ଗୁରୁ ଦକ୍ଷିଣା ଉତ୍ସବ

ଭୁବନେଶ୍ୱର: ‘କଳାଶ୍ରମ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୧୩ତମ ଗୁରୁ ଦକ୍ଷିଣା ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଆଜି ସନ୍ଧ୍ୟାରେ ପ୍ରଥମେ ନୂଆଦିଲ୍ଲୀର ପଦ୍ମଶ୍ରୀ ରଞ୍ଜନା ଗୌହର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ହରିହର ଦେଓ ‘ଭକତ ଆଖିର ଲୁହରେ ମହୋଦଧି ପାଣି ଲୁଣିଆ…’ ପରି ଭକ୍ତି ଗୀତରେ ନୃତ୍ୟ କରିଥିଲେ। ତାଙ୍କ ପରେ ଉତ୍ତରପ୍ରଦେଶର ନୋଏଡ଼ାରୁ ଆସିଥିବା ସମୀର ବେହେରା ଓ ସାଥୀଙ୍କ ଦ୍ୱରା ଓଡ଼ିଶୀ ନୃତ୍ୟାଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବେଙ୍ଗାଲୁରୁ ଆର୍ଟିକ୍ୟୁଲେଟ୍‌ ଡ୍ୟାନ୍ସ ଷ୍ଟୁଡିଓ ଦ୍ୱାରା କଥକ ନୃତ୍ୟ ଏବଂ ଶେଷରେ ଭୁବନେଶ୍ୱର ଦର୍ପଣ ଅନୁଷ୍ଠାନର ଭିନ୍ନକ୍ଷମମାନଙ୍କ ଦ୍ୱାରା ପ୍ରସ୍ତୁତି ଓଡ଼ିଆ ନାଟକ ‘ମଣିଷ ପଣିଆ’ ମଧ୍ୟ ଲୋକଙ୍କୁ ବାନ୍ଧି ରଖିଥିଲା। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅଶୋକ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଗୁରୁ ନିରଞ୍ଜନ ରାଉତ ଯୋଗ ଦେଇଥିଲେ। ‘କଳାଶ୍ରମ’ର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶୀ ନୃତ୍ୟଗୁରୁ ବିମ୍ବାଧର ଦାସଙ୍କ ତତ୍ତ୍ୱାବଧାନରେ କଳାଶ୍ରମ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମନୋଜ ଦାସ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ଇଂ ମିଲନ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର