ଗୋଟିଏ ଗୋଡ଼ରେ ଦେଉଛନ୍ତି ନୃତ୍ୟଶିକ୍ଷା, ଦୃଷ୍ଟିଶକ୍ତି ନ ଥାଇ ବି ସିତାର ତାରର ପ୍ରବୀଣ ଚାଳକ

ଗୁରୁ ହିଁ ପ୍ରେରଣା : ହାର୍‌ ମାନିଛି ଅକ୍ଷମତା

‘‘ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ଥିଲେ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଶାରୀରିକ ଅକ୍ଷମତା ବି ବାଧକ ସାଜିପାରେ ନାହିଁ।’’ ପିଲା ବେଳୁ ବିଭିନ୍ନ ଗୁରୁଙ୍କଠାରୁ ଶୁଣି ଆସୁଥିବା ଏହି ହିତୋପଦେଶକୁ ସାର୍ଥକ କରିବା ସବୁ ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ। କାରଣ କଣ୍ଟକିତ ପଥରେ ଚାଲି ସଫଳତା ହାସଲ କରିଥିବା ସେଭଳି ବ୍ୟକ୍ତିଙ୍କୁ ସେମାନେ ନିତିଦିନିଆ ଜୀବନରେ କ୍ବଚିତ୍‌ ଦେଖିବାକୁ ପାଆନ୍ତି ବା ସେମାନଙ୍କ ସଂସ୍ପର୍ଶ‌‌‌‌‌‌‌ରେ ଆସନ୍ତି। ତେଣୁ ସେମାନଙ୍କୁ ସେଭଳି ପ୍ରେରଣା ମିଳିପାରେ ନାହିଁ। କିନ୍ତୁ ଏହି ଉକ୍ତିକୁ ଯଥାର୍ଥ ପ୍ରମାଣ କରିଥିବା ବ୍ୟକ୍ତିଟିଏ ଯଦି ଗୁରୁ ହୋଇଥାଏ, ତାଙ୍କଠାରୁ ଶିକ୍ଷାଲାଭ କରୁଥିବା ପିଲାଙ୍କଠାରୁ ଭାଗ୍ୟବାନ୍‌ ଆଉ କିଏ ହୋଇ ନପା‌ରେ। ଶାରୀରିକ ଅକ୍ଷମତା ସତ୍ତ୍ବେ ଜୀବନ ଯୁଦ୍ଧରେ ସଂଘର୍ଷ କରି ସଫଳତାର ଶୀର୍ଷ ଛୁଇଁଥିବା ଏଭଳି ଗୁରୁଙ୍କୁ ନେଇ ପବିତ୍ର ଗୁରୁ ଦିବସ ଅବସରରେ ସ୍ବତନ୍ତ୍ର ଉପସ୍ଥାପନା…

ଗୋଟିଏ ଗୋଡ଼ରେ ଦେଉଛନ୍ତି ନୃତ୍ୟଶିକ୍ଷା
୨୦୦୦ ମସିହା‌‌ରେ ଏକ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣକୁ ନେଇ ତାଙ୍କ ସ୍ବପ୍ନ, ଅଭିଳାଷ ସବୁ ତାସଘର ଭଳି ଭାଙ୍ଗି ଚୂରମାର୍‌ ହୋଇଗଲା। କିନ୍ତୁ ଏଥିରେ ସେ ହାରି ନଯାଇ ପୁଣିଥରେ ଠିଆ ହେବାକୁ ମନକୁ ଦୃଢ଼ କଲେ। ଗୁରୁ ବିମ୍ବାଧର ଦାସଙ୍କଠାରୁ ଗୋଟିଏ ଗୋଡ଼ରେ ନୃତ୍ୟ କରିବାର କଳା ଶିଖିଲେ। ତା’ ପରଠାରୁ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି। ୨୦୦୩ରେ ଭୁବନେଶ୍ବରରେ ‘କଳାଶ୍ରମ’ କରି ପିଲାମାନଙ୍କୁ ଓଡ଼ିଶୀ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ୨୦୦୫ରେ ଭଦ୍ରକରେ ‘ଲଉଡ଼ି ଗବେଷଣା କେନ୍ଦ୍ର’ ସ୍ଥାପନ କରି ବୁଡ଼ି ଯାଉଥିବା ଲଉଡ଼ି ଲୋକନୃତ୍ୟର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ। ସେଠାରେ ଗରିବ ପିଲାଙ୍କୁ ମାଗଣାରେ ଲଉଡ଼ି ନୃତ୍ୟକଳା ଶିଖାଇ ଦେଶବିଦେଶର ଅନେକ କାର୍ଯ୍ୟକ୍ରମକୁ ପଠାଇ ଆସୁଛନ୍ତି। ଶହ ଶହ ପିଲାଙ୍କୁ ନୃତ୍ୟଶିକ୍ଷା ଦେବା ସହ ଜୀବନ ଜିଇଁବ‌ାର କଳା ଶିଖାଉଛନ୍ତି। ଦୀର୍ଘ ୧୭ବର୍ଷ ହେଲା ଭୁବନେଶ୍ବରରେ ‘ଗୁରୁଦକ୍ଷିଣା’ କାର୍ଯ୍ୟକ୍ରମ କରି ନିଜ ଗୁରୁଙ୍କୁ ଭକ୍ତିପୂତ ଅଞ୍ଜଳି ଅର୍ପଣ କରି ଆସୁଥିବା ବେଳେ ସମାଜକୁ ଗୁରୁ-ଶିଷ୍ୟ ପରମ୍ପରାର ମୂଲ୍ୟବୋଧ ଶିଖାଉଛନ୍ତି। ସେହିଭଳି ଜନ୍ମମାଟି ବିଦେଇପୁରରେ ‘କପିଳମୁନି ମହୋତ୍ସବ’ କରି ସେ ନିଜ ଜନ୍ମ ମାଟିକୁ କୃତଜ୍ଞତା ଅର୍ପଣ କରୁଛନ୍ତି।

ଆଖି ନ ଥାଇ ବି ସିତାର ତାରର ପ୍ରବୀଣ ଚାଳକ
ଓଡ଼ିଶା ସଙ୍ଗୀତ ଜଗତର ଜଣେ ଜଣାଶୁଣା ଚେହେରା ଗୁରୁ ଭୀମସେନ୍‌ ମହାରଣା। ପିଲାଟି ଦିନୁ ସେ ଦୃଷ୍ଟିବାଧିତ। କିନ୍ତୁ ବିଧିର ଏ ଅନ୍ୟାୟ ତାଙ୍କ ପାଇଁ କେବେ ହେଲେ ବାଧକ ହୋଇ ଛିଡ଼ା ହୋଇପାରିନାହିଁ। ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ ନିଜକୁ ଜଣେ ସଫଳ ସିତାର୍‌ ବାଦକ ଓ ପ୍ରଶିକ୍ଷକ ଭାବେ ଅଧିଷ୍ଠିତ କରାଇ ପାରିଛନ୍ତି। ତାଙ୍କରିଠାରୁ ଶିକ୍ଷା ଲାଭ କରି ବର୍ଷକୁ ୧୦୦ରୁ ୨୦୦ ପିଲା ଜାତୀୟ ଓ ଅନ୍ତର୍ଜା‌ତୀୟ ସ୍ତର‌ରେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ସଂଯୋଗର କଥା ହେଲା, ଗୁରୁ ଶ୍ରୀ ମହାରଣା ମଧ୍ୟ ଜଣେ ଦୃଷ୍ଟିବାଧିତ ଗୁରୁ ପଣ୍ଡିତ ସୁରମଣି ବାଉରିବନ୍ଧୁ ସେଠୀଙ୍କଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ପଣ୍ଡିତ ସୁରମଣି ଭାରତର ଜଣେ ସୁପ୍ରଖ୍ୟାତ ସିତାର ବାଦକ। ଦୀର୍ଘ ୧୬ ବର୍ଷ ଧରି ଭୀମସେନ୍‌ ତାଙ୍କଠାରୁ ଶିକ୍ଷାଲାଭ କରି ତାଙ୍କରି ପଦାଙ୍କ ଅନୁସରଣ କରି ଆସୁଛନ୍ତି। ଶ୍ରୀ ମହାରଣା ଏବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ‌ରେ ସୀତାର ବିଭାଗରେ ଗୁରୁ ଭାବେ ଅଧିଷ୍ଠିତ। ତାଙ୍କ ଜୀବନ ସଂଘର୍ଷ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ଆଦିବାସୀ ପିଲାଙ୍କୁ ଶିଖାଉଛନ୍ତି ଭଜନ

ଭୁବନେଶ୍ବର ପଥର ଗାଡ଼ିଆରେ ରହୁଥିବା ଗୁରୁ ଦିଲ୍ଲୀପ କୁମାର ସାହୁ ବି ପିଲା ଦିନୁ ଦୃଷ୍ଟିବାଧିତ। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରୁ ଶିକ୍ଷାଗତ ଯୋଗ୍ୟତା ହାସଲ କରି ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ଭଜନ ବୋଲିବା ସହ ଟିପଲ୍‌ ବାଦନ କରି ସେ ନିଜକୁ ଜଣାଶୁଣା କରିପାରିଥିଲେ। କିଛି ପିଲାଙ୍କୁ ଗୀତ ଓ ବାଦ୍ୟଯନ୍ତ୍ର ବଜାଇବା ଶିଖାଉଥିଲେ। କିନ୍ତୁ ୨୦୧୭ରେ ତାଙ୍କ ଜୀବନରେ ଏକ ଝଡ଼ ମାଡ଼ି ଆସିଲା। ସେହିବର୍ଷ ଜୁଲାଇ ୩ତାରିଖରେ ବାଲେଶ୍ବରରେ ଜଣେ ଚୋର ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲା। ସେ ତାକୁ ଧରିବା ପାଇଁ ଗୋଡ଼ାଇବା ବେଳେ ରେଳ ଟ୍ରାକ୍‌ରେ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍‌ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ତାଙ୍କର ଗୋଟିଏ ହାତ ଓ ଗୋଡ଼ କଟିଯାଇଥିଲା। କିନ୍ତୁ ଜୀବନ ସଂଗ୍ରାମରେ ସେ ହାରିଯାଇନଥିଲେ। ସୁସ୍ଥ ହେବା ପରେ ପୁଣି ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଛନ୍ତି। କିସ୍‌ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ଉପରେ ଗୁରୁଦାୟିତ୍ବ ନ୍ୟସ୍ତ କରିଛନ୍ତି। କିସ୍‌ର ଆଦିବାସୀ ପିଲାଙ୍କୁ ସେ ଭଜନ ଶିଖାଉଛନ୍ତି।

ସମ୍ବନ୍ଧିତ ଖବର