ହାଜତ୍‌ରେ ଥାର୍ଡ ଡିଗ୍ରି : କୁଆଡ଼େ ଗଲା ସୁପ୍ରିମକୋର୍ଟ ନିର୍ଦ୍ଦେଶ?

ଆଇଆଇସିଙ୍କ ଚାମ୍ବରରେ ନାହିଁ, ବ୍ୟାକ୍ଅପ୍ ମାତ୍ର ୧୫ ଦିନ
ରାଜଧାନୀର ୨୪ ଥାନାରେ ଲାଗିବ ୨ ହଜାର କ୍ୟାମେରା: ଡିସିପି

ଭୁବନେଶ୍ବର, (ବିବୁଧ ମହାନ୍ତି) : ହାଜତ ନିର୍ଯାତନା ଓ ହାଜତ ମୃତ୍ୟୁ ଉଦ୍‌ବେଗଜନକ ଭାବରେ ବଢ଼ିବା ପରେ ଅଭିଯୁକ୍ତମାନଙ୍କର ମାନବାଧିକାର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗତ ବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରତ୍ୟେକ ଆଇଆଇସିଙ୍କ ଚାମ୍ବର ସହ ଥାନାର ପ୍ରତ୍ୟେକ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ। ସମ୍ପୃକ୍ତ ସିସିଟିଭି ଫୁଟେଜ୍‌ ଅତି କମ୍‌ରେ ଦେଢ଼ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରହିବ। ଏହି ଆଦେଶ ଆସିବା ପରେ ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୁଲିସ ଅଫିସରଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ କମିସନରେଟ୍‌ ପୁଲିସର କୌଣସି ଥାନା ଇନ୍‌ସ୍‌ପେକ୍ଟରଙ୍କ ଚାମ୍ବରରେ ଏ ଯାଏ ସିସିଟିଭି କ୍ୟାମେରା ଲାଗି ନାହିଁ। ଥାନା ପରିସରରେ ଅନ୍ୟ ଯେଉଁଠି ସିସିଟିଭି କ୍ୟାମେରା ଲାଗିଛି, ତାହାର ଭିଡିଓ ଫୁଟେଜ୍‌ ମାତ୍ର ୧୫ ଦିନ ରହୁଛି। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ମିଳିବା ପରେ ଅଭିଯୁକ୍ତଙ୍କର ମାନବାଧିକାର ସୁରକ୍ଷା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି।

ଥାନା ହାଜତ ଭିତରେ ନିର୍ଯାତନା କିଛି ନୂଆ କଥା ନୁହେଁ। ଅଭିଯୁକ୍ତଠାରୁ ସତ ଉଗାରିବାକୁ ପୁଲିସ ବେଳେବେଳେ ଥାର୍ଡ ଡିଗ୍ରି ପ୍ରୟୋଗ କରେ ବୋଲି ସମସ୍ତେ ଜାଣନ୍ତି। ହେଲେ ପିଟିପିଟି ଲହୁଲୁହାଣ କରିବା କିମ୍ବା ମାରିଦେବା ଭଳି ଘଟଣାର ବାରମ୍ବାର ପୁନରାବୃତ୍ତି ଘଟିବା ଏବେ ଚିନ୍ତାର ବିଷୟ ହୋଇଛି। ଅନେକ ଘଟଣାରେ ପୁଲିସ ଅଭିଯୁକ୍ତର ମୃତ୍ୟୁର କାରଣକୁ ନେଇ ବିଭିନ୍ନ ସଫେଇ ଦେଉଥିଲେ ମଧ୍ୟ ନିକଟ ଅତୀତରେ ଘଟିଥିବା ପୁରୀ ହାଜତ ମୃତ୍ୟୁ ଓ ରାଉରକେଲା ନାବାଳକ ନିର୍ଯାତନା ଘଟଣା ଅନେକଙ୍କର ଆଖି ଖୋଲି ଦେଇଛି। ରାଉରକେଲା ହାଜତ ନିର୍ଯାତନା ଘଟଣାରେ ତିନିଜଣ ଅଧିକାରୀ ନାବାଳକଙ୍କୁ ନିର୍ଯାତନା ଦେଇଥିଲେ ବୋଲି ରାଉରକେଲା ଏସ୍‌ପି ମାନବାଧିକାର କମିସନଙ୍କୁ ଦେଇଥିବା ରିପୋର୍ଟରେ ସ୍ବୀକାର କରିବା ପରେ ଉପରୋକ୍ତ ସମସ୍ତ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି।

ଏଭଳି ଘଟଣାର ପୁନରାବୃତ୍ତି ଘଟିବାରୁ ଅଭିଯୁକ୍ତଙ୍କ ମାନବାଧିକାର ସୁରକ୍ଷା ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ବିଚାର କରି ସୁପ୍ରିମକୋର୍ଟ ଗତ ଡିସେମ୍ବର ୨ ତାରିଖରେ ୧୨ ପୃଷ୍ଠା ସମ୍ବଳିତ କଡ଼ା ନିର୍ଦ୍ଦେଶନାମା ଜାରି କରିଥିଲେ। ଥାନା ଇନ୍‌ସ୍‌ପେକ୍ଟରଙ୍କ ଚାମ୍ବର ସମେତ ହାଜତ ଓ ଅନ୍ୟ ଜାଗାମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହେବ। ସମ୍ପୃକ୍ତ ସିସିଟିଭି କ୍ୟାମେରାରେ ଫୁଟେଜ୍ ଅତି କମ୍‌ରେ ୬ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରିବା ଭଳି କ୍ଷମତା ଥିବ। ଏହି ବ୍ୟବସ୍ଥାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରତ୍ୟେକ ରାଜ୍ୟରେ ସେଣ୍ଟ୍ରାଲ ଓଭର ସାଇଟ୍‌ ବଡି (ସିଓବି), ପ୍ରତ୍ୟେକ ରାଜ୍ୟରେ ରାଜ୍ୟସ୍ତରୀୟ ଓଭର ସାଇଟ୍‌ କମିଟି(ଏସ୍‌ଏଲ୍‌ଓସି) ଓ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଓଭର ସାଇଟ୍‌ କମିଟି(ଡିଏଲ୍‌ଓସି) ଗଠନ ହୋଇ ଏହି ବ୍ୟବସ୍ଥାର ସ୍ଥିତି ନିୟମିତ ଯାଞ୍ଚ କରିବା। ତଦନ୍ତ ସମୟରେ ଅଭିଯୁକ୍ତକୁ ନିର୍ଯାତନା ଦିଆଯାଇ ନାହିଁ ବୋଲି ଏହି କମିଟି ନିଶ୍ଚିତ କରିବ। ହାଜତ ନିର୍ଯାତନା ଅଭିଯୋଗ ହେଲେ ଯେଭଳି ତଦନ୍ତ ବେଳର ଭିଡିଓ ଫୁଟେଜ୍‌ ଆଇଓ ଦେଖାଇ ପାରୁଥିବେ ସେ ନେଇ ସମ୍ପୃକ୍ତ ସିଓବି ନିଶ୍ଚିତ କରିବ।

ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହେବା ପରେ ଗତ ବର୍ଷ ସେପ୍ଟମ୍ବର ମାସରେ ସୁପ୍ରିମକୋର୍ଟ ରାଜ୍ୟର ସମସ୍ତ ଥାନାରେ ଥିବା ସିସିଟିଭି ବ୍ୟବସ୍ଥାର ସ୍ଥିତାବସ୍ଥା ଜାଣିବାକୁ ଚାହିଥିଲେ। ଓଡ଼ିଶାକୁ ଛାଡ଼ି ଅନ୍ୟ ୧୪ଟି ରାଜ୍ୟ ଏହି ସିସିଟିଭି ସ୍ଥିତାବସ୍ଥା ବାବଦରେ ରିପୋର୍ଟ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ଚାହୁଥିବା କୌଣସି ସୂଚନା ସେଥିରେ ସ୍ପଷ୍ଟ ନଥିଲା। ଏଣୁ ସୁପ୍ରିମକୋର୍ଟ ଆଇଆଇସିଙ୍କ ଚାମ୍ବର ସମେତ ହାଜତ ଓ ପରିସରରେ ସିସିଟିଭି ଲଗାଇବା ସହ ଏହାକୁ ନିୟମିତ ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ।

ନିକଟ ଅତୀତରେ ମହିଳା ଥାନାରେ ଏଭଳି ନିର୍ଯାତନା ନେଇ ଅଭିଯୋଗ ଆସିବା ପରେ ସୂଚନା ଅଧିକାର ଆଇନ ବଳରେ ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ କାର୍ଯ୍ୟକାରୀ ହେବା ନେଇ ଥାନାରେ ଲାଗିଥିବା ସିସିଟିଭିର ସବିଶେଷ ବିବରଣୀ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା। କମିସନରେଟ୍ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମହିଳା ଥାନା ଇନ୍‌ସ୍‌ପେକ୍ଟରଙ୍କ ରୁମ୍‌ରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇ ନାହିଁ। ବାହାରେ ଯେଉଁ କ୍ୟାମେରା ଖଞ୍ଜା ଯାଇଛି ସେଥିରେ ଫୁଟେଜ୍‌ ମାତ୍ର ୧୫ ଦିନ ରହୁଛି। ଏହା କେବଳ ଗୋଟିଏ ଥାନା ନୁହେଁ, ବରଂ ପ୍ରତ୍ୟେକ ଥାନାର ସ୍ଥିତି ଏଭଳି ରହିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗତ ୨୦୧୨ ମସିହାରେ ଭୁବନେଶ୍ବରର ସହିଦନଗର ଥାନାରେ ଏକ ହାଜତ ମୃତ୍ୟୁ ହୋଇଥିଲା। ସେତେବେଳେ ଏଠାରେ କାର୍ଯ୍ୟରତ ଇନ୍‌ସ୍‌ପେକ୍ଟର ଆଲୋକ ଜେନା ବିବାଦକୁ ଆସିଥିଲେ। ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିଲା। ହେଲେ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଭୁବନେଶ୍ବରରେ ଥିବା ୨୪ ଥାନାରେ ସିସିଟିଭି ଲାଗିବା ପାଇଁ ଯୋଜନା ହୋଇଛି। ଥାନା ଅନୁସାରେ ପାଖାପାଖି ୨୧୦୦ କ୍ୟାମେରା ଲଗାଇବା ପାଇଁ ଆକଳନ କରାଯାଇଛି। ଏଥିପାଇଁ ଡିଜିଙ୍କୁ ପତ୍ର ଲେଖାଯାଇଛି। ଏହା ମଞ୍ଜୁରୀ ପାଇଲେ ସିସିଟିଭି କ୍ୟା‌ମେରା ଖଞ୍ଜା ଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ କେତେକ ପୂର୍ବତନ ବରି‌ଷ୍ଠ ଅଧିକାରୀ କହିଛନ୍ତି, ଥାର୍ଡ ଡିଗ୍ରି ଅର୍ଥ ପିଟିପିଟି ମାରିଦେବା ନୁହେଁ। କିନ୍ତୁ ଥାର୍ଡ ଡିଗ୍ରି ନ ହେଲେ ଅପରାଧୀ ମାନିବା ଓ ସାମଗ୍ରୀ ଜବତ କରିବା କଷ୍ଟକର ହେବ।

ସମ୍ବନ୍ଧିତ ଖବର