ଆଜି ସୂର୍ଯ୍ୟୋପରାଗ : ପୂର୍ବାହ୍ନ ୧୦ଟା ୨୦ରୁ ଆରମ୍ଭ, ଦିନ ୨ଟା ୨୦ରେ ମୋକ୍ଷ

ଭୁବନେଶ୍ବର : ରବିବାର ରାହୁଗ୍ରସ୍ତ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ। ଓଡ଼ିଶା ସମେତ ଭାରତ‌ର ସବୁ ଅଞ୍ଚଳରେ ଏହା ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ଆରମ୍ଭ ହୋଇ ଦିନ ୨ଟା ୨୦ରେ ମୋକ୍ଷ ହେବ ବୋଲି ଜଣାପଡ଼ିଛି। ତେବେ ମଧ୍ୟାହ୍ନ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଘଟିତ ହେବ। ସୁନ୍ଦରଗଡ଼ରେ ସର୍ବାଧିକ ୭୨ ପ୍ରତିଶତ ଓ ମାଲକାନଗିରିରେ ସର୍ବନିମ୍ନ ୬୧ % ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।

ସୂଚନା ଅନୁଯାୟୀ ପରାଗବେଳେ ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେବ। ତେଣୁ ଶନିବାର ରାତି ସାଢ଼େ ୧୦ଟା ପରେ ପାକତ୍ୟାଗ କରିବା ପାଇଁ ପଞ୍ଜିକାରେ କୁହାଯାଇଛି। ଜ୍ୟୋତିଷଶାସ୍ତ୍ରବିତ୍‌ ପ୍ରମୋଦ ପାତ୍ର କହିଛନ୍ତି, ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ୧୦ଟା ୩୭ ମିନିଟ୍‌ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍‌ ୨୫ସେକେଣ୍ଡ ପର୍ଯ୍ୟନ୍ତ ରହିବ। ତେଣୁ ୩ ଘଣ୍ଟା ୩୨ ମିନିଟ୍‌ ୭ ସେକେଣ୍ଡ ପର୍ଯ୍ୟନ୍ତ ଏହା ସଂଘଟିତ ହେବ।

କେମିତି ଦେଖିବେ
୧୪ ନମ୍ବର ୱେଲ୍‌ଡିଂ କାଚ, ପିନହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହି ବିରଳ ଦୃଶ୍ୟକୁ ଦେଖି ହେବ।

କିପରି ଦେଖିବେନି
ଖାଲି ଆଖିରେ, ଦୂରବୀକ୍ଷଣ ଓ ବାଇା‌ନୋକୁଲର, ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳା ଚଷମା, କଳା କାଚ।

The Quint

ଜ୍ୟୋତିଷଶାସ୍ତ୍ରବିତ୍‌ଙ୍କ ମତ ଅନୁସାରେ, ଏ ସମୟରେ ଖାଦ୍ୟ ହଜମ ହୁଏ ନାହିଁ। ତେଣୁ ୧୪ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯିବାର ବିଶ୍ବାସ ରହିଛି। ଶ୍ରୀ ପାତ୍ର କହିଛନ୍ତି, ଶନିବାର ଲୋକେ ୧୦ଟା ୩୭ ମିନିଟ୍‌ ୫୫ ସେକେଣ୍ଡରୁ ପାକତ୍ୟାଗ କରିପାରିବେ। ଏ ସମୟରେ ଅନ୍ନ ବର୍ଜନ ସହ ଦେବନୀତି ବନ୍ଦ ରହିବ। ପରାଗ ପରେ ସ୍ନାନ ପୂର୍ବକ ଦେବନୀତି ସମ୍ପାଦନ କରିପାରିବେ। ଏହି ସୂର୍ଯ୍ୟୋପରାଗ ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ରାଶି ପାଇଁ ଦର୍ଶନରେ ଅଶୁଭ। ଏହି ରାଶିର ବ୍ୟକ୍ତିମାନେ ଶନିବାର ସାଢ଼େ ୧୦ଟାରୁ ସୂର୍ଯ୍ୟୋପରାଗ ଶେଷ ପର୍ଯ୍ୟନ୍ତ ସତର୍କତା ଆପଣାଇବାକୁ ସେ କହିଛନ୍ତି। ଏହାବ୍ୟତୀତ ମେଷ, ବୃଷ, ସିଂହ, ମକର, କୁମ୍ଭ, ମୀନ ରାଶି ପାଇଁ ଏହା ଶୁଭ ବୋଲି ସେ କହିଛନ୍ତି।

କିନ୍ତୁ ସୂର୍ଯ୍ୟୋପରାଗ ଦେଇ ବୈଜ୍ଞାନିକମାନେ ଭିନ୍ନ ମତ ଦିଅନ୍ତି। ସେମାନଙ୍କର କହିବା କଥା ହେଲା ସୂର୍ଯ୍ୟୋପରାଗ ଏକ ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ।

ପୁଣିଥରେ ୨୦୨୦ ଡିସେମ୍ବର ୧୪ରେ ସୂର୍ଯ୍ୟୋପରାଗ ହେବ। ହେଲେ ଏହା ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ। ଜୁଲାଇ ୫ ତାରିଖ ଓ ନଭେମ୍ବର ୩୦ରେ ମଧ୍ୟ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। କିନ୍ତୁ ଏହା ବି ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ।

ସମ୍ବନ୍ଧିତ ଖବର