ମହିଳା ବାଣିଜ୍ୟ ମେଳାର ଦ୍ୱିତୀୟ ଦିବସ: ରୋଗମୁକ୍ତ ଜୀବନର ଏକମାତ୍ର ଉପାୟ ବ୍ୟାୟାମ

ସୌନ୍ଦର୍ଯ୍ୟ ମଣିଷର ଆତ୍ମବିଶ୍ବାସ ବୃଦ୍ଧି କରେ

ଭୁବନେଶ୍ବର: ଶରୀରକୁ ସୁସ୍ଥ ରଖିବା ଅଭ୍ୟାସ ନୁହେଁ, ଆମ ଦାୟିତ୍ବ ହେବା ଉଚିତ। ଜଣେ ମହିଳା ନିଜ ଜୀବନରେ ମା’, ପତ୍ନୀ, ବୋହୂ ଆଦି ବହୁ ଭୂମିକାରେ ଅବର୍ତୀଣ୍ଣ ହୋଇ ନିଜ ଯତ୍ନ ନେବା ଭୁଲିଯାଏ। ଏହାଦ୍ବାରା ମହିଳାଙ୍କ ମଧ୍ୟରେ ହରମୋନ୍‌ ଅସନ୍ତୁଳନଜନିତ ବହୁ ରୋଗ ଦେଖିବାକୁ ମିଳୁଛି। ଏଣୁ ମହିଳା ହୁଅନ୍ତୁ ବା ପୁରୁଷ; ପ୍ରତିଦିନ ୨୦ରୁ ୩୦ ମିନିଟ୍‌ ବ୍ୟାୟାମ ଅଭ୍ୟାସ କରିବା ଉଚିତ। ଏଭଳି ବ୍ୟାୟାମକୁ ଆପଣାଇବା ଉଚିତ, ଯାହାକି ନିରନ୍ତର ଓ ଦୀର୍ଘକାଳ କରିହେବ ବୋଲି ପରାମର୍ଶ ଦେଇଛନ୍ତି ସେଲିବ୍ରିଟି ଫିଟ୍‌ନେସ୍‌ ବିଶେଷଜ୍ଞ ସମୀର ପୁରୋହିତ।

ଜନତା ମଇଦାନଠାରେ ଚାଲିଥିବା ‘ମହିଳା ବାଣିଜ୍ୟ ମେଳା’ର ଦ୍ବିତୀୟ ଦିବସରେ ‘ଆମ ସ୍ବାସ୍ଥ୍ୟ ଆମ ପାଇଁ ବ୍ୟୟ ନୁହେଁ ବରଂ ନିବେଶ’ ଶୀର୍ଷକ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ପୁରୋହିତ ପିଲେଟ୍ସ୍‌ ବ୍ୟାୟାମ, ଯୋଗ ଓ ପ୍ରାଣାୟମ ଆଦିର ଉପକାରିତା ବୁଝାଇଥିଲେ। ସେ କହିଥିଲେ, ସୁନ୍ଦର ବା ସୁଢ଼ଳ ଶରୀର ପାଇଁ ଦୀର୍ଘ ସମୟ ଧରି କଷ୍ଟସାଧ୍ୟ ବ୍ୟାୟାମର ଆବଶ୍ୟକତା ନାହିଁ। ଶରୀର ଓ ମସ୍ତିଷ୍କ ମଧ୍ୟରେ ସନ୍ତୁଳନ ରକ୍ଷାକୁ ବ୍ୟାୟାମ କୁହାଯାଇଥାଏ। ରୋଗମୁକ୍ତ ତଥା ସ୍ବାସ୍ଥ୍ୟକର ଜୀବନ ପାଇଁ ବ୍ୟାୟାମ ଏକମାତ୍ର ଉପାୟ ବୋଲି ସେ କହିଥିଲେ। ଏହି ଅଧିବେଶନକୁ ଆଇଡବ୍ଳ୍ୟୁଇସିର ସଦସ୍ୟା ମଲ୍ଲିକା ତ୍ରିପାଠୀ ସଂଯୋଜନା କରିଥିଲେ।

ସୌନ୍ଦର୍ଯ୍ୟ ମଣିଷର ଆତ୍ମବିଶ୍ବାସ ବୃଦ୍ଧି କରେ

 

ସୌନ୍ଦର୍ଯ୍ୟ ମଣିଷର ଆତ୍ମବିଶ୍ବାସ ବୃଦ୍ଧି କରିଥାଏ। ଈଶ୍ବର ଆମକୁ ଗଢ଼ିଛନ୍ତି, ତାହା ନିହାତି ଭାବେ ଗ୍ରହଣୀୟ। ସମସ୍ତେ ନିଜ ନିଜସ୍ତରରେ ସ୍ବତନ୍ତ୍ର ଓ ସୁନ୍ଦର। କିନ୍ତୁ ଈଶ୍ବର ଦେଇଥିବା ସୌନ୍ଦର୍ଯ୍ୟକୁ ଆମେ ଆଉ ଟିକେ ଶ୍ରମ ‌ଦେବାରେ ଅସୁବିଧା ନାହିଁ। ନିଜକୁ ଅଧିକ ଭଲ ଭାବେ ସଜାଇବା, ବିଉଟି ପାର୍ଲର ଯାଇ ନିଜ କେଶ, ତ୍ବଚା, ନଖ ଆଦିର ଯତ୍ନ ନେବା ଖୁବ୍‌ ଭଲ କଥା। ଏହାଦ୍ବାରା ଆତ୍ମବିଶ୍ବାସ ବଢ଼ିଥାଏ। ଏହାସହ ସକାରାତ୍ମକ ଚିନ୍ତାଧାରା, ଉଚ୍ଚ ମାନସିକତା ସହ ନିଜ ବ୍ୟବହାର, ଚାଲିଚଳଣ, ଅଙ୍ଗଭଙ୍ଗୀ ଓ କଥା ହେବା ଶୈଳୀ ମଧ୍ୟ ମଣିଷର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ ବୋଲି କହିଛନ୍ତି ଅଶ୍ବିନୀ ହସ୍‌ପିଟାଲ୍‌ ଓ ୱେଲ୍‌ନେସ୍‌ କେନ୍ଦ୍ରର ନିର୍ଦ୍ଦେଶିକା ସୁମାଦେବୀ ଦାଶ। ‘ଦ ବିଉଟି ଇଣ୍ଡଷ୍ଟ୍ରି ରିଭୋଲ୍ୟୁସନ୍‌’ ଶୀର୍ଷକ ଅଧିବେଶନରେ ଶ୍ରୀମତୀ ଦାସ ଏହା କହିଛନ୍ତି।

ମହିଳା ବାଣିଜ୍ୟ ମେଳାରେ ‘ସମ୍ବାଦ’ର ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କରଙ୍କୁ ସମ୍ବର୍ଧିତ କରାଯାଉଛି

ଅନ୍ୟତମ ବକ୍ତା ମାଟ୍ରିକ୍ସ ଇଣ୍ଡିଆର ଜିଏମ୍‌ ତଥା ବିଉଟି ଇଣ୍ଡଷ୍ଟ୍ରି ବିଶେଷଜ୍ଞ ସୁହାସ ‌ଲଖାଣ୍ଡେ କହିଲେ, ଦେଶରେ ବିଉଟି ଇଣ୍ଡଷ୍ଟ୍ରି ଅଧିକ ବିକଶିତ ହେଉଛି। କିନ୍ତୁ ଏହି ଇଣ୍ଡଷ୍ଟ୍ରି ଯେ ‌ଏବେ ଦେଶରେ ରୋଜଗାର ଦେଉଥିବା ଏକ ବଡ଼ ଇଣ୍ଡଷ୍ଟ୍ରି ଭାବେ ଉଭା ହୋଇଛି, ଲୋକ ‌ତାହା ହୃଦୟଙ୍ଗମ କରିପାରୁନାହାନ୍ତି। ଆଜି ବି ଭାରତୀୟମାନେ ନିଜ ସନ୍ତାନଙ୍କୁ ପାଠ ପଢ଼ାଇବା ବେଳେ ବିଉଟି ଇଣ୍ଡଷ୍ଟ୍ରିରେ କ୍ୟାରିୟର୍‌ କରିବା କଥା ଭାବି ନାକ ଟେକନ୍ତି। ଅନ୍ୟତମ ବକ୍ତା ସ୍କୁଲ ଅଫ୍‌ ସର୍ଭିସେସ୍‌ ୱାର୍ଲ୍ଡ ସ୍କିଲ ସେଣ୍ଟର୍‌ର ନିର୍ଦ୍ଦେଶିକା ସୁଗୁନା ଶ୍ରୀନିବାସନ୍‌ କହିଲେ, କୌଶଳ ମଣିଷକୁ ସଶକ୍ତ କରେ। ବିଜ୍ଞାନ କାରିଗରୀ ଭଳି ବିଉଟି ଇଣ୍ଡଷ୍ଟ୍ରି ମଧ୍ୟ ନିଜ କାୟା ବିସ୍ତାର କରି ଚାଲିଛି। ଆଗକୁ ମଧ୍ୟ ଏହା ଆହୁରି ବିକଶିତ ହେବ। ଅଧିବେଶନକୁ ଅନୁରାଧା ମହାନ୍ତି ସଂଯୋଜନା କରିଥିଲେ। ଏହି ଅବସରରେ ଅଶ୍ବିନୀ ୱେଲ୍‌ନେସ୍‌ର ବ୍ରାଣ୍ଡ୍‌ ଲଞ୍ଚିଂ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ପାରମ୍ପରିକ ଖାଦ୍ୟ ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଏ

 

