ରସୁଲଗଡ଼ ଛକରେ ଆତଙ୍କରାଜ, ପାଓଭାଜି ବ୍ୟବସାୟୀ ଆହତ

ଭୁବନେଶ୍ବର: ରାଜଧାନୀରେ ଯୁବକମାନେ ରାସ୍ତା ମଝିରେ ଆତଙ୍କ ସୃଷ୍ଟି କରିବା ଏକ ସାଧାରଣ କଥା ହେଲାଣି। ନିକଟ ଅତୀତରେ ଅନେକ ଉଦାହରଣ ରହିଥିବା ବେଳେ ଆଜି ଅନୁରୂପ ଏକ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି କିଛି ଯୁବକ ରାସ୍ତା କଡ଼ର ବ୍ୟବସାୟୀ ବିଜୟ ବ୍ୟାସଙ୍କୁ ଆକ୍ରମଣ କରିଛନ୍ତି। ବିଜୟ କୋଚିଲେଇ ହାଟ ପାଖରେ ପାଓଭାଜି ବ୍ୟବସାୟ କରନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପରାଧୀଙ୍କୁ ଖୋଜୁଛି।

ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଦୁଇଜଣ ଯୁବକ ବାଇକ୍‌ରେ ଏସ୍‌ପ୍ଲାନେଡ୍‌ ପଟରୁ ରସୁଲଗଡ଼ ଆଡ଼େ ଯାଉଥିଲେ। କୋଚିଲେଇ ହାଟ ପରେ ଜଣେ ମଦ୍ୟପ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା। ‘ତୁ ନିଜେ ମରିବୁ, ଆମକୁ ବି ମାରିବୁ’ ବୋଲି ବାଇକ୍‌ ପଛରେ ବସିଥିବା ଯୁବକ ଜଣକ କହିଥିଲା। ଏହା ଶୁଣି ମଦୁଆ ଜଣକ ବାଇକ୍‌ ଚାଳକକୁ ପିଟିଥିଲା। ମଦୁଆର କେତେକ ସହଯୋଗୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ପ୍ରବଳ ମାଡ଼ ହେବାରୁ ଭୟରେ ବାଇକ୍‌ ପଛରେ ବସିଥିବା ଯୁବକ ଜଣକ ଦଉଡ଼ି ବିଜୟଙ୍କ ପାଓଭାଜି ଦୋକାନ ପଛକୁ ପଳାଇଥିଲା। ମାଡ଼ ଦେଇ ମଦୁଆ ଯୁବକମାନେ ଚାଲି ଯିବା ପରେ ‘ଯାହା ହେଲା ହେଲା, ଆଗ ବାଇକ୍‌ ଚାଳକକୁ ମେଡିକାଲ ନିଅ’ ବୋଲି ବିଜୟ ପରାମର୍ଶ ଦେଇଥିଲେ। ଅଭିଯୁକ୍ତଙ୍କୁ ସୁହାଇବା ଭଳି କହିବାରୁ ବିଜୟ ମଧ୍ୟ ଅଭିଯୁକ୍ତଙ୍କ ସହ ଅଛନ୍ତି ବୋଲି ଭାବି ବାଇକ୍‌ ଚାଳକ ଓ ପଛରେ ବସିଥିବା ଯୁବକ ଦୋକାନୀକୁ ପିଟି ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ବା ଅଭିଯୋଗକାରୀ କାହା ସହ ସମ୍ପର୍କରେ ନ ଥିଲେ ମଧ୍ୟ ଗୁରୁତର ଆହତ ହୋଇ ବିଜୟ ମେଡିକାଲ ଯାଇଥିଲେ। ମୁଖ୍ୟ ଅଭିଯୁକ୍ତ ମଧ୍ୟ ଫେରାର ହୋଇ ଯାଇଥିଲ‌ା। ବିଜୟଙ୍କ ଅଭିଯୋଗକୁ ଆଧାର କରି ଏବେ ପୁଲିସ ସମ୍ପୃକ୍ତ ମଦୁଆ ଯୁବକ ଓ ବାଇକ୍‌ ଚାଳକଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର