ସୁଧଖୋର୍‌ ମହିଳା କନେଷ୍ଟବଳଙ୍କ ଧମକ, ସୁଧ ପାଇଁ ସିଲେଇ ମେସିନ୍‌ ଛଡ଼ାଇନେଲେ

ପୁରୁଣା ଭୁବନେଶ୍ୱର: ‘ତୁ ଯାଇ ଯାଇ ଥାନାକୁ ଯିବୁ ତ! ଯାଉନୁ ଯା! ମୁଁ ପରା ପୁଲିସ। କିଛି ହବନି। କିନ୍ତୁ ଜାଣିଥା, ଥାନାକୁ ଗଲେ, ଭୁବନେଶ୍ବରରେ ରଖେଇ ଦେବିନି।’ ଏହା ହେଉଛି ଋଣ କରିଥିବା ଜଣେ ଗରିବ ମହିଳାଙ୍କୁ ଜଣେ ସୁଧଖୋର୍‌ ମହିଳା କନେଷ୍ଟବଳଙ୍କ ଚେତାବନୀ। ସୁଧ ଟଙ୍କା ଦେଇ ନ ପାରିବାରୁ ଗତକାଲି ଋଣୀ ମହିଳାଙ୍କ ଦୋକାନରେ ପଶି ସିଲେଇ ମେସିନ୍‌ ଛଡ଼ାଇ ନେବା ବେଳେ ଏମିତି ଥିଲା ମହିଳା କନେଷ୍ଟବଳଙ୍କ ଧମକପୂର୍ଣ୍ଣ ବାଣୀ। ତେବେ ମହିଳା କନେଷ୍ଟବଳଙ୍କ କଥା ମଧ୍ୟ ସତ ହୋଇଛି। ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ବରଂ ମାମଲା ହୋଇନାହିଁ ବୋ‌ଲି ଥାନା ଅଧିକାରୀ ସଫେଇ ଦେଇ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସୁଧ କାରବାର କରୁଥିବା ଜଣେ ମହିଳା କନେଷ୍ଟବଳଙ୍କ ଶୋଷଣର ଶିକାର ହୋଇଥିବା ଜଣେ ଗରିବ ମହିଳାଙ୍କ ଅଭିଯୋଗକୁ ପୁଲିସ ଅଣଦେଖା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତକ୍ରିୟା ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ ପୁରୁଣା ଭୁବନେଶ୍ବର କେଦାରଲେନ୍‌ ପ୍ଲଟ୍‌ ନମ୍ବର ୬୫୨/୨୭୮୪ରେ ସଂଯୁକ୍ତା ରାଉତ(୩୫) ରହୁଛନ୍ତି। ତାଙ୍କ ଝିଅର କଲେଜ ଫର୍ମ ଫିଲ୍‌ ଅପ୍‌ ପାଇଁ ଟଙ୍କା ଦରକାର ପଡ଼ିବାରୁ ସେ ଶ୍ରୀଲିଙ୍ଗରାଜ ଥାନାର ଜଣେ ମହିଳା କନେଷ୍ଟବଳଙ୍କ ନିକଟରୁ ୧୦ ହଜାର ଟଙ୍କା ଉଧାର ନେଇଥିଲେ। ସେ ଗତ ଫେବ୍ରୁଆରିରେ ୧୦ ହଜାର ଟଙ୍କା ସୁଧ ଦେବା ସର୍ତ୍ତରେ ନେଇଥିଲେ। ସଂଯୁକ୍ତାଙ୍କ କହିବା କଥା ସେ ମୂଳ ୧୦ ହଜାର ଟଙ୍କା ସହ ସୁଧ ବାବଦରେ ୨ହଜାର ଟଙ୍କା ଫେରାଇ ଦେଇଥିଲେ। କିନ୍ତ ସୁଧ ହିସାବରେ ତାଙ୍କୁ ଆହୁରି ୩ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ମହିଳା କନେଷ୍ଟବଳ ଦାବି କରିଥିଲେ।

ସମ୍ବନ୍ଧିତ ଖବର