ଶାସନର ଲୋକପ୍ରିୟତା ଗଣତାନ୍ତ୍ରିକ ମୂଲ୍ୟବୋଧର ସଫଳ ପରୀକ୍ଷଣ: ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୮ତମ ଜୟନ୍ତୀ

ଭୁବନେଶ୍ବର: ଶାସନର ଲୋକପ୍ରିୟତା ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ସଫଳ ପରୀକ୍ଷଣ। ଉଭୟ କେନ୍ଦ୍ର ଓ ରାଜ୍ୟ ଶାସନ ବ୍ୟବସ୍ଥାରେ ରହୁଥିବା ସମନ୍ବୟ ଆମ ଗଣତନ୍ତ୍ରର ସଫଳତାକୁ ବ୍ୟକ୍ତ କରେ। ସମଗ୍ର ବିଶ୍ବରେ ଭାରତ ସେହି ଦୃଷ୍ଟିରୁ ଅନନ୍ୟ। ତେବେ ଏବେ ଶାସନ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏକ ଆହ୍ବାନରେ ପରିଣତ ହୋଇଛି। ତଥାପି ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି କିଛି ରାଜ୍ୟରେ କେନ୍ଦ୍ର ଶାସକ ଦଳର ବିରୋଧୀମାନେ କ୍ଷମତାରେ ଥିବା ସତ୍ତ୍ବେ କେନ୍ଦ୍ର ସହ ସମନ୍ବୟ ଦେଖିବାକୁ ମିଳୁଛି। ଏହାର ସଫଳତା ଗଣତନ୍ତ୍ରର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନୂତନ ଆଶା ସଂଚାର କରୁଛି। ଆଜି ଜନନାୟକ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୮ ତମ ଜୟନ୍ତୀ ଅବସରରେ ମୁଖ୍ୟ ବକ୍ତା ଭା‌ବେ ଉପସ୍ଥିତ ଥିବା ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା ଏଭଳି ମତ ରଖିଛନ୍ତି। ତାଙ୍କ ସମୟର ରାଜନୀତି ସମାଜବାଦ ଓ ଗଣତନ୍ତ୍ରର ମୂଲ୍ୟବୋଧ ପ୍ରତି ଅଙ୍ଗିକାରବଦ୍ଧ ଥିଲା। ସେଥିପାଇଁ ସାଧାରଣ ଜନତାର ସ୍ବାର୍ଥକୁ ସେହି ସମୟରେ ଅଗ୍ରାଧିକାର ଦିଆଯାଉଥିଲା ଓ ସେ ସମୟର ନୀତି ହିଁ ଥିଲା ଲୋକନୀତି ବୋଲି ସେ କହିଥିଲେ।

ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ସଭାପତିତ୍ବରେ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଡ. ଲୋପାମୁଦ୍ରା ବକ୍ସିପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଇଥିଲେ। ସ୍ବର୍ଗତ ବକ୍ସିପାତ୍ର ବିଭିନ୍ନ ସଂଗଠନ ସହ କାର୍ଯ୍ୟ କରି ଲୋକପ୍ରିୟ ଜନନେତା ହୋଇପାରିଥିଲେ ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ତଥା ଡିଜିଟାଲ ନ୍ୟୁଜ୍‌ପେପର ‘ଦ ପ୍ରିଣ୍ଟ’ର ଏଡିଟର-ଇନ୍‌-ଚିଫ୍‌ ଶେଖର ଗୁପ୍ତା କହିଥିଲେ ଯେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଆଦିବାସୀଙ୍କ ପାଇଁ ଅନେକ କାମ କରିଥିଲେ। ପ୍ରଥମରୁ ଜଣେ ସାମାଜିକ କର୍ମୀଭାବେ ଆଦିବାସୀମାନଙ୍କ ପାଇଁ କାମ କରି ସେ ସେମାନଙ୍କର ପ୍ରିୟ ହୋଇପାରିଥିଲେ ଓ କୋରାପୁଟର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ରାଜନୈତିକ ବିଶ୍ଳେଷକ ହିସାବରେ ସେ ଓଡ଼ିଶା ବାବଦରେ କିଛି କମ୍ ଜାଣନ୍ତି ବୋଲି କହିଥିଲେ। ଏହାବାଦ୍ ଓଡ଼ିଶାରେ ଶୀଘ୍ର ରାଜନୈତିକ ପରିବର୍ତ୍ତନ ହୁଏ ନାହିଁ ବୋଲି ଏହି ରାଜ୍ୟ ବେଶି ଚର୍ଚ୍ଚାରେ ନଥାଏ। ମାତ୍ର ସେ ପଢ଼ିବା ସମୟରୁ ଜାଣିଥିଲେ ଯେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା। ବ୍ରିଟିଶ ଶାସନାଧୀନ ଭାରତରେ ୧୮୯୫ରୁ ଏ ନେଇ ଆନ୍ଦୋଳନ ହୋଇଥିଲା ଓ ୧୯୩୬ ରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତେଣୁ ଓଡ଼ିଶା ଏକ ଟାଣୁଆ ନେତାଙ୍କ କର୍ମଭୂମି ବୋଲି ସେ ଛାତ୍ର ଅବସ୍ଥାରୁ ଜାଣିଥିବା କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଉପସ୍ଥିତ ରହି ସ୍ବର୍ଗତ ବକ୍ସିପାତ୍ର ଓଡ଼ିଆ ଭାଷା ଓ ଓଡ଼ିଶାର ସମୃଦ୍ଧି ପାଇଁ ସବୁବେଳେ କାର୍ଯ୍ୟ କରୁଥିଲେ ବୋଲି କହିଥିଲେ। ସରକାର ଓ ଶାସକ ବିରୋଧରେ ସେ ସାଧାରଣ ଜନତାଙ୍କ ସ୍ବର ଉଠାଉଥିଲେ ବୋଲି ଶ୍ରୀ ଶତପଥୀ କହିଥିଲେ। ଏହି ଅବସରରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ସମ୍ମାନରେ ବରିଷ୍ଠ ସାମ୍ବାଦିକ ମହେଶ୍ବର ମୂଳିଆ ଓ ସମାଜସେବୀ ସୁଧୀର କୁମାର ରାଉତଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପାକ୍ଷିକ ପତ୍ରିକା ‘ଲୋକନୀତି’ର ବିଶେଷ ସଂଖ୍ୟାକୁ ଉନ୍ମୋଚନ କରାଯାଇଥିଲା। ଶେଷରେ ମୃତ୍ୟୁଞ୍ଜୟ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର