ପ୍ରଥମେ ସେ ତୁମ ଉପରେ ଧ୍ୟାନ ଦେବେନି..., ତା’ ପରେ ତୁମ ଉପରେ ହସିବେ... ଏହାପରେ ତୁମ ସହ ଲଢ଼ିବେ.... ତା’ ପରେ ଯାଇ ତୁମେ ସଫଳ ହେବ। ଦିନେ ଗାନ୍ଧୀଜୀ କହିଥିବା ଏହି କଥା ଆଜି ସତ ହୋଇଛି। ନାରୀ ଓ ପୁରୁଷ ବୃତ୍ତି ଭିତରେ ଠିଆ କରାଯାଇଥିବା ସେ ସୁଦୀର୍ଘ ପାଚେରିକୁ ଭାଙ୍ଗି ଚୂର୍ମାର୍ କରି ଦେଇଛି ଆଜିର ନାରୀ। ସେମାନେ ନିଜକୁ ଆହ୍ବାନ ଦେଇଛନ୍ତି, ଆଉ ସେଇ ଆହ୍ବାନ ହିଁ ଆଜି ଏକ ପରିବର୍ତ୍ତିତ ସମାଜର ମୁକସାକ୍ଷୀ ହୋଇଛି। ପୁରୁଷପ୍ରାଧାନ୍ୟ ଏହି ସମାଜର ସମସ୍ତ ଶୃଙ୍ଖଳ ଭାଙ୍ଗି ପୁରୁଷଙ୍କ ପାଇଁ ଉପଯୁକ୍ତ କୁହାଯାଉଥିବା ସମସ୍ତ କାର୍ଯ୍ୟରେ ନିଜକୁ ସିଦ୍ଧହସ୍ତ କରିପାରିଛନ୍ତି। ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମହିଳା ଦିବସ’ର ବିଷୟବସ୍ତୁ ରହିଛି ‘ଆହ୍ବାନକୁ ବାଛ’। ଅର୍ଥାତ ଏକ ଆହ୍ବାନପୂର୍ଣ୍ଣ ବିଶ୍ବ ହେଉଛି ସତର୍କ ରହୁଥିବା ବିଶ୍ବ। ଆଉ ଏହି ଆହ୍ବାନ, ପରିବର୍ତ୍ତନର ବାହକ ସାଜେ। ଅନ୍ତର୍ଜାତୀୟ ମହିଳା ଦିବସରେ ସମାଜର ଚିରାଚରିତ ଢାଞ୍ଚା ଓ ମାନସିକତାକୁ ବଦଳାଇବାରେ ସକ୍ଷମ ହୋଇଥିବା ରାଜଧାନୀର ଏମିତି କିଛି ନାରୀଙ୍କ ପ୍ରେରଣାଦାୟୀ କାହାଣୀକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
ଦିନେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଶବବାହିକା। କେଉଁ ଶବର ମୁଣ୍ଡ ନଥାଏ ତ କାହାର ହାତ ଗୋଡ଼ ନଥାଏ । କେଉଁ ଶବ ପଚିସଢ଼ି ପୋକ ସାଲୁବାଲୁ ତ କେଉଁ ଶବ ଦରପୋଡ଼ା ଅବସ୍ଥାରେ ଦୁର୍ଗନ୍ଧ ଦେଉଥାଏ। ଏହିଭଳି ଅଜଣା ଶବ ଉଦ୍ଧାର କରିବା ପାଇଁ ପୁଲିସ୍ ପହଞ୍ଚିବା ପୂର୍ବରୁ ସେଠାରେ ପହଞ୍ଚି ଯାଇଥାନ୍ତି ‘ପ୍ରଦୀପ ସେବା ଟ୍ରଷ୍ଟ’ର ମଧୁସ୍ମିତା ପୃଷ୍ଟି। ଅଚିହ୍ନା ଶବକୁ ବୋହି ଡାକ୍ତରଖାନା, ଶ୍ମଶାନ କିମ୍ବା ପରିଜନଙ୍କ ପାଖରେ ପହଞ୍ଚାଇଥାନ୍ତି ସେ। ଜଣେ ମହିଳା ହୋଇ ସେ କେବେ ଏହାକୁ ଘୃଣା କରି ନାହାନ୍ତି। ସ୍ବାମୀ ପ୍ରଦୀପ ପୃଷ୍ଟି ମଧ୍ୟ ଏହି କାମ କରୁଥିବାରୁ ସ୍ବାମୀଙ୍କ ପଦାଙ୍କ ଅନୁସରଣ କରି ନିଜକୁ ଏହିଭଳି ଏକ କଷ୍ଟକର କାମରେ ନିୟୋଜିତ କରି ଅନ୍ୟ ଅନେକଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ମଧୁସ୍ମିତା। ପୁଅ, ଝିଅ ଓ ସ୍ବାମୀଙ୍କୁ ନେଇ ପୂରୁଣା ଭୁବନେଶ୍ବର ଭିମଟାଙ୍ଗୀ ଅଞ୍ଚଳରେ ବାସ କରୁଥିବା ମଧୁସ୍ମିତା ଏକାଧାରାରେ ପାଲଟି ଯାଇଛନ୍ତି ଜଣେ ଶବ ଉଦ୍ଧାରକାରୀ, ଶବବାହିକା ଓ ଶବ ସତ୍କାରକାରୀ। ଶବ ଉଦ୍ଧାର ଓ ସତ୍କାରକୁ ଏବେ ଜୀବନର ବ୍ରତ ଭାବେ ଆପଣେଇ ନେଇଛନ୍ତି।
ପ୍ରଦୀପ ସେବା ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ଅସହାୟଙ୍କୁ ସହାୟତା ଯୋଗାଇବାରେ ଆଗକୁ ବଢୁଥିବାବେଳେ ଶବ ଉଦ୍ଧାର କ୍ଷେତ୍ରରେ ମଧୁସ୍ମିତା ହିଁ ଆଗଭର ହୁଅନ୍ତି। ସ୍ୱାମୀଙ୍କ ଗୋଡ଼ରେ ଆଘାତ ଲାଗିବା ପରେ ସେ ରାଜଧାନୀର ଯେ କୌଣସି ଅଞ୍ଚଳରୁ କୌଣସି ଶବ ପଡ଼ିଥିବାରୁ ଖବର ପାଇଲେ, ତୁରନ୍ତ ସେଠାରେ ପହଞ୍ଚି ତାକୁ କାନ୍ଧ ଦିଅନ୍ତି। ଶବକୁ ଶବବାହକ ଗାଡ଼ିରେ ରଖନ୍ତି। କେବଳ ସେତିକି ନୁହେଁ; ନିଜେ ଶବବାହକ ଗାଡ଼ି ଚଳାଇ ଶବକୁ ଠିକଣା ସ୍ଥାନରେ ପହଞ୍ଚାଇ ଦିଅନ୍ତି । ଶବର ପରିଚୟ ମିଳିଲେ ସେ ତାଙ୍କ ପରିଜନଙ୍କୁ ମଧ୍ୟ ହସ୍ତାନ୍ତର କରିଦିଅନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବାକୁ ପଡ଼ିଲେ ମଧ୍ୟ ସେ ଏଥିରେ ହେଳା କରନ୍ତି ନାହିଁ। ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଯଦି କୌଣସି ଶବର ପରିଚୟ ମିଳିପାରେ ନାହିଁ; ତେବେ ମଧୁସ୍ମିତା ନିଜେ ସେହି ଅଜଣା ଶବର ଆତ୍ମୀୟ ପାଲଟି ଶ୍ମଶାନରେ ଶବ ସତ୍କାର କରନ୍ତି। ଟ୍ରଷ୍ଟର ସଦସ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ଏକମାତ୍ର ମହିଳା ଯିଏ କି ଏହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥାନ୍ତି। ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଶବର ଅନ୍ତିମ ସଂସ୍କାରରେ ସାମିଲ କରାଯାଏ ନାହିଁ। ତେବେ ମଧୁସ୍ମିତାଙ୍କ ଏହି ମହାନ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ପେପର ପ୍ଲେଟ୍ ଦେଇଛି ବସ୍ତି ମହିଳାଙ୍କୁ ରୋଜଗାର। ସେ ପୁଣି ଜଣେ କି ଦୁଇ ଜଣ ନୁହନ୍ତି, ଭୁବନେଶ୍ବର ଉପାନ୍ତ ପାଣ୍ଡରାସ୍ଥିତ କୁମ୍ଭିରିଆ ବସ୍ତିର ୧୨ ଜଣ ମହିଳା ହୋଇପାରିଛନ୍ତି ଆତ୍ମନିର୍ଭାଶୀଳ। ପେପର ପ୍ଲେଟ୍ ତିଆରି କରି ସ୍ବାବଲମ୍ବୀ ହୋଇପାରିଛନ୍ତି ଓ ନିଜ ପରିବାରକୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ କରିପାରିଛନ୍ତି। କରୋନା ମହାମାରୀ ସମୟରେ ପେପର୍ ପ୍ଲେଟ୍ର ହଠାତ୍ ଚାହିଦା ବଢ଼ିଯାଇଥିବାବେଳେ ଏହି ବସ୍ତିର ମହିଳାମାନେ ନିଜକୁ ରୋଜଗାରକ୍ଷମ କରିବା ପାଇଁ ତଥା ମହାମାରୀ ସମୟରେ ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଅଣ୍ଟା ଭିଡ଼ିଥିଲେ। ପେପର୍ ପ୍ଲେଟ୍ ତିଆରି କରି ନିଜକୁ ତ ରୋଜଗାରକ୍ଷମ କଲେ; ଏହା ସହ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ ପାଇଁ ବି ବାଣ୍ଟିଲେ ସଚେତନତା ବାର୍ତ୍ତା। ଆଉ ତାଙ୍କୁ ସହଯୋଗର ହାତ ବଢ଼ାଇ ଦେଇଥିଲା ‘ପରିଚୟ ଫାଉଣ୍ଡେସନ୍’। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅନ୍ତରୀକ୍ଷ କର୍ପୋରେସନ ଲିମିଟେଡ୍ ସହବନ୍ଧନରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଗତ ଜୁନ୍ରେ ବସ୍ତିରେ ଦୁଇଟି ସ୍ବୟଂଚାଳିତ ପେପର ପ୍ଲେଟ୍ ମେସିନ୍ ଯୋଗାଇ ଦିଆଯାଇଛି। ଏଥିରେ ମେସିନ୍ ସାହାଯ୍ୟରେ ମହିଳାମାନେ ଡିସ୍ପୋଜେବୁଲ୍ ବା ବିଘଟନଯୋଗ୍ୟ ପ୍ଲେଟ୍ ତିଆରି କରୁଛନ୍ତି। ଏହାଦ୍ବାରା ବସ୍ତିର ଏବେ ବସ୍ତିର ୧୨ ଜଣ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି ପ୍ରକଳ୍ପ ଆରମ୍ଭ ହେବା ବେଳେ ୫୦ ଜଣ ମହିଳା ପେପର୍ ପ୍ଲେଟ୍ ତିଆରି କରି ପ୍ୟାକେଜିଂ କରିବା ଓ ଆଉ ୫୦ ମହିଳା ଏହାର ମାର୍କେଟିଂ ଦାୟିତ୍ବ ତୁଲାଇବାର ଯୋଜନା ପ୍ରସ୍ତୁତ ହୋଇଥିଲା। ଏହା ଦ୍ବାରା ୧୦୦ ମହିଳାଙ୍କୁ ରୋଜଗାରକ୍ଷମ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଏବେ ଏଥିରେ ୧୨ ଜଣ ମହିଳା କାର୍ଯ୍ୟରତ। ଆଗକୁ ସଂଖ୍ୟା ବଢ଼ିବ ଓ ମହିଳା ଦୁଇ ପଇସା ରୋଜବାର କରିବାର ସୁଯୋଗ ପାଇବେ ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି। ଏବେ ଏହି ମହିଳାମାନେ ଦିନକୁ ପାଖାପାଖି ୫ ହଜାର ପ୍ଲେଟ୍ ତିଆରି କରିବା ସହିତ ଧୂପକାଠି ପ୍ୟାକିଂ, ସିଲେଇ କାର୍ଯ୍ୟ ଆଦି କରୁଥିବା ଦେଖିବାକୁ ମିଳିଛି। ଏହାଫଳରେ ମହିଳାମନେ ମାସକୁ ପ୍ରାୟ ୫ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। କରୋନା ସମୟରେ ସଙ୍ଗରୋଧ କେନ୍ଦ୍ରରେ ହେଉ କିମ୍ବା ହୋଟେଲରୁ ପାର୍ସଲ ନେଲା ବେଳେ ହେଉ, ଏହି ପେପର୍ ପ୍ଲେଟ୍ର ଚାହିଦା ଖୁବ୍ ଅଧିକ ରହିଥିଲା। ଏହାଛଡ଼ା ଭୋଜି ହେଉ କି ଜଳଖିଆ ଦୋକାନ ବା ଘରକୁ ଅତିଥି ଆସିଲେ ପେପର୍ ପ୍ଲେଟ୍ ହିଁ ଖୋଜା ହୁଏ। ଲୋକମାନଙ୍କର ତଥା ବଜାରର ଚାହିଦାକୁ ଲକ୍ଷ୍ୟ କରି ଆମେ ଏହି ପ୍ରକଳ୍ପ ଆରମ୍ଭ କରିଥିଲୁ ବୋଲି କହିଛନ୍ତି ‘ପରିଚୟ ଫାଉଣ୍ଡେସନ୍’ର ପ୍ରତିଷ୍ଠାତ୍ରୀ ରୋଜାଲିନ୍ ପାଟ୍ଟଶାଣୀ। ଏହା ଫଳରେ ବସ୍ତିର ମହିଳାମାନେ ସ୍ବାବଲମ୍ବୀ ହେବା ସହ ନିଜ ସ୍ବାଧୀନତାକୁ ବି ଫେରି ପାଇ ପାରିଛନ୍ତି ବୋଲି ସେ କହିଛନ୍ତି।