ମେସିନ୍‌ରେ ତ୍ରୁଟି, ଇ-ଚାଲାଣ ଠପ୍‌ : କାଗଜ ରସିଦ୍‌ରେ ଆଦାୟ ହେଉଛି ଟ୍ରାଫିକ ଜରିମାନା

ଭୁବନେଶ୍ୱର : ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବା ପାଇଁ ଦୁଇମାସ ତଳେ ଆରମ୍ଭ ହୋଇଥିବା ଇ-ଚାଲାଣ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ଦୁଇଟି ଆଇନ ବଳରେ ଏହି ଜରିମାନା ଆଦାୟ ହେଉଥିବା ବେଳେ ଜରିମାନା ଅର୍ଥ ଗୋଟିଏ ଆକାଉଣ୍ଟକୁ ଚାଲି ଯାଉଛି। ଫଳରେ ମେସିନ୍‌ ବ୍ୟବହାର ହୋଇ ପାରୁନାହିଁ। ପୁଲିସ ଅଧିକାରୀମାନେ ଏବେ ଜରିମାନା ଆଦାୟ କଲା ବେଳେ ମେସିନ ରଖି କାଗଜ ରସିଦ୍‌ ବ୍ୟବହାର କରୁଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଥିଲା ତାହା ଫଳପ୍ରଦ ହୋଇ ନାହିଁ। ଅନ୍ୟପଟେ ଇ-ଚାଲାଣ ବିନା ଆଉ କାଗଜ ରସିଦ୍‌(ମାନୁଆଲ)ରେ ଜରିମାନା ଆଦାୟ ହେବ ନାହିଁ ବୋଲି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ସମୟରେ ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା ସ୍ପଷ୍ଟ କରିଥିବାରୁ ଏବେ ମାନୁଆଲ ରସିଦ୍‌ କାଟିବା ବେଳେ ଉଲ୍ଲଂଘନକାରୀ ଏହାକୁ ଗ୍ରହଣ କରୁନାହାନ୍ତି। ଫଳରେ ବିଭିନ୍ନ ସ୍ଥାନ‌ରେ ଏହି ମାନୁଆଲ ରସିଦ୍‌କୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ମାନୁଆଲ ରସିଦ୍‌ ବଳରେ ଆଦାୟ ଅର୍ଥକୁ ପୁଲିସ ହରିଲୁଟ୍‌ କରୁଥିବା ଅଭିଯୋଗ ହେବାରୁ ଏଭଳି ଏକ ସ୍ବଚ୍ଛ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏବେ ପୁଣି ଥରେ ମାନୁଆଲ ରସିଦ୍‌ ଆରମ୍ଭ ହୋଇଥିବାରୁ ଗାଡ଼ିଚାଳକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ନେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ସଡ଼କ ନିରାପତ୍ତାକୁ ନେଇ ପୁଲିସ ଦୁଇଟି ଆଇନ ବଳ‌ରେ ଜରିମାନା ଆଦାୟ କରୁଛି। ଗୋଟିଏ ମୋଟର ଯାନ ଆଇନ ଓ ଅନ୍ୟଟି ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ। ଦୁଇଟି ଆଇନ ବଳ‌ରେ ଆଦାୟ ହେଉଥିବା ଅର୍ଥ ଦୁଇଟି ଆକାଉଣ୍ଟରେ ଜମା ହୋଇଥାଏ। ହେଲେ ଯେଉଁ ସବୁ ମେସିନ୍‌ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ପକ୍ଷରୁ ଯୋଗାଇ ଦିଆଯାଇଥିଲା ସେଥିରେ ଗୋଟିଏ ଆକାଉଣ୍ଟକୁ ଟଙ୍କା ଚାଲି ଯାଉଥିଲା। ଫଳରେ ସମସ୍ୟା ହୋଇଥିଲା। ମେସିନ୍‌ ବ୍ୟବହାର କରି ଜରିମାନା ଆଦାୟ କରିବା ସମ୍ଭବ ନ ଥିଲା। ଏଣୁ ଉଭୟ ଆଇନ ବଳରେ ଉଭୟ ଖାତାକୁ କିଭଳି ଜରିମାନା ଅର୍ଥ ଯିବ ସେ ନେଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସମସ୍ତ ମେସିନ୍‌ ନେଇ ସଫ୍ଟୱେର ଅପ୍‌ଡେଟ୍‌ କରୁଛନ୍ତି। ଯେତେଶୀଘ୍ର ବ୍ୟାଙ୍କ ଆମକୁ ମେସିନ୍‌ ଯୋଗାଇ ଦେବ ସେତେଶୀଘ୍ର ପୁଣି ଥରେ ଏହି ଇ-ଚାଲାଣ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ପରିବହନ ବିଭାଗ ପକ୍ଷରୁ କେବଳ ଇ-ଚାଲାଣ ଜରିଆରେ ଜରିମାନା ଆଦାୟ କରାଯାଉଛି, ସେମାନଙ୍କର କେବଳ ମୋଟର ଯାନ ଆଇନ ବଳରେ ଜରିମାନା ଆଦାୟ ହେଉଥିବା ବେଳେ ଅର୍ଥ ଗୋଟିଏ ଆକାଉଣ୍ଟକୁ ଯାଉଥିବାରୁ ସମସ୍ୟା ହୋଇନାହିଁ। ଯେତେବେଳେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା ସେତେବେଳେ ଏହି ସମସ୍ୟା ଉପରେ କାହିଁକି ବିଚାର କରାଯାଇ ନଥିଲା ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପଟେ କାଗଜ ରସିଦ୍‌ବ୍ୟବହାର କରି ପୁଲିସ ଜରିମାନା ଅର୍ଥ ହଡ଼ପ କରୁଥିବା ଅଭିଯୋଗ ସହ ଅନେକ ସମୟରେ ଅଧିକୃତ ଦଫାଠାରୁ ଭିନ୍ନ ଦଫା ବଳରେ ଜରିମାନା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ରହିଛି। ଏ ସଂକ୍ରାନ୍ତରେ ପୁଲିସ ବିଭାଗକୁ ପରିବହନ କମିସନର ସ୍ବତନ୍ତ୍ର ଚିଠି ଲେଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ମୋଟର ଯାନ ଆଇନର ଯେଉଁ ନିର୍ଦ୍ଦିଷ୍ଟ ଦଫା ବଳରେ ଜରିମାନା ଆଦାୟ କରିବା ପାଇଁ ପୁଲିସକୁ ଅଧିକୃତ କରାଯାଇଛି ପୁଲିସ ସେତିକି ଅଧିକାର ସାବ୍ୟସ୍ତ କରୁ। ତା’ ଠାରୁ ଭିନ୍ନ ଦଫା ବଳରେ ଜରିମାନା ଆଦାୟ ନ କରୁ।

ସୂଚନାଯୋଗ୍ୟ, କାଗଜ ରସିଦ୍‌ର ଅପବ୍ୟବହାର ହେବାରୁ ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଏକ ସ୍ବତନ୍ତ୍ର ଉତ୍ସବରେ ଏହାଗତ ଡିସେମ୍ବର ଏକ ତାରିଖରୁ କାର୍ଯ୍ୟକ୍ଷମ କରାଯାଇଥିଲା। ସମସ୍ତ ଜରିମାନା ଡିଜିଟାଲ ମୋଡ୍‌ରେ ପୈଠ ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କର ଅନ୍‌ଲାଇନ୍‌ ରେକର୍ଡ ରଖାଯିବା ସହ ନଗଦ ଓ ଡିଜିଟାଲ ମୋଡ୍‌(କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ)ରେ ଅର୍ଥ ସଂଗ୍ରହ କରାଯିବାକୁ ସ୍ଥିର ହୋଇଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ସହ ବୁଝାମଣା ସ୍ବାକ୍ଷରିତ ହେବା ସହ ୧୯୫ ଟି ମୋବାଇଲ୍‌ ଇ-ଚାଲାଣ ମେସିନ୍‌ ଯୋଗାଇ ଦିଆଯାଇଥିଲା। କମିସନରେଟ୍‌ ପୁଲିସ ସହ ୩୦ ଜିଲ୍ଲାର ୩୬ ଆର୍‌ଟିଓଙ୍କୁ ୧୬୨ଟି ପିଓଏସ୍‌ ମେସିନ୍‌ ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର