ବାଣୀବିହାର କର୍ତୃପକ୍ଷଙ୍କ ନିର୍ଦେଶକୁ ଖାତିର କଲେନି, ଏବେ ବି ରହୁଛନ୍ତି ଅଣଛାତ୍ର
କ୍ୟାମ୍ପସକୁ ଫେରିଲେ କୁଳପତି, ମୁହଁ ଖୋଲିଲେନି
ଭୁବନେଶ୍ବର: ହଷ୍ଟେଲ ଛାଡ଼ିବାକୁ ମାର୍ଚ୍ଚ ୧୧ ଅପରାହ୍ଣରେ ନୋଟିସ୍ ଜାରି କରିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟ ୱାଡେନ୍। ୪୮ ଘଣ୍ଟା ଅର୍ଥାତ୍ ଆଜି ଅପରାହ୍ଣ ୪ଟା ୩୦ ଭିତରେ ସମସ୍ତ ହଷ୍ଟେଲରେ ରହୁଥିବା ଅଣଛାତ୍ର ହଷ୍ଟେଲ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦେଶ ଦେଇଥିଲେ। ସମସ୍ତ ୬ଟି ଯାକ ଛାତ୍ରାବାସରେ ନୋଟିସ୍ ଲଗାଯାଇଥିଲା। ହେଲେ ଏହାକୁ କେହି ବି ମାନିଲେ ନାହିଁ। ଏବେ ବି ହଷ୍ଟେଲରେ ରହୁଛନ୍ତି ଶତାଧିକ ଅଣଛାତ୍ର। ଏକ ନମ୍ବର ଛାତ୍ରାବାସ ସହ ଦୁଇ, ତିନି ଓ ଚାରି ନମ୍ବର ଛାତ୍ରାବାସରେ ଅଣଛତ୍ରମାନେ ରହିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହାର ଟେର୍ ବି ପାଇନାହାନ୍ତି। କେଉଁମାନେ ରହିଛନ୍ତି? ସେମାନେ ଛାତ୍ର କି ଅଣଛାତ୍ର କିମ୍ବା ପୁରାତନ ଛାତ୍ର ତାହାକୁ ବି ଯାଞ୍ଚ କରି ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ପାରିବା ପଣିଆ ନେଇ ଏବେ ପ୍ରଶ୍ନ ଉଠିଛି। ପୂର୍ବରୁ ବାରମ୍ବାର ଚଢ଼ଉ ହୋଇଛି। ଅଣଛାତ୍ରମାନଙ୍କୁ କ୍ୟାମ୍ପସରୁ ତଡ଼ିବା ଲାଗି ନୋଟିସ୍ ଜାରି ହୋଇଛି। ତଥାପି କିଛି ଫଳ ମିଳିନି। ପୂର୍ବ ପରି ଏଥର ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ନୋଟିସ୍କୁ କେହି ଖାତିର କରି ନଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ୭ ନମ୍ବର ହଷ୍ଟେଲ ଉପରେ ପୁଲିସ ଚଢ଼ଉର ଦୁଇ ଦିନ ପରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଆଜି କ୍ୟାମ୍ପସକୁ ଆସି କାର୍ଯ୍ୟରେ ଯୋଗଦେଇଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନଥିଲେ। ଅପରାହ୍ଣରେ କାର୍ଯ୍ୟରେ ଯୋଗଦେବାର କିଛି ସମୟ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ଚାଲିଯାଇଥିଲେ। ବାକି ହଷ୍ଟେଲଗୁଡ଼ିକରେ କେବେ ଚଢ଼ଉ ହେବ ସେନେଇ ମଧ୍ୟ କେହି ମୁହଁ ନ ଖୋଲି ପରୋକ୍ଷରେ ଏକ ଓ ଦୁଇ ନମ୍ବର ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ପ୍ରୋତ୍ସାହିତ କରୁଥିବା ଚର୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧନ୍ୟବାଦ ରାଜନୀତି
୭ ନମ୍ବର ହଷ୍ଟେଲରେ ଆଡ଼ା ଜମାଇଥିବା ଅଣଛାତ୍ର ଓ ଅସାମାଜିକ ଯୁବକଙ୍କୁ ହଟାଯାଇଥିବାରୁ ଛାତ୍ରଛାତ୍ରୀ ଆଶ୍ବସ୍ତି ଅନୁଭବ କରିଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଆଜି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଭୁବନେଶ୍ବର ଡିସିପି ଅନୁପ୍ ସାହୁ ଓ ସହିଦନଗର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ପରିସର ଯେପରି ଶାନ୍ତି, ଶୃଙ୍ଖଳା ବଜାୟ ରହିବା ସହ ବିଶ୍ବବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଯାଇପାରିବ ସେନେଇ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି। ଏଥିସହ ଅନ୍ୟ ଛାତ୍ରାବାସଗୁଡ଼ିକରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ୪ ଦିନ ହେଲା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କୁଳପତି ନଥିଲେ। ଚଢ଼ଉ ସମୟରେ ବି ଅନୁପସ୍ଥିତ ରହିଥିଲେ। ତେବେ କେଉଁ ଆଧାରରେ ଛାତ୍ରଛାତ୍ରୀ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ତାହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏପରିକି କୁହାଯାଉଛି ଯେ ପ୍ରକାଶ ଗିରଫ ହେବା ପରେ ବିରୋଧୀ ଗୋଷ୍ଠୀ ଏବେ ବାଣୀବିହାର କ୍ୟାମ୍ପସରେ ସକ୍ରିୟ ହେବା ସହ ନିଜର ଦବଦବା ଜାହିର କରିଛି। ୭ ନମ୍ବର ହଷ୍ଟେଲ ଚଢ଼ଉ କରିବାକୁ ବି ପ୍ରକାଶଙ୍କ ବିରୋଧୀ ଗୋଷ୍ଠୀ ଚାପ ସୃଷ୍ଟି କରିଥିଲା ବୋଲି ମଧ୍ୟ ଆଲୋଚନା ହେଉଛି। ଏପରିକି ପ୍ରକାଶଙ୍କ ବିରୋଧୀ ଗୋଷ୍ଠୀର ଅଣଛାତ୍ର ଏବେ ହଷ୍ଟେଲରେ ରହୁଛନ୍ତି। କାଳେ ସେମାନଙ୍କ ବିରୋଧରେ କର୍ତୃପକ୍ଷ କିମ୍ବା ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ସେଥିପାଇଁ ଆଗୁଆ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଏହି ଗୋଷ୍ଠୀର ଛାତ୍ରନେତାମାନେ ଧନ୍ୟବାଦ ରାଜନୀତି ଆରମ୍ଭ କରି କୁଳପତି ଓ ଡିସିପିଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିପଡ଼ିଛନ୍ତି ବୋଲି ଚର୍ଚା ହେଉଛି।