ଏଫଏମ୍‌‌ ରେଡିଓରେ ଶୁଭୁନି ଟ୍ରାଫିକ୍‌ର ସ୍ବର

ଆଗୁଆ ସୂଚନା ଅଭାବରୁ ଜନପଥ ଜାମ୍‌

ଭୁବନେଶ୍ବର: ଦୁର୍ଘଟଣା ହେଉ କିମ୍ବା ରୢାଲି, ବିକ୍ଷୋଭ, ଧାରଣା। ଏଥିପାଇଁ ବିଭିନ୍ନ ସମୟରେ ରାଜଧାନୀର ପ୍ରମୁଖ ରାସ୍ତା ଜାମ୍‌ ହେଉଛି। ଅନେକ ଏ ସମ୍ପର୍କରେ ଆଗୁଆ ସୂଚନା ନ ପାଇ ଭିଡ଼ରେ ଘଣ୍ଟା ଘଣ୍ଟା କାଳ ଫସି ଯାଉଛନ୍ତି। ବିଧାନସଭା ଚାଲୁଥିବା ବେଳେ ଜନପଥର ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର, ଏ ପଟେ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇଯାଉଛି। ପରିସ୍ଥିତି ଅସମ୍ଭାଳ ହେବା ସହ ଟ୍ରାଫିକ୍‌ ପୁଲିସ୍‌ ମଧ୍ୟ ବେଶ୍‌ କିଛି ସମୟ ହଲପଟା ହେଉଛନ୍ତି। ଜାମ୍‌ରେ ଫସିବା ପୂର୍ବରୁ ସାଧାରଣ ଲୋକ ବିଶେଷକରି କାର୍‌ ଚାଳକଙ୍କୁ ଏ ସମ୍ପର୍କରେ ଆଗୁଆ ସୂଚନା ଦେବାକୁ କମିସନରେଟ୍‌ ପୁଲିସ ୨୦୧୫ ମସିହାରେ ଏକ ଯୋଜନା କରିଥିଲା। ଯୋଜନା ଅନୁଯାୟୀ, କମିସନରେଟ୍‌ ପୁଲିସ ୪ଟି ଏଫଏମ୍‌ ଚ୍ୟାନେଲ ସହିତ ଆଲୋଚନା କରି କାର୍ଯ୍ୟ ଆରମ୍ଭ କରିଥିଲା। ଟ୍ରାଫିକ୍‌ ସମସ୍ୟା ସମ୍ପର୍କିତ ଖବର ଦିନକୁ ୩ଥର ଏଫଏମ୍‌ ଚ୍ୟାନେଲଗୁଡ଼ିକରେ ପ୍ରସାର କରିବାକୁ ପୁଲିସ ଯୋଜନା କରିଥିଲା। ତେବେ କିଛି ଦିନ ଏଫଏମ୍‌ ଚ୍ୟାନେଲଗୁଡ଼ିକରେ ଏଭଳି ଟ୍ରାଫିକ୍‌ ଜାମ୍‌ ସମ୍ପର୍କିତ ଖବର ପ୍ରସାର ପରେ ଏବେ ତାହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଅନେକ ସମୟରେ କାର୍‌ ଚାଳକମାନେ ଆଗୁଆ ସୂଚନା ନ ପାଇ ଅଯଥାରେ ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି।

ବର୍ତମାନର ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର୍‌ ଥିବା ବେଳେ ଏଭଳି ଏକ ଯୋଜନା ଆରମ୍ଭ କରିଥିଲେ। ବାଇକ୍‌ ଓ କାର ଚାଳକଙ୍କୁ ଏଫଏମ୍‌ ମାଧ୍ୟମରେ ଟ୍ରାଫିକ୍‌ ସମ୍ପର୍କିତ ସୂଚନା ପ୍ରଦାନ କରାଯିବା ସହ ସଚେତନ କରାଯାଉଥିଲା। ହେଲ‌ମେଟ୍‌ ଓ ସିଟ୍‌ ବେଲଟ୍‌ ପିନ୍ଧିବାକୁ କମିସନରେଟ୍‌ ପୁଲିସ ଏଫଏମ୍‌ ରେଡିଓ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରୁଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କହିଛନ୍ତି, ସହରରେ ଲାଗିଥିବା ସିସି କ୍ୟାମେରା ମାଧ୍ୟମରେ ପୁଲିସ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ନଜର ରଖିଥାଏ। କେଉଁଠି ଟ୍ରାଫିକ୍‌ ସମସ୍ୟା ଉପୁଜିଲେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏ ନେଇ ଏଫଏମ୍‌ ରେଡିଓ ମାଧ୍ୟମରେ ସୂଚନା ଦିଆଯାଉଥିଲା। ଏଫଏମ୍‌ରେ ଏହା ଶୁଣିବା ପରେ ଭିଡ଼ ମଧ୍ୟ କମୁଥିଲା। ବିଶେଷକରି ଜାତୀୟ ରାଜପଥରେ ଦୁର୍ଘଟଣା ଘଟି‌ଲେ, ଗାଡ଼ି ମୋଟର ଡାଇଭର୍ସନ୍‌ କରିବାରେ ଅନେକ ସହାୟତା ହେଉଥିଲା। ଟ୍ରାଫିକ୍‌ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି, ମୁଁ ଏ ସମ୍ପର୍କରେ ଅବଗତ ନଥିଲି। ତେବେ ଏନେଇ ଖୁବ୍‌ ଶୀଘ୍ର ଏଫଏମ୍‌ ରେଡିଓର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ପୁଣି ଏହାକୁ କାର୍ଯ୍ୟକାରୀ କରିବି।

ସମ୍ବନ୍ଧିତ ଖବର