ହଷ୍ଟେଲ ଖାଦ୍ୟ ଖାଇ ୧୨ ଅସୁସ୍ଥ, ୫ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ନିମ୍ନମାନର ଖାଦ୍ୟ ଖାଇ ୧୨ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୫ଜଣଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନନ୍ତର କରାଯାଇଛି।

ସୂଚନା ଅନୁସାରେ, ପୁରୁଣା ଭୁବନେଶ୍ୱର ନୂଆଗାଁ ନିକଟସ୍ଥ ଡିଡିୟୁ-ଜିକେୱାଇ ଛାତ୍ରୀ ହଷ୍ଟେଲର ଅନ୍ତେବାସୀମାନେ ଗତକାଲି ରାତିରେ ହଷ୍ଟେଲ ତରଫରୁ ଦିଆଯାଇଥିବା ଭାତ, ଡାଲି, ଆଳୁ ଭର୍ତ୍ତା ଓ କଲରା ଭଜା ଖାଇଥିଲେ। ଏହାପରେ ସେମାନଙ୍କ ପେଟ ଖରାପ ହେବା ସହ ବାନ୍ତି ହୋଇଥିଲା। ସକାଳୁ ସେମାନଙ୍କୁ ପ୍ରଥମେ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଛାତ୍ରୀମାନଙ୍କ ଅବସ୍ଥା ସ୍ଥିର ରହିଥିବା କ୍ୟାପିଟାଲ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଏକ ଟିମ୍ ହଷ୍ଟେଲରେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର