ବାତ୍ୟା ମାଡ଼ରେ ଫାଟି ଯାଇଛି ପାଣି ପାଇପ୍, ନଷ୍ଟ ହେଉଛି ପିଇବା ପାଣି

ଚନ୍ଦ୍ରଶେଖରପୁର : ‘ଫନି‌’ ମାଡ଼ରେ ଭୁବନେଶ୍ବରରେ ବିଦ୍ୟୁତ୍‌ ସରବରାହ ସାଙ୍ଗକୁ ଟେଲିକମ୍‌, ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି। ବହୁ ସଂଖ୍ୟାରେ ଗଛ ଭାଙ୍ଗିପଡ଼ିବା ଦ୍ବାରା କେଉଁଠି ବିଦ୍ୟୁତ୍‌ ତାର ଛିଣ୍ଡିଯାଇଥିଲା ତ ଆଉ କେଉଁଠି ପାଣି ପାଇପ୍‌ ଫାଟିଥିଲା। ଯେଉଁଥିପାଇଁ ବାତ୍ୟାର ୫ରୁ ୭ ଦିନ ପର୍ଯ୍ୟନ୍ତ ପିଇବା ପାଣି ପାଇଁ ସହରବାସୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ୪୦ ଡିଗ୍ରି ତାତିରେ ବି ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ପାଣି ସଂଗ୍ରହ କରିଥିଲେ।

ଏବେ କିନ୍ତୁ ସ୍ଥିତିରେ କିଛିଟା ସୁଧାର ଆସିଛି। ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ଆଉ କିଛି ସ୍ଥାନରେ ଏବେ ବି ବିଦ୍ୟୁତ୍‌ ତାର ସଂଯୋଗ ଚାଲିଛି। ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ପିଇବା ପାଣି କଥାକୁ ସମସ୍ତେ ମନରୁ ପୋଛି ଦେଇଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ଓ ଯୋଗାଣ ପାଇପ୍‌ ଫାଟିଯାଇଥିଲେ ମଧ୍ୟ ତାହାର ମରାମତି କରାଯାଉ ନାହିଁ। ପାଣି ଟାଙ୍କିରୁ ଅନବରତ ପାଣି ବାହାରୁଛି। କେତେକ ସ୍ଥାନରେ ରାସ୍ତାରେ ପିଇବା ପାଣି ଲହଡ଼ି ଭାଙ୍ଗୁଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନାହିଁ।

ଗ୍ରାମାଞ୍ଚଳବାସୀଙ୍କୁ ସବୁଠାରୁ ଅଧିକ ଦହଗଞ୍ଜ ହେବାକୁ ପଡ଼ୁଛି। ସହର ଉପକଣ୍ଠ ଗାଡ଼କଣ, ରଙ୍ଗମାଟିଆ, ଆଦିମାତା କଲୋନି, ଭିଏସ୍ଏସ୍ ନଗର, ଚକେଇସିଆଣି, ମଞ୍ଚେଶ୍ବର, ଡମଣା, ପଟିଆବାସୀଙ୍କୁ ଏବେ ବି ପିଇବା ପାଣି ପାଇଁ ଡହଳବିକଳ ହେବାକୁ ପଡ଼ୁଛି। ଲୋକେ ବାରମ୍ବାର ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେଉଛନ୍ତି। ରଙ୍ଗମାଟିଆ ଅଞ୍ଚଳରେ ଏକ ପାଣିଟାଙ୍କି ପାଇପ୍‌ ଫାଟି ଅନବରତ ପାଣି ବୋହୁଛି। ଟାଙ୍କିରେ ପାଣି ରହୁନି। ଆର୍ଯ୍ୟପଲ୍ଲୀରେ ପାଇପ୍‌ ଫାଟିବା ଯୋଗୁଁ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଛି। ପ୍ରତିଦିନ ରାତିରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ପାଣି ଭା‌ସୁଛି। ଏହାଦ୍ବାରା ରାସ୍ତା ନଷ୍ଟ ହେଉଛି। ସେହିପରି କୁଆଖାଇରୁ ସହର ଭିତରକୁ ଯାଇଥିବା ପାଇପ୍ ଲାଇନ୍‌ର ବିଭିନ୍ନ ଜଙ୍କସନ୍ ଚ୍ୟାମ୍ବର୍‌ରେ ପାଣି ଲିକ୍ ହେଉଛି। ତୁରନ୍ତ ଏହାର ମରାମତି କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର