ଫାଣ୍ଡିରେ ଜବତ ଗାଡ଼ିରୁ କଙ୍କାଳ ମିଳିବା ଘଟଣା: ସନ୍ଦେହ ଘେରରେ ଫାଣ୍ଡି ଅଧିକାରୀ, ନିଲମ୍ବନର ୬ ଦିନ ପର୍ଯ୍ୟନ୍ତ କାହିଁକି ଫାଣ୍ଡିକୁ ଦୌଡ଼ୁଥିଲେ?

ମାସେ ହେଲା ଚାଲିଛି ତଦନ୍ତ, ମିଳୁନି ସୁରାକ୍, ମୃତ ମହିଳାଙ୍କ ଫଟୋ କାହିଁକି ଜାରି କରୁନି ପୁଲିସ?

ଭୁବନେଶ୍ବର: କମିସନରେଟ ପୁଲିସ ଅଧୀନରେ ଥିବା ଯାଁଳା ଫାଣ୍ଡିରେ ଜବତ ଗାଡ଼ି ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାକୁ ମାସେରୁ ଅଧିକ ଦିନ ବିତି ଗଲାଣି। ପୂରା ମାସେ କାଳ ଧରି ପୁଲିସ ଘଟଣାକୁ ଚାପି ରଖିବା ପରେ ଏବେ ପଦାକୁ ଆସିଛି। ଘଟଣା ଲୋକଲୋଚନକୁ ଆସିବା ପରଠାରୁ ଏକାଧିକ ଦିଗକୁ ନେଇ ପୁଲିସ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଥାନା ହତାରେ ଡୋର ଲକ୍ ଥିବା ଗାଡ଼ି ଭିତରକୁ ମହିଳା ଆସିଲେ କେମିତି? ଡୋର ଲକ୍ ଖୋଲିଲା କିଏ? ଏତେ ଦିନ ଧରି ଥାନାର କୌଣସି କର୍ମଚାରୀ ଜାଣିପାରିଲେ ନାହିଁ କେମିତି? କାହିଁକି ୨୫ ଦିନ ପରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଗଲା? ଏମିତି ଅନେକ ପ୍ରଶ୍ନକୁ ନେଇ ପୁଲିସ ଭୂମିକା ସନ୍ଦେହ ଘେରରେ ରହିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲେ ମଧ୍ୟ କଙ୍କାଳର ଶବ ବ୍ୟବଚ୍ଛେଦରୁ ତାହା ଜାଣିବା ମଧ୍ୟ କଷ୍ଟକର। ଆରମ୍ଭରୁ ସନ୍ଦେହ ପ୍ରକାଶ ପାଇଥିବାବେଳେ ଏବେ ତଦନ୍ତର ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଗତ ୮ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ ଯାଁଳା ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଡିସିପି ଚାକିରିରୁ ନିଲମ୍ବିତ କରିଥିଲେ। ପୁଲିସର ଭୂମିକାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ନିଲମ୍ବିତ ହେବା ଦିନ ଠାରୁ ୬ ଦିନ ଧରି ଅର୍ଥାତ୍ ୧୩ ତାରିଖ ଯାଏ ସତ୍ୟବ୍ରତ ଫାଣ୍ଡିକୁ ଯାଉଥିଲେ। ଖାଲି ଯାଉ ନ ଥିଲେ ଫାଣ୍ଡିରେ ବସି ଫାଇଲ ମଧ୍ୟ ଖେଳାଉଥିଲେ। ଗତ ୧୩ ତାରିଖରେ ଘଟଣା ଲୋକଲୋଚନକୁ ଆସିବା ଦିନ ମଧ୍ୟ ସେ ଫାଣ୍ଡିକୁ ଯାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ନିଲମ୍ବନ ପରେ ବି କାହିଁକି ଫାଣ୍ଡିକୁ ଦୌଡ଼ୁଥିଲେ ସତ୍ୟବ୍ରତ? ଡିସିପି ଅଫିସ ସହ ସତ୍ୟବ୍ରତଙ୍କୁ ଆଟାଚ୍ କରାଯାଇଥିବା ବେଳେ ଫାଣ୍ଡିରେ ଏମିତି କି କାମ ପଡ଼ିଥିଲା? ଡିସିପିଙ୍କଠାରୁ ଅନୁମତି ନେଇ ଫାଣ୍ଡିକୁ ଯାଇଥିଲେ କି? ଫାଣ୍ଡି ଅଧିକାରୀଙ୍କ ଭୂମିକା ଏବେ ଅଧିକ ସନ୍ଦେହ ସୃଷ୍ଟି କରିଛି।

ମାସେରୁ ଅଧିକ ଦିନ ହେଲା କମିସନରେଟ ପୁଲିସ ନିଜେ ମାମଲାର ତଦନ୍ତ କରୁଥିଲେ ମଧ୍ୟ ସୁରାକ୍ ପାଇପାରି ନାହିଁ। ଏହି ଘଟଣା କେବଳ ରାଜଧାନୀରେ ଆଉ ସୀମିତ ହୋଇ ରହି ନାହିଁ। ସୋସିଆଲ ମିଡିଆରେ ବି ସାରା ରାଜ୍ୟରୁ ପୁଲିସର ସନ୍ଦେହଜନକ ଭୂମିକା ନେଇ ସ୍ବର ଉଠିଲାଣି। ଏଭଳି ସ୍ଥିତିରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଘଟଣାର ପର୍ଦ୍ଦାଫାସ୍ ହୋଇପାରିବ ବୋଲି ଦାବି ଉଠିଲାଣି। ଆଇନଜୀବୀ ଧରଣୀଧର ନାୟକଙ୍କ କହିବା ଅନୁସାରେ, ଯେହେତୁ ପୁଲିସ କ୍ୟାମ୍ପସରେ ଏଭଳି ଏକ ଘଟଣା ଘଟିଛି ଏହାର କ୍ରାଇମବ୍ରାଞ୍ଚ କିମ୍ବା ଆହୁରି ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ନିରପେକ୍ଷ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ।

ଅନ୍ୟପକ୍ଷରେ କଙ୍କାଳର ମୁହଁ ପୁନର୍ଗଠନ ଫଟୋ (ଫେସ୍ ରିକନଷ୍ଟ୍ରକସନ୍) କମିସନରେଟ ପୁଲିସକୁ ମିଳି ସାରିଛି। କିନ୍ତୁ ଏହି ଫଟୋ ପୁଲିସ ପକ୍ଷରୁ ଏଯାଏ ଜାରି କରାଯାଇ ନାହିଁ। ଜଣେ ମହିଳାଙ୍କ କଟାମୁଣ୍ଡ ମିଳିବା ଘଟଣାରେ ପୁଲିସ ଗଣମାଧ୍ୟମର ସହୟତା ନେଇଥିଲା। ଗଣମାଧ୍ୟମରେ ଫଟୋ, ମହିଳାଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିଲେ ଏବଂ ପୁଲିସକୁ ମାମଲାର ପର୍ଦ୍ଦାଫାସ୍ କରିବା ସହଜ ହୋଇଥିଲା। କିନ୍ତୁ ଏହି ଘଟଣାରେ ଗଣମାଧ୍ୟମକୁ ଫଟୋ ଜାରି କରା ନ ଯିବା ପଛରେ ଉଦ୍ଦେଶ୍ୟ କଣ ରହିଛି ତାହା ବୁଝା ପଡ଼ୁ ନାହିଁ।
ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛି। ରାଜଧାନୀର ବିଭିନ୍ନ ଥାନା ସମେତ ଖୋର୍ଦ୍ଧା, ପିପିଲି ଆଦି ଅଞ୍ଚଳରେ ନିଖୋଜ ମହିଳାଙ୍କ ସମ୍ପର୍କରେ ତଥ୍ୟ ହାସଲ କରୁଛି। ସେପଟେ ରାଜ୍ୟ ଫୋରେନସିକ୍ ଲାବୋରେଟାରିରେ ହୋଇଥିବା ହାଡ଼ର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତଦନ୍ତରେ ୨୫ ଜଣିଆ ପୁଲିସ ଟିମ୍ ଲାଗିଛନ୍ତି। ମାତ୍ର ତଦନ୍ତ ବେଶି ବାଟ ଆଗେଇ ପାରିନଥିବା ଜଣାପଡ଼ିଛି।

ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା
ଥାନା ଭିତରେ ଜବତ ଗାଡ଼ିରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଭାବେ ଗ୍ରହଣ କରିଛନ୍ତି ରାଜ୍ୟ ମହିଳା କମିସନ। ଭୁବନେଶ୍ବର ଡିସିପିଙ୍କୁ କମିସନ ଅଧ୍ୟକ୍ଷା ମିନତି ବେହେରା ରିପୋର୍ଟ ତଲବ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଶ୍ରୀମତୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ମାସେ ଭିତରେ ଏହି ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଶ୍ରୀମତୀ ବେହେରା କହିଛନ୍ତି, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ତେଣୁ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବା ଦରକାର।

ଜଟଣୀ ଆଇଆଇସିଙ୍କ ବୟାନ ରେକର୍ଡ, ସତ୍ୟବ୍ରତଙ୍କୁ ଜେରା
ଆଉ ଜଣେ ଅଧିକାରୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ମହିଳା ଥାନାଧିକାରୀ ବନିତା ମହାରଣା ଏହି ମାମଲାର ତଦନ୍ତ ଦାୟିତ୍ବ ନେବା ପରେ ପୁଣିଥରେ ମୂଳରୁ ତଦନ୍ତ ଆରମ୍ଭ କରିଛନ୍ତି। କଙ୍କାଳ ଉଦ୍ଧାର ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଟଣୀ ଥାନା ଆଇଆଇସି ବିଶ୍ବରଞ୍ଜନ ସାହୁଙ୍କର ବୟାନ ରେକର୍ଡ କରାଯାଇଛି। ଘଟଣା ଦିନ କଙ୍କାଳ କେଉଁ ପରିସ୍ଥିତିରେ ଥିଲା? ସେଠାରେ କଣ କଣ ପଡ଼ିଥିଲା? ପାରିପାର୍ଶ୍ବିକ ସ୍ଥିତି କେମିତି ଥିଲା? ଘଟଣା ସମ୍ପର୍କରେ କେବେ ଅବଗତ ହେଲେ? କିଏ ତାଙ୍କୁ ଖବର ଦେଇଥିଲା? ସେହିପରି ଯେଉଁ ସମୟରେ ଗାଡ଼ି ଭିତରେ ମହିଳାଙ୍କ ମୃତ୍ୟୁ ହୋଇଛି; ସେହି ସମୟରେ ଥାନାଧିକାରୀ ଯାଁଳା ଫାଣ୍ଡିକୁ କେତେ ଥର ଯାଇଛନ୍ତି? ଗଞ୍ଜାମ ରମ୍ଭା ଥାନା ପୁଲିସ ଜବତ କରିଥିବା ଗାଡ଼ି ସମ୍ପର୍କରେ ଅବଗତ ଥିଲେ ନା ନାହିଁ? ଯଦି ନ ଥିଲେ କାହିଁକି ନ ଥିଲେ? ଆଜି ମହିଳା ଥାନାରେ ଏସବୁ ପ୍ରସଙ୍ଗରେ ସିଆର୍‌ପିସି ଧାରା-୧୬୧ ଅନୁସାରେ ଶ୍ରୀ ସାହୁଙ୍କ ବୟାନ ରେକର୍ଡ କରାଯାଇଛି। ସେହିଭଳି ନିଲମ୍ବିତ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଆଜି ପୁଣି ଥରେ ଜେରା କରାଯାଇଛି। ଘଟଣା ସମ୍ପର୍କରେ ସେ କାହିଁକି ଜାଣିପାରିଲେ ନାହିଁ? ଏତେଦିନ ଧରି ଗାଡ଼ି ଭିତରେ ମୃତଦେହ ଥିଲେ ମଧ୍ୟ ସେ କାହିଁକି ଜାଣିପାରି ନ ଥିଲେ? ଗାଡ଼ି ଡୋର ଲକ୍ ପଡ଼ିଥିବା ବେଳେ ଚାବି ପୁଲିସ ପାଖରେ ରହିଥିଲା। ଏହି ଡୋର୍ ଖୋଲିଲା କେମିତି? ସେହି ମହିଳାଙ୍କୁ ଫାଣ୍ଡି ଭିତରେ ପୂର୍ବରୁ କେବେ ଦେଖିଥିଲେ କି? ଏଭଳି ଏକାଧିକ ଦିଗକୁ ନେଇ ସତ୍ୟବ୍ରତଙ୍କୁ ଜେରା କରାଯାଇଛି। ଏହି ଘଟଣାରେ ତନାଘନା ଜାରି ରହିଥିବା ବେଳେ ଖୁବ୍‌ ଶୀଘ୍ର ଆଉ ଜଣେ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର