୍ବୋଲି ଗୁଡ଼ସେଡ୍‌ରୁ ୭ଟି ଖାଲି ଟ୍ୟାଙ୍କର୍ ଆଜି ସକାଳେ ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍‌ରେ ପହଞ୍ଚିଥିଲା। ସକାଳଠାରୁ ତରଳ ମେଡିକାଲ ଅମ୍ଳଜାନ(ଏଲ୍‌ଏମ୍‌ଓ)କୁ ଟ୍ୟାଙ୍କରରେ ଭର୍ତ୍ତି କରାଯାଇଥିଲା। ପ୍ରତ୍ୟେକ ଟ୍ୟାଙ୍କରରେ ୧୫ ଟନ୍ ଏଲ୍‌ଏମ୍‌ଓ ଭରାଯାଇ ସନ୍ଧ୍ୟାରେ ଟ୍ରେନ୍‌ଟି ମହାରାଷ୍ଟ୍ର ଆଡ଼କୁ ଯାତ୍ରା ଆରମ୍ଭ କରିଛି। ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଓ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍(ଆରଆଇଏନ୍‌ଏଲ୍‌)ର ଅଧିକାରୀମାନଙ୍କ ମିଳିତ ପ୍ରୟାସ ଏହି ପ୍ରକଳ୍ପକୁ ସଫଳ କରିଛି।

କୋଭିଡ୍‌-୧୯ ବିରୋଧ ଲଢ଼େଇରେ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଣ ପାଇଁ ଅମ୍ଳଜାନ ଏକ୍ସପ୍ରେସ ଚଳାଇବାକୁ ନିଜକୁ ପ୍ରସ୍ତୁତ କରିଛି। ବର୍ତମାନ ଦେଶର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ପରିବହନ ପାଇଁ ନୂତନ ରୋଲ ଅନ୍-ରୋଲ୍ ଅଫ୍(ଆର୍‌ଓ ଆର୍‌ଓ) ସେବା ଦେଶର ବିଭିନ୍ନ ପ୍ରାନ୍ତକୁ ତରଳ ମେଡିକାଲ ଅକ୍ସିଜେନ ଚାହିଦା ପୂରଣ କରିପାରିବ। ଗତବର୍ଷ ଲକଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବା ସହ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁଣ୍ଣ ରଖିଥିଲା। ଏଥର ଅକ୍ସିଜେନ୍ ଏକ୍ସପ୍ରେସର ବିଭିନ୍ନ ସ୍ଥାନକୁ ଚଳାଚଳ କରାଇବା ରୋଗୀ ଓ ଡାକ୍ତରଖାନାକୁ ସାହାଯ୍ୟ କରିବ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି କାର୍ଯ୍ୟ ସମ୍ପାଦନ ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଚେତନ ଶ୍ରୀବାସ୍ତବଙ୍କ ନେତୃତ୍ବରେ ୱାଲଟିୟର ରେଳମଣ୍ଡଳକୁ ଅଭିନନ୍ଦନ ଜଣାଇଛନ୍ତି।

ଖାଲି ରହିବନି ଅକ୍ସିଜେନ୍ ସିଲିଣ୍ଡର
ଭୁବନେଶ୍ବର: ଦେଶରେ କରୋନାର ଦ୍ବିତୀୟ ଲହରରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ସ୍ଥାନରେ ଅକ୍ସିଜେନ୍‌ର ଅଭାବ ଦେଖା ଦେଇଛି। ମାତ୍ର ରାଜ୍ୟ ସରକାର ଏବେଠାରୁ ଅକ୍ସିଜେନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯେପରି ଅକ୍ସିଜେନ୍‌ର କୌଣସି ସିଲିଣ୍ଡର ଖାଲି ରହିବ ନାହିଁ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରତି ଜିଲ୍ଲାରେ ଏଥିପାଇଁ ଆବଶ୍ୟକ ଗାଡ଼ି ଯୋଗାଇ ଦିଆଯିବ। ଯାହାଫଳରେ ସିଲିଣ୍ଡର ଶେଷ ହେବା ସଙ୍ଗେ ସଙ୍ଗେ ତାହାକୁ ପୂର୍ଣ୍ଣ କରାଯିବ। ରାଜ୍ୟରେ ୫ଟି ଅକ୍ସିଜେନ୍ ପ୍ରସ୍ତୁତକାରୀ ସଂସ୍ଥା ଓ ୨୨ ଫିଲର ରହିଛନ୍ତି। ଏଥିରେ ଦୈନିକ ୩୭୫ ମେଟ୍ରିକ ଟନ୍ ଅକ୍ସିଜେନ୍ ପ୍ରସ୍ତୁତ ହୋଇପାରିବ। ରାଜ୍ୟରେ ଏବେ ଯେତିକି ଅକ୍ସିଜେନ୍ ସିଲିଣ୍ଡର ରହିଛି ଏଥିରେ ୧୩୦ ମେଟ୍ରିକ୍ ଟିନ୍ ମେଡିକାଲ ଅକ୍ସିଜେନ୍ ସଂରକ୍ଷିତ ରହିପାରିବ। ଗତବର୍ଷ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ଥିବା ସମୟରେ ୩୦-୩୫ ମେଟ୍ରିକ ଟନ୍ ଅକ୍ସିଜେନ୍‌ ଆବଶ୍ୟକ ପଡ଼ୁଥିଲା। ମାତ୍ର ଏଥର ସଂକ୍ରମଣ ସମୟରେ ଗତବର୍ଷଠାରୁ ୧୦ଗୁଣା ଅଧିକ ଅକ୍ସିଜେନ୍ ସଂରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟରେ ଅକ୍ସିଜେନ୍ ପ୍ରସ୍ତୁତକାରୀ ସଂସ୍ଥା ଓ ଫିଲରମାନଙ୍କୁ ଦିନକୁ ଅତିକମ୍‌ରେ ୨ଥର ସିଲିଣ୍ଡରକୁ ପୂର୍ଣ୍ଣ କରିବା ପାଇଁ କୁହାଯାଇଛି। ଯାହାଫଳରେ କୌଣସି ଅକ୍ସିଜେନ୍ ସିଲିଣ୍ଡର ଯେପରି ଖାଲି ରହିବ ନାହିଁ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ନିକଟରେ ରାଜ୍ୟ ସରକାର ୧୮ହଜାର ଅକ୍ସିଜେନ୍ ସିଲିଣ୍ଡର କିଣିବା ଲାଗି ଟେଣ୍ଡର କରିଛନ୍ତି। ଏଥିରେ ଉଭୟ ବି ଓ ଡି ଟାଇପ୍ ସିଲିଣ୍ଡର ରହିଛି।

ସମ୍ବନ୍ଧିତ ଖବର