ଆଜି ଅସଲି ଛାଡ଼: ବଇନା ସରିଛି, ବୋହିବା ବାକି

ମଙ୍ଗଳବାର ଜମିଲାନି

ଭୁବନେଶ୍ବର: ବୁଧବାର ପଡ଼ୁଛି ଅସଲି ଛାଡ଼ଖାଇ। ତିଥି ଅନୁସାରେ ପଡ଼ିଥିବା ମଙ୍ଗଳବାର ଛାଡ଼ଖାଇ ବହୁ ଲୋକଙ୍କୁ ସୁହାଇନଥିବାରୁ ବୁଧବାରକୁ ଅପେକ୍ଷା। ତେଣୁ ପୂର୍ବରୁ ବଇନା ସରି ଯାଇଥିବା ଜଣାପଡ଼ିଛି। କିଏ ଖାସି ମାଂସ ବରାଦ କରିଛି ତ କିଏ ଚିକେନ୍‌ ବରାଦରେ ଅଛି। ବହୁ ଲୋକ ମାଛରେ କାମ ଚଳାଇବା ଲକ୍ଷ୍ୟରେ ଅଛନ୍ତି। ତେବେ ଅନେକ ଲୋକ ଖାସି ମାଂସଠାରୁ ଅଧିକ ଦାମ ବିଶିଷ୍ଟ ମାଛ ପାଇଁ ହାଟରେ ବରାଦ କରି ସାରିଛନ୍ତି। ସେହିଭଳି ଚିଲିକା କଙ୍କଡ଼ା ପାଇଁ ମଧ୍ୟ ହାଟରେ ବଇନା ଦିଆଯାଇଥିବା ଜଣାପଡ଼ିଛି। ବୁଧବାର ସକାଳୁ ଆରମ୍ଭ ‌ହେବ ଆମିଷ ବୁହା।

ଆଜି ମଙ୍ଗଳବାର ପଡ଼ିଥିଲା ଛାଡ଼ଖାଇ। କିନ୍ତୁ ବହୁ ଲୋକ ଏହି ବାରରେ ଆମିଷ ଖାଉନଥିବାରୁ ଏହି ଛାଡ଼ ଫିକା ପଡ଼ି ଯାଇଥିଲା। ବିଶେଷକରି ମହିଳାମାନେ ଏହି ବାରରେ ଆମିଷ ଖାଉନଥିବାରୁ ଅନେକ ଲୋକ ଘରକୁ ମାଛ ମାଂସ ନେଇ ପାରିନଥିଲେ। ତେଣୁ ଅନେକ ସ୍ଥଳରେ ବାହାରେ ଭୋଜିଭାତ କରି ଲୋକେ ଛାଡ଼ଖାଇ ପାଳନ କରିଥିବା ଦେଖିବାକୁ ମିଳିଥିଲା। ତେଣୁ ଆଜି ଆମିଷ ହାଟରେ ସେଭଳି ଭିଡ଼ ପରିଲକ୍ଷିତ ହୋଇନଥିଲା। ମାଛ ହାଟରେ ଏକପ୍ରକାର କାଉ ଉଡ଼ିବା ସ୍ଥିତି ଦେଖା ଯାଇଥିଲା। ସକାଳୁ ଅଳ୍ପ କିଛି ସମୟ ପାଇଁ ଭିଡ଼ ହୋଇଥିଲା। କିନ୍ତୁ ପ୍ରାୟ ୧୦ଟା ପରେ ଆମିଷ ବେପାରୀମାନେ ବସି ବସି ମାଛି ଉଡ଼ାଇବା ସ୍ଥିତିକୁ ଆସି ଯାଇଥିଲେ। ସନ୍ଧ୍ୟାରେ ମାଛ ହାଟର ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଥିଲା। ତେବେ ବେପାରୀମାନଙ୍କ କହିବା କଥା ସେମାନେ ମଙ୍ଗଳବାର ସ୍ଥିତିକୁ ପୂର୍ବରୁ ପରଖି ଥିବାରୁ କମ୍ ମାଲ୍ କିଣିଥିଲେ। ସେମାନେ ବୁଧବାରକୁ ପ୍ରସ୍ତୁତ ହୋଇ ଅଛନ୍ତି। ତେବେ ଆଜି ଆମିଷ ବଜାର ମଧ୍ୟରେ ମାଛର ଚାହିଦା ଅଧିକ ଥିଲା। ପାଖାପାଖି ୮୦୦ କ୍ବିଣ୍ଟାଲ୍ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହୋଇଥିବାବେଳେ ୬୦୦ କ୍ବିଣ୍ଟାଲ୍ ଚିକେନ୍ ବିକ୍ରି ହୋଇଥିଲା। ତେବେ ମଟନ ବଜାର ମାନ୍ଦା ଥିଲା। ପ୍ରାୟ ଶହେ କ୍ବିଣ୍ଟାଲ୍ ମଟନ ବିକ୍ରି ହୋଇଥିବା ଆକଳନ କରାଯାଇଛି।

ୟୁନିଟ୍‌ ୪ ମାଛ ହାଟରୁ ମିଳିଥିବା ସୂଚନାନୁସାରେ ମଙ୍ଗଳବାର ତୁଳନାରେ ବୁଧବାର ପାଖାପାଖି ୪ ଗୁଣା ଆମିଷ ବିକ୍ରି ହେବା ଆକଳନ କରାଯାଇଛି। ନିତିଦିନିଆ ଲୋକଙ୍କ ବରାଦ ଅନୁସାରେ ଏହି ଆକଳନ କରାଯାଉଛି। କିନ୍ତୁ ଏହି ପରିମାଣ ବଢ଼ିବ ବୋଲି ସେମାନେ ଦାବି କରିଛନ୍ତି। ମଟନ ବେପାରୀଙ୍କ ସୂଚନାନୁସାରେ ବୁଧବାରିଆ ପାଳି ସାଙ୍ଗକୁ ଛାଡ଼ ପାଳନ ପଡ଼ୁଥିବାରୁ ଲୋକେ ଖାସି ମାଂସ ଉପରେ ଅଧିକ ମାଡ଼ କରିବେ। ତେଣୁ ରାଜଧାନୀରେ ପ୍ରାୟ ୭ ଶହ କ୍ବିଣ୍ଟାଲ୍‌ ଖାସି ମାଂସ କାରବାର ହେବ ବୋଲି ସେମାନେ ଆଶା କରିଛନ୍ତି। ତେବେ ସମ୍ପ୍ରତି ଦର ବୃଦ୍ଧି ସାଙ୍ଗକୁ କରୋନା ସଂକଟରେ ଲୋକଙ୍କ ରୋଜଗାର କମ୍ ଥିବାରୁ ଚଳିତ ବର୍ଷ ଛାଡ଼ରେ ଏହି କାରବାର କମୁଥିବା କଥାକୁ ସେମାନେ ସ୍ବୀକାର କରିଛନ୍ତି। ଆଳୁ କିଲୋ ୪୦ ଟଙ୍କା, ପିଆଜ ୬୦ ଟଙ୍କା ହୋଇଥିବାବେଳେ ସୋରିଷ ତେଲ ୧୫୦ ଟଙ୍କା ଓ ରିଫାଇନ୍‌ ତେଲ ୧୨୫ ଟଙ୍କା ରହିଛି। ତେଣୁ ଆମିଷ ହାଟକୁ ଏହି ଦର ବୃଦ୍ଧି କିଛିଟା ପ୍ରଭାବିତ କରୁଛି ବୋଲି ବେପାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର