ରାହାଜାନି ରୋକିବ ‘ସିକ୍ରେଟ୍‌ ଟାସ୍କ’: ସଣ୍ଢୁଆଶି ଆକ୍ରମଣରେ ଧରାପଡ଼ିବେ ଲୁଟେରା

ଭୁବନେଶ୍ବର: ରାଜଧାନୀରେ ରାହାଜାନି ଭଳି ଅପରାଧ କ୍ରମଶଃ ବଢ଼ିବଢ଼ି ଚାଲୁଥିବାରୁ କମିସନରେଟ୍‌ ପୁଲିସ ପ୍ରତି ଥାନାରେ ସ୍ପେସାଲ ଟିମ୍‌ ଗଠନ କରିଛି। ଅନୁସନ୍ଧାନ ସହ ଲୁଟ୍‌ ମାଲ୍‌ର ଉଦ୍ଧାର କରିବା ପାଇଁ ଏହି ଟିମ୍‌ ଉଦ୍ୟମ ଅବ୍ୟାହତ ରଖିଛି। ତେବେ ଅପରାଧ ରୋକିବା ଲାଗି ଏବେ ଟ୍ରାଫିକ୍‌ ପୁଲିସଙ୍କୁ ‘ସିକ୍ରେଟ୍‌ ଟାସ୍କ’ ମଧ୍ୟ ଦିଆଯାଇଛି। ଲୁଟେରାଙ୍କ ଗତିବିଧି ବାବଦରେ ସେମାନଙ୍କୁ ଅବଗତ କରାଯାଇଛି। ଗାଡ଼ି ଚଳାଇବା ବେଳେ କେହି ସେଭଳି ଆଚରଣ କଲେ ସେମାନଙ୍କୁ ଗୋଡ଼ାଇ ଧରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ ମୁତାବକ ଟ୍ରାଫିକ୍‌ ପୁଲିସ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

ରାହାଜାନି ଲୁଟେରାଙ୍କୁ କାବୁ କରିବାରେ କମିସନରେଟ୍ ପୁଲିସ ବିଫଳ ହେଉଥିବାରୁ ଗତ ୮ ତାରିଖ ଦିନ ବିଭିନ୍ନ ଥାନାରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଏବେ କାର୍ଯ୍ୟ ଜାରି ରଖିଛି। କିନ୍ତୁ ଅପରାଧ ଘଟାଇ ଲୁଟେରା ଚାଲିଯିବା ପରେ ତାକୁ ଧରିବା ପାଇଁ ଏହି ଟିମ୍‌ ରାସ୍ତା ଉପରେ ଛିଡ଼ା ହେବ ନାହିଁ। ଏଣୁ ରାହାଜାନି କରି ଲୁଟେରା ଫେରାର ହୋଇ ଯିବା ପରେ ଏହି ଟିମ୍‌ କେବଳ ଅନୁସନ୍ଧାନ ଆରମ୍ଭ କରିବ। କିନ୍ତୁ ଘଟଣାସ୍ଥଳରେ କିମ୍ବା ଘଟଣା ପରେ ପରେ ଲୁଟେରାକୁ ଧରିବାକୁ କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ଟ୍ରାଫିକ୍‌ କର୍ମଚାରୀମାନଙ୍କୁ ‘ସିକ୍ରେଟ୍‌ ଟାସ୍କ’ ଦିଆଯାଇଛି। ପିସିଆର ଭ୍ୟାନ୍‌ ବୁଲିବା ବେଳେ ଯଦି କୌଣସି ଗାଡ଼ି ଚାଳକ ଉପରେ ସନ୍ଦେହ ହୁଏ ତେବେ ଚାଳକକୁ ଟ୍ରାଫିକ୍‌ରେ ଧରିବା ପାଇଁ ପିସିଆର ଭ୍ୟାନ୍‌ ସମ୍ପୃକ୍ତ ଟ୍ରାଫିକ୍‌ କର୍ମଚାରୀଙ୍କୁ ସୂଚନା ଦେବ। ସେହି ରାସ୍ତାରେ ଥିବା ଟ୍ରାଫିକ୍‌ କର୍ମଚାରୀ ପିସିଆର ସୂଚନାକୁ ଆଧାର କରି ଗାଡ଼ିକୁ ଧରିବ। ଯାଞ୍ଚ ପରେ ଯଦି ସେ ଲୁଟେରା ବୋଲି ପ୍ରମାଣିତ ହେଲା ନାହିଁ ତେବେ ତାକୁ ଛାଡ଼ି ଦିଆଯିବ। କେବଳ ପିସିଆର ଭ୍ୟାନ୍‌ ସୂଚନା ନୁହେଁ, ବରଂ କଣ୍ଟ୍ରୋଲ୍‌ ରୁମ୍‌ ସୂଚନା ଆଧାରରେ ମଧ୍ୟ ଏହି କର୍ମଚାରୀ ସମ୍ପୃକ୍ତ ଗାଡ଼ି ଉପରେ ଚଢ଼ଉ କରିବେ। ଗୋଟିଏ ପଟେ ଥାନାର ‘ସ୍ପେସାଲ ଟିମ୍‌’ ଓ ଅନ୍ୟପଟେ ଏହି ଟ୍ରାଫିକ୍‌ କର୍ମଚାରୀଙ୍କ ସଣ୍ଢୁଆଶି ଆକ୍ରମଣ ରାହାଜାନି ରୋକିବାରେ ସଫଳ ହେବ। ରାହାଜାନିର ଶିକାର ହେଲେ ପୀଡ଼ିତ କିମ୍ବା ଯେ କେହି ଯଥା ସମ୍ଭବ ସୂଚନା ପ୍ରଦାନ କଲେ ଲୁଟେରାକୁ ଧରିବା ସମ୍ଭବ ହେବ ବୋଲି କମିସନରେଟ୍‌ ପୁଲିସ ଆଶା କରିଛି।

ଏହି କ୍ରମରେ ଟ୍ରାଫିକ୍‌ ପୁଲିସ ଦୁଇଦିନ ଭିତରେ ୫ଟି ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଛି। ସମସ୍ତଙ୍କୁ ଉଚିତ ପ୍ରମାଣ ପରେ ଛଡ଼ା ଯାଇଥିଲେ ମଧ୍ୟ ଏଥିରେ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଛି। ଗୋଟିଏ ବାଇକ୍‌ ଉପରେ ସନ୍ଦେହ ହେବାରୁ ତାକୁ ଧରାଯିବା ପରେ ସେଥିରେ ଟ୍ରକ୍‌ ନମ୍ବର ଲାଗିଥିବା ଦେଖାଯାଇଥିଲା। ଖୋଳତାଡ଼ ପରେ ଜଣାପଡ଼ିଥିଲା କି ଲୁଟ୍‌ କିମ୍ବା ରାହାଜାନି ପାଇଁ ନୁହେଁ, ବରଂ ଫାଇନାନ୍‌ସର ପଞ୍ଜୀକରଣ ନମ୍ବରରୁ ଚିହ୍ନଟ କରି ଗାଡ଼ି ଭିଡ଼ି ନେଉଥିବାରୁ ମୂଳ ନମ୍ବର ଖୋଲି ମାଲିକ ନକଲି ନମ୍ବର ଲଗାଇ ଦେଇଥିଲା। ଏଭଳି ଅନେକ ବିଚିତ୍ର ଘଟଣା ଏହି ସିକ୍ରେଟ୍‌ ଟାସ୍କ ବେଳେ ପଦାକୁ ଆସୁଛି।

ସମ୍ବନ୍ଧିତ ଖବର