ଏବେ ମଣିଷ ‌ସେସବକୁ ନିୟନ୍ତ୍ରଣ କରିବାକୁ ଚାହେ, ଯାହା ତା’ ନିୟନ୍ତ୍ରଣାଧୀନ ନୁହେଁ। ଭବିଷ୍ୟତକୁ ନେଇ ମଣିଷ ଏତେ ଚିନ୍ତାଗ୍ରସ୍ତ ଯେ ନିୟନ୍ତ୍ରଣାଧୀନ ବର୍ତ୍ତମାନକୁ ସେ ଭୁଲି ଯାଉଛି। ଫଳରେ ମଣିଷ ଏବେ ଭାବଗତ ଚିନ୍ତାଗ୍ରସ୍ତ। ଏହା ମଣିଷର ହର୍‌ମୋନ୍‌ଚକ୍ରକୁ ସାଂଘାତିକ କ୍ଷତି ପହଞ୍ଚାଉଛି। ‘ପୋଷଣରୁ ବିକାଶ: ସ୍ବାସ୍ଥ୍ୟ, କଲ୍ୟାଣ ଓ ଉଦ୍ୟମିତା’ ଶୀର୍ଷକ ଅଧିବେଶନରେ ହୋଲିଷ୍ଟିକ୍‌ ଲାଇଫ୍‌ଷ୍ଟାଇଲ୍‌ କୋଚ୍‌ ଲୁକ କୌଟିନୋ ଏହା କହିଛନ୍ତି। ଆଜିକାଲି ମହିଳାମାନେ ଚାକିରି, ବ୍ୟବସାୟ ସବୁ କ୍ଷେତ୍ରରେ ପାଦ ଥାପିଲେଣି। ଅଧିକ କାମ ଅର୍ଥ ଅଧିକ ଚିନ୍ତା। ଏଭଳି ସ୍ଥିତିରେ ଶରୀରର ପ୍ରାକୃତିକ ଚକ୍ର କିଭଳି ସନ୍ତୁଳିତ ରହିବ? ତେଣୁ ପ୍ରତିଦିନ ବ୍ୟାୟାମ କରିବା ସହ ସଠିକ ପୋଷଣ ଗ୍ରହଣ କରିବା ଉଚିତ। ପାରମ୍ପରିକ ଖାଦ୍ୟ ହିଁ ମଣିଷ ଶରୀର ପାଇଁ ଉପକାରୀ।

‘ପଖାଳ’ର ଉଦାହରଣ ଦେଇ ସେ କହିଛନ୍ତି, ଓଡ଼ିଆଙ୍କ ଏହି ଖାଦ୍ୟ ଏବେ ବିଶ୍ବସ୍ତରରେ ବେଶ୍ ଉପକାରୀ ଖାଦ୍ୟ ଭାବେ ଗ୍ରହଣୀୟ ହୋଇପାରିଛି। ଭାରତୀୟ ପାରମ୍ପରିକ ଖାଦ୍ୟ ଆମ ଶରୀରର ସମସ୍ତ ପୋଷଣ ପୂରା କରିବାରେ ସକ୍ଷମ। ଆମ ଶାସ୍ତ୍ର/ପୁରାଣ‌ରେ ବି ଇଣ୍ଟରମିଡିଏଟ୍‌ ଫାଷ୍ଟିଂର ଉଦାହରଣ ରହିଛି। ସୂର୍ଯ୍ୟାସ୍ତ ପୂର୍ବରୁ ଓ ସୂର୍ଯ୍ୟୋଦୟ ପରେ ଖାଇବା ପରମ୍ପରା ଆମର ବହୁ ପୂର୍ବରୁ ପ୍ରଚଳିତ। ଏହାଦ୍ବାରା ଶରୀର ସଠିକ୍‌ ପୋଷଣ ପାଇବା ସହ ଶରୀର ମଧ୍ୟରୁ ଦୂଷିତ ପଦାର୍ଥ ବାହାରିବାକୁ ପର୍ଯ୍ୟାପ୍ତ ସମୟ ମିଳିଯାଏ। ଫଳରେ ମଣିଷ ସକ୍ରିୟ ରହିବା ସହ ନିଜ କର୍ମମୟ ଜୀବନକୁ ଅଧିକ ଭଲ ଭାବେ ତୁଲାଇପାରେ ବୋଲି ସେ କହିଥିଲେ। ଅଧିବେଶନକୁ ସ୍ବାତୀ କେଜ୍ରିୱାଲ୍‌ ସଂଯୋଜନା କରିଥିଲେ। ଶେଷରେ ଆଧ୍ୟାତ୍ମିକ ଗୁରୁ ଗୌରାଙ୍ଗ ଦାସ ପ୍ରଭୁଙ୍କ ଦ୍ବାରା ‘ପର୍ସୁଇଂ ଏକ୍ସିଲେନ୍ସ: କ୍ୟାନ୍‌ ଓମେନ୍‌ ହାଭ୍‌ ଇଟ୍‌ ଅଲ୍‌’ ଶୀର୍ଷକ ଆଲୋଚନାଚକ୍ର‌ରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରତିଟି କ୍ଷେତ୍ରରେ ନାରୀ କିଭଳି ନିଜ ଉତ୍କର୍ଷ ବଜାୟ ରଖିଛି, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର