ପାସ୍ କଲେ ଦୁଇ ଡ୍ରପ୍ ଆଉଟ୍ ଛାତ୍ର, ପେଟ ପାଇଁ ଅଧାରୁ ପାଠ ଛାଡ଼ିଥିଲେ

ଅସମ୍ଭବକୁ ସମ୍ଭବ କଲା ଶିକ୍ଷୟିତ୍ରୀ ରତ୍ନମଂଜରୀଙ୍କ ପ୍ରେରଣା

ଭୁବନେଶ୍ବର: ପରିବାର ପୋଷିବା ତଥା ପେଟ ପାଇଁ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଜଣେ ଜଳଖିଆ ଦୋକାନରେ କାମ କରୁଥିଲେ ଆଉ ଜଣେ ମେଣ୍ଢା ଚରେଇବାକୁ ଜଗୁଆଳି ଭାବେ କାମ କରିଥିଲେ। ଅର୍ଥ ପାଇଁ ବାଧ୍ୟ ହୋଇ ଶୈଶବ ସମୟରୁ କାମକୁ ବାଛିଥିବା ଦୁଇଜଣ କିଶୋର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଉ ଏହି ଦୁଇଛାତ୍ର ହେଉଛନ୍ତି ରେଣ୍ଟାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଅବିତ୍ ଦିଗାଲ୍ ଓ ଅମୂଲ୍ୟ ବେହେରା।

ଉଭୟ ପିଲା ବେଳୁ ସାଙ୍ଗ ହୋଇ ଗୋଟିଏ ଥାଳିରେ ଖାଇବାଠୁ ଆରମ୍ଭ କରି ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ହେଲେ ପରିବାରର ବୋଝ ଓ ଆର୍ଥିକ ପ୍ରତିବନ୍ଧକ ପାଇଁ ସେମାନଙ୍କୁ ନବମ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ କରିଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ରତ୍ନମଂଜରୀ ଦାଶ ଏ ସଂପର୍କରେ ଜାଣି ଉଭୟଙ୍କୁ କାମ କରିବାକୁ ବାରଣ କରିବା ସହିତ ପାଠ ପଢ଼ିବାକୁ ପ୍ରବର୍ତ୍ତାଇଥିଲେ। ପାଠ ପଢ଼ିବାକୁ ଗଲେ ପରିବାର ଉପାସରେ ରହିବ। ଘର ପେଟ କେମିତି ପୋଷିବୁ? ତା’ଛଡ଼ା ପାଠପଢ଼ା ପାଇଁ ଆବଶ୍ୟକ ସର୍ବନିମ୍ନ ଖର୍ଚ୍ଚ ଦେବ କିଏ? ଏଭଳି ଅନେକ ପ୍ରଶ୍ନ ପଚାରି ପଢ଼ିବାକୁ ମନା କରିଥିଲେ ଦୁଇ ବନ୍ଧୁ। ମାତ୍ର ନଛୋଡ଼ବନ୍ଧା ଶିକ୍ଷୟିତ୍ରୀ ରତ୍ନମଂଜରୀ ଶେଷରେ ଅବିତ୍ ଓ ଅମୂଲ୍ୟଙ୍କୁ ବିଦ୍ୟାଳୟରେ ଆଣି ପାଠ ପଢ଼ାଇବା ସହିତ ଘରେ ସେମାନଙ୍କୁ ମାଗଣା ଟ୍ୟୁସନ୍ କରିଥିଲେ, ଖାତାକଲମ ବି କିଣି ଦେଇଥିଲେ। ପରିବାରର ଆର୍ଥିକ ଅଭାବ ଦୂର କରିବାକୁ ଉଭୟ ବନ୍ଧୁ ପାଠପଢ଼ା ପରେ ଖାଲି ସମୟରେ ରଙ୍ଗକାମ ଓ ଦିନ ମଜୁରିଆ ଭାବେ କାମ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ତେବେ ରଙ୍ଗ କାମ କରିବା ସହିତ ପାଠ ପଢ଼ିବା ସହଜ ନଥିଲା। ଏମିତି ଅନେକ ପ୍ରତିବନ୍ଧକ ସତ୍ତ୍ବେ ଦୁଇ ଜଣ ମାଟ୍ରିକ ପାସ୍ କରିଛନ୍ତି। ପରୀକ୍ଷା ହୋଇଥିଲେ ଅମୂଲ୍ୟ ଓ ଅବିତ୍ ଭଲ ମାର୍କ ରଖି ପାସ୍ କରିଥା’ନ୍ତେ ବୋଲି ଶିକ୍ଷୟିତ୍ରୀ ରତ୍ନ ମଂଜରୀ କହିଛନ୍ତି। ତେଣେ ଅବିତ ଓ ଅମୂଲ୍ୟ ମଧ୍ୟ ତାଙ୍କ ମାଡାମ୍‌ଙ୍କ ପାଇଁ ସେମାନେ ଦଶମ ପାସ୍ ହୋଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରତ୍ନମଂଜରୀ ସ୍ଥାନୀୟ ଅଞ୍ଚଳରେ ଦିବ୍ୟାଙ୍ଗ ଓ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ପାଠରେ ମନୋନିବେଶ କରିବା ପାଇଁ କାର୍ଯ୍ୟ କରନ୍ତି। ଏଥି ପାଇଁ ବିଭିନ୍ନ ଜାଗାରୁ ସେ ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି। ଦୁଷ୍ଟ ପିଲାଙ୍କୁ ବାଟକୁ ଆଣି ଭଲ ମଣିଷ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ସେଥିପାଇଁ ବିଦ୍ୟାଳୟରେ ତାଙ୍କୁ ସମସ୍ତେ ବାଳୁଙ୍ଗାଙ୍କ ମା’ ବୋଲି ଡାକନ୍ତି।

ସମ୍ବନ୍ଧିତ ଖବର