କାହା ବଳରେ ବଳୀୟାନ ୱେବ୍‌ ପୋର୍ଟାଲ?

ରାତାରାତି ତିଆରି ହେଉଛି, ସକାଳୁ ବୁମ୍ ଧରି ବୁଲୁଛନ୍ତି

ନେତା, ଖଣି ମାଫିଆ, ବିଲ୍ଡର, ଦଲାଲ୍ ଦେଉଛନ୍ତି ପ୍ରୋତ୍ସାହନ

ଭୁବନେଶ୍ବର : ନା ପ୍ରସ୍ତୁତି ନା ପ୍ରଚାର। ସକାଳୁ ହାତରେ କ୍ୟାମେରା, ନୂଆ ଲୋଗୋ ଥିବା ବୁମ୍। ତା ପୁଣି ଆଖି ଝଲସିଲା ଭଳି ରଙ୍ଗବେରଙ୍ଗର। ଜାତୀୟ, ଅନ୍ତର୍ଜାତୀୟ ଚ୍ୟାନେଲ ଭଳି ଡିଜାଇନ୍। ଏମାନେ କୌଣସି ନ୍ୟୁଜ୍ ପଛରେ ପଡ଼ି ନ ଥାନ୍ତି, ବରଂ କଳେବଳେକୌଶଳେ ନିଜର ସ୍ବାର୍ଥ ହାସଲ ପାଇଁ ଲାଗିପଡ଼ନ୍ତି। କାହାକୁ ଟାର୍ଗେଟ୍ କରାଯିବ, କାହାକୁ ଜାଲରେ ଫସାଯିବ; ସେସବୁ ସେମାନଙ୍କ ଅଫିସରୁ ହିଁ ନିର୍ଧାରଣ କରାଯାଏ। ‘ଲାଇଭ୍ କଳିଙ୍ଗ ନ୍ୟୁଜ୍‌’(ଏଲ୍‌କେଏନ୍‌)ର କଳା କାରନାମା ପଦାକୁ ଆସିବା ପରେ ଏଭଳି ଆଉ କେତେକ ୱେବ୍ ପୋର୍ଟାଲ ଏବେ ସନ୍ଦେହ ଘେରକୁ ଆସିଛି। ତେବେ କେମିତି ରାତାରାତି ମାଳମାଳ ଓ୍ଵେବ୍ ଚ୍ୟାନେଲ ବା ପୋର୍ଟାଲ ଖୋଲି ଯାଉଛି, ଭିତ୍ତିଭୂମି ତିଆରି କରିବା ପାଇଁ କେମିତି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି, ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି।

ମିଳିଥିବା ସୂଚନା ଅନୁସାରେ, କେତେକ ଓ୍ଵେବ ପୋର୍ଟାଲ ପଛରେ ରାଜନେତା, ଖଣି ବ୍ୟବସାୟୀ, ବିଲ୍ଡର ଓ ଜମି ଦଲାଲ୍ ରହିଛନ୍ତି। ରାଜନେତାମାନେ ସେମାନଙ୍କ ଚିହ୍ନା ପରିଚିତ ଲୋକଙ୍କ ଜରିଆରେ ରାତାରାତି ଓ୍ଵେବ ପାର୍ଟୋଲ ଖୋଲି ଦିଅନ୍ତି। ନିଜ ଅଞ୍ଚଳରେ ପ୍ରଚାର ପ୍ରସାର ପାଇଁ ଏହି ପୋର୍ଟାଲ ମାଧ୍ୟମରେ ସେମାନଙ୍କର ନ୍ୟୁଜ୍ ବାରମ୍ବାର ପ୍ରକାଶିତ ହୁଏ। ସେହିପରି ଖଣି ବ୍ୟବସାୟୀ, ବିଲ୍ଡର ସେମାନଙ୍କ ସ୍ବାର୍ଥ ହାସଲ କରିବା ଲାଗି ମଧ୍ୟ ପାର୍ଟୋଲ ଖୋଲି ଦିଅନ୍ତି। ଏହି ମାଧ୍ୟମରେ ସେମାନେ ନିଜର କାରବାର କରନ୍ତି। ଆଉ କେତେକ ପୋର୍ଟାଲ ଖୋଲି ଦାଦାବଟି, ବ୍ଲାକମେଲିଂ ଭଳି କାମ ମଧ୍ୟ କରନ୍ତି। ଲାଇଭ୍ କଳିଙ୍ଗ ନ୍ୟୁଜ୍‌ର ମୁଖ୍ୟ ରଘୁନାଥ ସାହୁ ଓରଫ୍‌ ରାଜ୍ ଏବଂ ସାମ୍ବାଦିକା ଗୁଡ୍ଡି ଭଳି କାରନାମା କରନ୍ତି। ଏହିଭଳି ଭାବରେ ରାତାରାତି ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଶହଶହ ସଂଖ୍ୟାରେ ଓ୍ଵେବ୍‌ ପୋର୍ଟାଲ ଏବେ କାମ କରୁଛି। ଏଭଳି ପୋର୍ଟାଲଗୁଡ଼ିକ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ପୁଲିସ ପାଖରେ ପଡ଼ି ରହିଛି।

Garvan Hill

ପୋର୍ଟାଲ ତିଆରି ପାଇଁ ଖର୍ଚ୍ଚ ମାତ୍ର ୧୫ରୁ ୨୦ ହଜାର
ଓ୍ଵେବ ପୋର୍ଟାଲଟିଏ ତିଆରି ହେବା କୌଣସି କଷ୍ଟକର କାମ ନୁହେଁ କି ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ପୋର୍ଟାଲ ଖୋଲିବାକୁ ସେମିତି କିଛି ବିଶେଷ କଟକଣା ମଧ୍ୟ ନାହିଁ। ପ୍ରଥମେ ଓ୍ଵେବସାଇଟ୍‌ରେ ନିଜ ଚ୍ୟାନେଲ ନାଁରେ ଡୋମେନ୍ ବୁକ୍ କରିବାକୁ ପଡ଼େ। ଏହା ପରେ ସର୍ଭରରେ ଡାଟା ପାଇଁ ସ୍ପେସ୍ ରଖିବାକୁ ପଡ଼େ। କୌଣସି ଏକ ଆଇଟି ସଂସ୍ଥା ଜରିଆରେ ଏହି କାମ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ପୋର୍ଟାଲର ଡିଜାଇନ୍ କରିବାକୁ ହୁଏ। ଯଦି ସକାଳେ କାମ ଆରମ୍ଭ ହୁଏ ତାହେଲେ ସନ୍ଧ୍ୟା ସୁଦ୍ଧା ଶେଷ ହୋଇଯିବ। ଅତି ବେଶିରେ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କଲେ ପ୍ରସ୍ତୁତ ହୋଇଯାଉଛି ପୋର୍ଟାଲ । ଏହି ସବୁ କାମ ପାଇଁ କୌଣସି କଟକଣା ମଧ୍ୟ ନାହିଁ। ଯାହା ଫଳରେ ଏବେ ପ୍ରତିଦିନ ମାଳମାଳ ପୋର୍ଟାଲ ତିଆରି ହେଉଛି।

ଅଡ଼ୁଆରେ ପଡ଼ିଲେ ବଦଳାଇ ଦେଉଛନ୍ତି ନାଁ
‌ଖବର ପ୍ରସାରଣ ନାଁରେ ଲୋକଙ୍କୁ ବ୍ଲାକ୍‌ମେଲ୍‌ କରି ଅର୍ଥ ଆଦାୟ କରୁଥିବା ଏଭଳି କେତେକ ପୋର୍ଟାଲ ବିରୋଧରେ ଅଭିଯୋଗ ଆସିଛି। ଥାନାରେ ମଧ୍ୟ ଅଭିଯୋଗ ପହଞ୍ଚିଛି। ତେବେ କେଉଁଠି ଆପୋଷ ସମାଧାନ ହେଉଛି ତ ଆଉ କେଉଁଠି ମାମଲା ରୁଜୁ ହେଉଛି। ବ୍ଲାକମେଲିଂ, ଦାଦାବଟି କରି ଯଦି କିଏ ଅଡ଼ୁଆରେ ପଡ଼ୁଛି; ତାହେଲେ ସେହି ପୋର୍ଟାଲକୁ ବନ୍ଦ କରି ଦେଉଛି। କିଛିଦିନ ପରେ ଆଉ ଗୋଟିଏ ନୂଆ ନାଁରେ ପୋର୍ଟାଲ ଖୋଲି ଦେଉଛି। ପାଖରେ ବୁମ୍ ରହୁଥିବାରୁ ଷ୍ଟିକର୍ ବଦଳାଇ ନୂଆ ଷ୍ଟିକର୍ ଲଗାଇ ଦେଉଛି। ନୂଆ ବୋତଲରେ ପୁରୁଣା ମଦ ଭଳି ସେହି ଲୋକ ନୂଆ ବୁମ୍ ଧରି ବୁଲୁଛି।

ଗୁଣ୍ଡା ରଖିଥିଲା ରାଜ୍, ଦେଉଥିଲେ ସୁରକ୍ଷା
ବ୍ୟବସାୟୀଙ୍କୁ ଅପହରଣ କରି ବନ୍ଦୀ ରଖିବା ସହ ଟଙ୍କା ଆଦାୟ କରିବା ଘଟଣାରେ ଖାଲି ଯେ ଲାଇଭ୍ କଳିଙ୍ଗ ନ୍ୟୁଜ(ଏଲକେଏନ)ର କର୍ମଚାରୀ ସାମିଲ ଥିଲେ ତା ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳର କେତେକ ଗୁଣ୍ଡା ମଧ୍ୟ ଅଛନ୍ତି। ଏମାନେ ରାଜ୍‌କୁ ସୁରକ୍ଷା ଦେଉଥିଲେ। ଅପରାଧିକ କାମରେ ସମ୍ପୃକ୍ତ ରହୁଥିଲେ। ରାଜ୍‌ ସହ ଆହୁରି ୪ରୁ ୫ ଜଣ ଫେରାର ହୋଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବ୍ୟବସାୟୀଙ୍କୁ ଅପହରଣ ହେଉ କି କାହାକୁ ବ୍ଲାକମେଲିଂ କରି ଦାଦାବୟି ଆଦାୟ; ଏହି ଗୁଣ୍ଡାମାନେ ଯାଉଥିଲେ। ଯଦି ରାଜ୍‌ ଉପରକୁ କିଛି ବିପଦ ଆସୁଥିଲା; ସେମାନେ ବଡିଗାର୍ଡ ଭଳି ସୁରକ୍ଷା ଦେଉଥିଲେ। ସିଫ୍ଟ ଡ୍ୟୁଟି ଭଳି ପାଳି କରି ଅଫିସରେ ୨୪ ଘଣ୍ଟା ଉପସ୍ଥିତ ରହୁଥିଲେ। ଆଉ ଏହି ଘଟଣା ପରେ ସେମାନେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ନନ୍ଦନକାନନ ଥାନା ପୁଲିସର ଏକ ଟିମ୍ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର