ଆଜି ମହାଶିବରାତ୍ରି: ଶିବ ପଞ୍ଚାକ୍ଷରୀରେ କମ୍ପିବ ଏକାମ୍ର କ୍ଷେତ୍ର

ପୁରୁଣା ଭୁବନେଶ୍ୱର: ଚଳଚଞ୍ଚଳ ହୋଇ ଉଠିଲାଣି ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠ। ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ଆଉ ମାତ୍ର ଅଳ୍ପ କେଇ ଘଣ୍ଟାର ପ୍ରତୀକ୍ଷା ପରେ ଉପନୀତ ହେବ ମହାଶିବରାତ୍ରିର ସେଇ ମହାର୍ଘ୍ୟ ମୁହୂର୍ତ। ଶିବ ପଞ୍ଚାକ୍ଷରୀ କମ୍ପିବ ଏକାମ୍ର କ୍ଷେତ୍ର। ତେଣୁ ବାବାଙ୍କ ପୂଜାର୍ଚନା ସାଙ୍ଗକୁ ଦୀପଟିଏ ଜାଳିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠାର ଅନ୍ତ ନାହିଁ। ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା ପାଇଁ ପ୍ରଶାସନ ଓ ସେବାୟତଙ୍କ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ହୋଇଛି। ନିଷ୍ପତ୍ତି ଅନୁଯାୟୀ ରାତ୍ର ୧୦ଟାରେ ମହାଦୀପ ଉଠିବ। ମହାପ୍ରଭୁଙ୍କ ସମସ୍ତ ନୀତି ଠିକଣା ସମୟରେ ସଂପନ୍ନ ହେବା ପାଇଁ ପ୍ରଶାସନ ସେବାୟତମାନଙ୍କ ସହ ସମନ୍ଵୟ ରଖି କାର୍ଯ୍ୟ ଚଳାଇଛନ୍ତି। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ପ୍ରଶାସନ ସଜାଗ ହୋଇ ଉଠିଥିବାବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଲାଗିଲା ବିଶାଳ ଚାନ୍ଦୁଆ
ଶିବରାତ୍ରି ପାଇଁ ମନ୍ଦିର ଗର୍ଭଗୃହରେ ଲାଗିଛି ଏକ ବିଶାଳ ଚାନ୍ଦୁଆ। ୨୨ଫୁଟ୍‌ ଚଡ଼ଡା ୨୨ଫୁଟ୍‌ ଲମ୍ବ ବିଶିଷ୍ଟ ଏହି ଚାନ୍ଦୁଆକୁ ଜଣେ ଭକ୍ତ ଦାନ କରିଛନ୍ତି। ମନ୍ଦିର ପ୍ରଶାସନ ସହଯୋଗରେ ଏଏସ୍‌ଆଇ ପକ୍ଷରୁ ଏହାକୁ ଲଗାଯାଇଛି। ସେହିପରି ଗର୍ଭଗୃହକୁ ଏଏସ୍‌ଆଇ ପକ୍ଷରୁ ରଙ୍ଗ କାର୍ଯ୍ୟ ସରିଛି।

ରାତି ଅଧରେ ଷଣ୍ଢଧରା
ପ୍ରତିବର୍ଷ ମହାଶିବରାତ୍ରିରେ ଭକ୍ତଙ୍କ ଭିଡ଼ ମଧ୍ୟରେ ଷଣ୍ଢମାନେ ସମସ୍ୟା ସୃଷ୍ଟି କରିଥାନ୍ତି। ଚଳିତ ବର୍ଷ ଏହି ସମସ୍ୟା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଷଣ୍ଢଗୁଡ଼ିକୁ କାଞ୍ଜିଆହୁଦାକୁ ନେବା ଲାଗି ରାତି ଅଧରେ ଷଣ୍ଢ ଧରା କାର୍ଯ୍ୟ ଚାଲିଛି। କେତେକ ଷଣ୍ଢକୁ ଧରି ବିଏମ୍‌ସି ପକ୍ଷରୁ ୟୁନିଟ୍‌ ୩ କାଞ୍ଜିଆହୁଦାରେ ଛାଡ଼ିଛି। ତେବେ ବହୁ ଷଣ୍ଡ ଏବେ ବି ବୁଲୁଥିବା ଦେଖିବାକୁ ମିଳିଛି।

ମହାଦୀପ ନେବେ ୫ ସମର୍ଥା
ମହାଶିବରାତ୍ରିରେ ମହାଦୀପକୁ ୫ଜଣ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ନେବେ ବୋଲି ସମର୍ଥା ନିଯୋଗ ପକ୍ଷରୁ କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ଜଣ ଯିବା ପାଇଁ କୁହାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୫ଜଣ ମନ୍ଦିର ଚୂଡ଼ାକୁ ଯିବେ ବୋଲି ସ୍ଥିର ହୋଇଛି। ସେମାନେ ହେଲେ ସମର୍ଥା ସେବାୟତ ଯୋଗେନ୍ଦ୍ର, ଲିଙ୍ଗା, ମିଟୁ, ମୋହନ ଓ ଦୀପୁ। ତେବେ ମହାଦୀପ ସହିତ କୌଣସି ସେବାୟତ ସେଲ୍‌ଫି ଉଠାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚଳାଚଳ କରୁଛି ଅଧିକ ସିଟିବସ୍‌
ଶିବରାତି୍ରରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖିରେ ରଖି ପୁରୁଣା ଭୁବନେଶ୍ୱରକୁ ଅଧିକ ଟାଉନ୍‌ ବସ୍‌ ଓ ସିଟି ବସ୍‌ ଚାଲିବା ଆରମ୍ଭ ହୋଇଛି। ଏହାଛଡ଼ା ବିଭିନ୍ନ ଗାଡି ମଟର ରଖିବା ପାଇଁ ବିଏମ୍‌ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ଓ ନୂତନ ମାର୍କେଟ ନିକଟରେ ସ୍ଥାନ ନିରୂପଣ କରାଯାଇଛି। ସେହିପରି ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ପ୍ରଦାନ ଲାଗି ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ଏକ ଟିମ୍‌ ନିୟୋଜିତ କରାଯାଇଛି। ସେହିପରି ଜନସା୍ଵସ୍ଥ୍ୟ ବିଭାଗ ପକ୍ଷରୁ ବଢ଼େଇବାଙ୍କ ଛକ, ହାଟ, ଥାନା ପରିସର, ଲିଙ୍ଗରାଜ ମାର୍କେଟ, ଇଲେକ୍‌ଟ୍ରିକ୍‌ ଅଫିସ୍‌ ଛକଠାରେ ପାଣିଟାଙ୍କି ରଖା ଯାଇଛି।

ବାଲୁଗାଁ କିଆ ଫୁଲ ଗୋଟାକୁ ୩୦

ମହାଶିବରାତ୍ରିରେ ଶହ ଶହ ଭକ୍ତ ଠାକୁରଙ୍କୁ ଲାଗି କରିବେ କିଆ ଓ କେତକୀ ଫୁଲ। ଏଥିପାଇଁ ଚିଲିକା ନିକଟ ବାଲୁଗାଁ ନିକଟରୁ ଆସିଛନ୍ତି ୩୦ ଜଣ ଫୁଲ ବିକ୍ରେତା। ସେମାନେ ମନ୍ଦିର ଚାରିପଟେ ଆଜିଠୁ ପଶରା ମେଲାଇ ବସିଛନ୍ତି। କିଆ ଗୋଟାକୁ ୩୦ଟଙ୍କାରେ ବିକ୍ରି ହେଉଛି। କାଳେ ଆସନ୍ତାକାଲି ନ ମିଳିବ ଏଥିପାଇଁ କିଛି ଶ୍ରଦ୍ଧାଳୁ ଆଜିଠାରୁ ଏହାକୁ କିଣୁଥିବା ଦେଖିବାକୁ ମିଳିଛି।

ନିଜେ ନିୟମ କଲେ ନିଜେ ଭାଙ୍ଗିଲେ
ଏକାମ୍ର କ୍ଷେତ୍ରର ବିନ୍ଦୁସାଗରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ କୌଣସି ବ୍ୟାନର୍‌ ଲାଗିବ ନାହିଁ ବୋଲି ପର୍ଯ୍ୟଟନ ଓ ସଂସ୍କତି ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଗତକାଲି ରାତିରୁ ପ୍ରଥମେ ଦେଖିବାକୁ ମିଳିଲା ଖୋଦ୍‌ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟାନର୍‌। ଏହା ପରେ ଆଜି ଭଜନ ମଣ୍ଡପଠାରେ ବିଭିନ୍ନ ଦଳର ବ୍ୟାନର୍‌ ଛାଇ ଯାଇଛି।

ବନ୍ଧା ହେଲା ବ୍ୟାରିକେଡ୍‌

ଜାଗର ଯାତ୍ରାରେ ଏକାମ୍ର କ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଆସିବାର ଥିବାରୁ ବିଏମ୍‌ସି ଓ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ବିଏମ୍‌ସି ପକ୍ଷରୁ ରାସ୍ତା ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା କରାଯାଇଥିବାବେଳେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯାଇଛି। ସିଂହଦ୍ଵାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବନ୍ଧାଯିବା ସହ ମନ୍ଦିର ବେଢ଼ା ଚାରିପଟେ ବ୍ୟାରିକେଡ୍‌ ଲଗାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଠିଆ ହେବା ବେଳେ ଟାଣ ଖରାରୁ ରକ୍ଷା ପାଇଁ ବ୍ୟାରିକେଡ୍‌ ତଳେ କାର୍ପେଟ୍‌ ବିଛା ହେବା ସହ ଉପରେ ଛାମୁଣ୍ଡିଆ କରାଯାଇଛି। ଏଥିସହ ମନ୍ଦିର ଗର୍ଭ ଗୃହରୁ ପାଦୁକ ସଫେଇ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୪୦ଜଣ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ ନିୟୋଜିତ ହୋଇଛନ୍ତି।

ରାସ୍ତାରେ ଭାସୁଛି ଡ୍ରେନ ପାଣି
ମହାଶିବରାତ୍ରି ପାଇଁ ପ୍ରଶାସନ ତତ୍ପର ଥିବା ବେଳେ ମନ୍ଦିରକୁ ସଂଯୋଗ ରାସ୍ତାରେ ଡ୍ରେନ୍‌ ପାଣି ଭାସୁଛି। ଯାହା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏକାମ୍ର କ୍ଷେତ୍ରରୁ ନବୀନ ନିବାସ ଆଡ଼କୁ ଯାଇଥିବା ଜମେଶ୍ୱରପାଟଣା ରାସ୍ତାରେ ମଇଳା ନର୍ଦମା ପାଣି ଭାସୁଛି। ପ୍ରତ୍ୟହ ଶ୍ରଦ୍ଧାଳୁ ଏହି ରାସ୍ତରେ ଯିବା ଆସିବା ବେଳେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ପତକା ଚଢ଼ାଇଲେ ଅଢ଼େଇଶହ
ମହାଶିବରାତ୍ରିରେ ଶହ ଶହ ଭକ୍ତ ପତାକା ମନ୍ଦିର ଚୂଡ଼ାରେ ଚଢ଼ାଇବେ। ତେବେ ଏଥିପାଇଁ ପ୍ରଶାସନ ୨୫୦ଟଙ୍କା ଫି’ ରଖିଛି। ଶ୍ରଦ୍ଧାଳୁମାନେ ପତାକା ଚଢ଼ାଇବାକୁ ଚାହୁଁଥିଲେ ମନ୍ଦିର କାର୍ଯ୍ୟାଳୟରେ ପାଉଣା ଦେଇ ପତାକା ଦାଖଲ କରିବେ। ଏହାକୁ ଅନ୍ୟ ଅପରିଚିତ ବ୍ୟକ୍ତିଙ୍କୁ ଦେଲେ ଠିକଣା ଜାଗାରେ ପହଞ୍ଚିପାରିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ସୂତା ଓ ନାଲି ରଙ୍ଗର ପତାକା ଦେବାକୁ ସମର୍ଥା ସେବାୟତମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର