ତୁମକୁ ଧନ୍ୟବାଦ

ଭୁବନେଶ୍ବର : ବାତ୍ୟା ପରେ ଅସହ୍ୟ ଖରା ଦାଉ ସାଧୁଛି। ଘରୁ ବାହାରିଲେ ଦେହ ଜଳିପୋଡ଼ି ଯାଉଛି। ଅଥଚ ଧୁ ଧୁ ଖରାବେଳେ ୬୦ ଫୁଟର ବିଦ୍ୟୁତ ଖୁଣ୍ଟି ଉପରେ ଚଢ଼ି ତାର ଯୋଖିବାକୁ ହାଡ଼ଭଙ୍ଗା ଖଟଣି ଖଟୁଛନ୍ତି କିଛି ଶ୍ରମିକ। ସମଗ୍ର ସହର ବୃକ୍ଷବନ୍ଦୀର ଚକ୍ରବ୍ୟୂହରେ ଫସିଥିବା ବେଳେ ରିସ୍କ୍‌ ନେଇ କାଟି ସଫା କରୁଛନ୍ତି ଏନ୍‌ଡିଆର୍‌ଏଫ୍‌ଙ୍କଠୁ ନେଇ ଅଗ୍ନିଶମ ବାହିନୀ।

ଦେହରେ ହାପ୍‌ ପ୍ୟାଣ୍ଟ୍‌କୁ ହାପ୍‌ ସାର୍ଟ। ହାତରେ କଟର ମେସିନ୍‌। ବୃକ୍ଷବନ୍ଦୀ ସହରକୁ ମୁକ୍ତି ଦେବାକୁ ସକାଳୁ ସଂଜ ଯାଏଁ କସରତ। ଝାଳନାଳ ହୋଇ ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ କାମରେ ନିୟୋଜିତ ରହିଥିବା ଏହି ସେନାନୀମାନେ ହୁଏତ ସିନେ ପରଦାର ସୁପରମ୍ୟାନ୍‌ ହୋଇନପାରନ୍ତି, କିନ୍ତୁ କୌଣସି ସୁପରମ୍ୟାନ୍‌ଙ୍କଠୁ କମ୍‌ ନୁହନ୍ତି। ଖାଲି ସେତିକି ନୁହେଁ, କିଛି ସ୍ବେଚ୍ଛାସେବୀଙ୍କ ଅବଦାନ ମଧ୍ୟ କମ୍‌ ନାହିଁ। ସହିଦନଗର ଦୁର୍ଗାପୂଜା କମିଟି, ଓଡ଼ିଶା ପତିତା ଉଦ୍ଧାର ସମିତି ହେଉ ଅବା ଶ୍ରୀକୃଷ୍ଣ କ୍ଲବ୍‌। କିଏ ବାତ୍ୟା ବିପନ୍ନଙ୍କ ପାଖେ ଅନ୍ନ ପହଞ୍ଚାଉଛି ତ କିଏ ପାଖରେ ଛିଡ଼ା ହୋଇ ସ୍ଥାନାନ୍ତର କରାଇଛି। ପୁଣି କିଏ ଅମୂଲ ମୂଲ ପାଲଟିଥିବା ପାଣି ନେଇ ଲୋକଙ୍କ ପାଖରେ ପହଞ୍ଚାଇଛି। ବାତ୍ୟା ଫନି ସିନା ଦୁଃଖ ଦେଇ ଚାଲିଗଲା, କିନ୍ତୁ ଏଇମାନେ ହିଁ ପାଲଟିଛନ୍ତି ଦୁଃଖ ସମୟର ଦରଦୀ ବନ୍ଧୁ।

ଏନେଇ ଆଶୁତୋଷ ପ୍ରଧାନ କହିଛନ୍ତି, ୫ ଦିନ ହେଲାଣି ଗଛ କାଟି ସଫା କରିବାରେ ନିୟୋଜିତ ହୋଇଛୁ। ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ନିର୍ଦେଶ ମୁତାବକ ଆମ କାମ କରୁଛୁ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଫୁର୍‌ସତ ନାହିଁ। କିଏ ‌ଯଦି ଖୁସି ହେଉଛି ଟିକେ ପାଣି ପଣା ଆଣି ଦେଉଛି। ଲୋକେ ବି ଆମ ସହ ମିଶିଯାଉଛନ୍ତି। ଏହା ଦେଖି ବହୁତ ଖୁସି ଲାଗୁଛି ବୋଲି ଅଗ୍ନିଶମ ସେନା ଶ୍ରୀ ପ୍ରଧାନ କହିଛନ୍ତି। ବାସ୍ତବରେ ଦୁଃଖ ସମୟରେ ଯଦି ଲୋକଙ୍କ ସହ ଠିଆ ନହେବୁ ଆଉ କେବେ ଠିଆ ହେବୁ। ଆମମାନଙ୍କର ବି ଘର ସହ ସମ୍ପର୍କ ନାହିଁ। ଲୋକଙ୍କୁ ଯେତେ ପର୍ଯ୍ୟନ୍ତ ବୃକ୍ଷବନ୍ଦୀରୁ ମୁକ୍ତି ନଦେଇଛୁ ସେ ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି ଅଗ୍ନିଶମ ବାହିନୀର ଶ୍ରୀଧର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର