ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସାଢ଼େ ୩ ବର୍ଷ: କୋଠା ଛିଡ଼ାହେଲା, କାର୍ଯ୍ୟକ୍ଷମ ହେଲାନି

ଭୁବନେଶ୍ବର: ଦିନ କେଇଟା ପରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ବିଦା‌ୟ ନେବେ। କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଥିଲେ ମଧ୍ୟ ପର୍ଯ୍ୟାୟକ୍ରମେ ସାଢ଼େ ୩ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିଲେଣି। ରୁସା-୧ ଓ ରୁସା-୨‌ରେ ବିଶ୍ବବିଦ୍ୟାଳୟକୁ ପ୍ରଚୁର ଟଙ୍କା ଆସିଲା। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ବି ଟଙ୍କା ମୁଣି ଖୋଲିଦେଲେ। ଯେଉଁଥିରେ ମାଳ ମାଳ କୋଠା ଛିଡ଼ା ହେଲା। କ୍ୟାମ୍ପସ ପ୍ରବେଶ ପଥରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଯୁଆଡ଼େ ଚାହିଁଲେ, କେବଳ କୋଠା ହିଁ କୋଠା। ତେବେ ସାଢ଼େ ୩ ବର୍ଷ ମଧ୍ୟରେ ଅଧ ଡଜନରୁ ଅଧିକ କୋଠା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯେଉଁ କିଛି କୋଠା କାର୍ଯ୍ୟକ୍ଷମ ହୋଇଛି, ତାହା ପୁଣି ଅଧା। ତା’ ଭିତରେ ରୁସା ଅର୍ଥରେ ପ୍ରାୟ ୨୫ ‌କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂଆ ପ୍ରଶାସନିକ ଭବନକୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କୁଳପତି ପ୍ରଫେସର୍‌ ପଟ୍ଟନାୟକ କ୍ୟାମ୍ପସ୍‌ ଛାଡ଼ିବା ପୂର୍ବରୁ ଅଧାପନ୍ତରିଆ ଭାବେ ନିର୍ମାଣ ହୋଇଥିବା ଏହି କୋଠାକୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର୍‌ ଗଣେଶୀ ଲାଲ୍‌ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବକୁ ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଡକାଗଲା ନାହିଁ।

ଅନ୍ୟପକ୍ଷରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ଡିଜିଟାଲ ଲାଇବ୍ରେରି ଏବେ ବି ତାଲା ପଡ଼ି ରହିଛି। ବୈଷୟିକ ଜ୍ଞାନକୌଶଳ ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଏହି ଲାଇବ୍ରେରିର ପରିକଳ୍ପନା କରାଯାଇଥିଲା। ରାଜ୍ୟର ପ୍ରମୁଖ ତଥା ପୁରାତନ ଲାଇବ୍ରେରି ‘ପରିଜା ପାଠାଗାର’ରେ ଥିବା ପୁରାତନ ପାଠ୍ୟପୁସ୍ତକଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଯୋଜନା ହୋଇଥିଲା। ସମସ୍ତ ପୁସ୍ତକକୁ ସ୍କାନିଂ କରି ଶତାଧିକ କମ୍ପ୍ୟୁଟର୍‌ରେ ଉପଲବ୍ଧ କରାଇବାକୁ ସ୍ଥିର ହୋଇଥିଲା। ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିଲଡିଂ ଏବେ ବି ଭୂତକୋଠି ପାଲଟିଛି। ୫ ବର୍ଷ ହେଲା ୭ ନମ୍ବର ଛାତ୍ରାବାସ ନିର୍ମାଣ ହେଲାଣି। ହେଲେ ଖୋଲିପାରୁନି ଏହି ବିଲ୍‌ଡିଂର ତାଲା। ୨୦୧୯‌ରେ ଅଣଛାତ୍ର ଏହି କୋଠାରେ ରହୁଥିବା ଅଭିଯୋଗ ହେବା ପରେ ପୁଲିସ ଚଢ଼ଉ କରି ପ୍ରଚୁର ପରିମାଣର ନିଶା ସାମଗ୍ରୀ ଜବତ କରିବା ସହ ଶତାଧିକ ଅଣଛାତ୍ରଙ୍କୁ ବିତାଡ଼ିତ କରାଯାଇଥିଲା। ସେବେଠାରୁ କୋଠାରେ ତାଲା ପଡ଼ି ରହିଛି ଯେ ଫିଟିବାର ନାଁ ଧରିଲା ନାହିଁ। ଅଣଛାତ୍ରମୁକ୍ତ ହୋଇଥିବା ଏହି ବିଲ୍‌ଡିଂ କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ ସମୟରେ ଛାତ୍ରଙ୍କ କାର୍ଯ୍ୟରେ ଲାଗିପାରିଲା ନାହିଁ।

ବିଶ୍ବବିଦ୍ୟାଳୟର ବିଭିନ୍ନ ପିଜି ବିଭାଗ ଲାବରୋଟାରିରେ ଥିବା ସାମଗ୍ରୀ ମରାମତି ପାଇଁ ୧୫କୋଟି ଟଙ୍କାରେ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ ସେଣ୍ଟର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଥିଲା। ୨୦୧୭ରେ ବିଶ୍ବବିଦ୍ୟାଳୟ ଛାତ୍ର ସ˚ସଦର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥି‌ଲେ। ଏହି ବର୍ଷ ହିଁ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଏପର୍ଯ୍ୟନ୍ତ ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ପିଜି ବିଭାଗକୁ ଗୋଟିଏ ବିଲ୍‌ଡିଂରେ କାର୍ଯ୍ୟକ୍ଷମ କରିବାକୁ ୩.୫କୋଟି ଟଙ୍କା ବ୍ୟୟରେ ଲାଙ୍ଗୁଏଜ୍‌ ବ୍ଲକ ପ୍ରତିଷ୍ଠା ହୋଇଥିଲା। ଏହି ବ୍ଲକର ଭିତ୍ତିପ୍ରସ୍ତର ୨୦୧୫ରେ ସ୍ଥାପନ ହୋଇଥିଲା। ଲକ୍ଷ୍ୟ ଥିଲା ୨୦୧୭-୧୮ ଶିକ୍ଷାବର୍ଷରୁ ଉପରୋକ୍ତ ୩ଟି ବିଭାଗ ଏହି ବିଲ୍‌ଡିଂରେ କାର୍ଯ୍ୟକ୍ଷମ ହେବ। ଯେଉଁଥିପାଇଁ ୨୦୧୭ ଏପ୍ରିଲରେ ବିଲ୍‌ଡିଂ କାମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ୩ ବର୍ଷ ବିତିଲାଣି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି। ଓଡ଼ିଆ ଓ ଇଂରାଜୀ ବିଭାଗର ଅଧା ଅଂଶ ଏବେ ବି ପୁରୁଣା ବିଲ୍‌ଡିଂରେ ଚାଲିଛି।

ବିଶ୍ବବିଦ୍ୟାଳୟରେ ପିଜି ବିଭାଗ ସଂଖ୍ୟା ବଢ଼ୁଥିବାରୁ ସାମାଜିକ ବିଜ୍ଞାନ ସହ ଜଡ଼ିତ ଥିବା ୪ଟି ପିଜି ବିଭାଗକୁ ଗୋଟିଏ ବିଲ୍‌ଡିଂରେ କାର୍ଯ୍ୟକ୍ଷମ କରିବାକୁ ୬.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସୋସିଆଲ୍‌ ସାଇନ୍ସ ବିଲ୍‌ଡିଂ। ୨୦୧୫ରେ ଏହି ବିଲ୍‌ଡିଂର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଦୁଇ ବର୍ଷ ତାଲା ପଡ଼ି ରହିବା ପରେ ଅଧା ଅଂଶ ଖୋଲିଥିଲା। ସୋସିଆଲ୍‌ ସାଇନ୍ସ ବିଲ୍‌ଡିଂ ନାମରେ ନାମିତ ‌ହୋଇଥିବା ଏହି ବିଲ୍‌ଡିଂରେ ସେଣ୍ଟର ଫର୍‌ ଏକ୍ସଲେନ୍ସ କାର୍ଯ୍ୟକାରୀ ହେବ ବୋଲି ସ୍ଥିର ହୋଇଥିଲା। ତେବେ ଏବେ ଏହି ବିଲ୍‌ଡିଂ ଆଗରେ ଭିଡିଓ ସୁଟିଂ ହେଉଛି। ଏଚ୍‌ଆରଡି ସେଣ୍ଟର ଓ ସୋସିଆଲ ଆଉଟ୍‌ରିଚ୍‌ ସେଣ୍ଟର ମଧ୍ୟ ଅଧା ହୋଇ ପଡ଼ିରହିଛି।

ସମ୍ବନ୍ଧିତ ଖବର